Unknown

 

 

 

 

 

 

 

 

 

 

 

କାୟାହୀନର କାହାଣୀ

(ଡିଟେକ୍‌ଟିଭ ଉପନ୍ୟାସ)

ଆଶୁତୋଷ ରାୟ

 

–ଏକ–

 

ସର୍ବାଙ୍ଗରେ ବହୁ ଡାକମୋହରର ନାମାବଳୀ ଧାରଣ କରି ଅବଶେଷରେ ଚିଠି ଖଣ୍ଡିକ ଯାଇ ଦିଲ୍ଲୀରେ ଜୟନ୍ତ ହାତରେ ପହଞ୍ଚିଲା । ଜୟନ୍ତ କୁମାର ଦାସ ଜଣେ ବଳବାନ ଓ ଦୁଃସାହସୀ ଯୁବକ । ଜଣେ ବିଖ୍ୟାତ ଖେଳୁଆଡ଼ ଓ ଶିକାରୀ । ଓଡ଼ିଶାର ଏକ ପ୍ରାଚୀନ ଓ ସମ୍ଭ୍ରାନ୍ତ ଜମିଦାର ବଂଶର ସେ ଶେଷ କୁଳ ପ୍ରଦୀପ । କେଉଁ ମଫସଲରେ ସେମାନଙ୍କର ଜମିଦାରୀ ଥିଲା ସେ ଜାଣେ ନାହିଁ । ପୁରୀ ସହରର ମାଟିମଣ୍ଡପ ସାହିରେ ଥିବା ସେମାନଙ୍କର ପ୍ରାଚୀନ ଅଟ୍ଟାଳିକାଟିରେ ସେ ଆଶୈଶବରୁ ବଢ଼ିଛି । ଅତି ଶିଶୁକାଳରୁ ତା’ର ମାତୃ ବିୟୋଗ ହୋଇଥିଲା । ବୈଠକଖାନା କାନ୍ଥରେ ମା’ଙ୍କର ଖଣ୍ଡିଏ ବଡ଼ ତୈଳଚତ୍ର ଟଙ୍ଗା ହୋଇଛି । କେତେ ନିର୍ଜନ ଦି’ପହରେ ବୈଠକ ଖାନାରେ ଏକା ବସି ଜୟନ୍ତ ସେ ଚିତ୍ରପଟଟିକୁ ଚାହିଁ ଥାଏ । ଆହା ମା’ ଯଦି ତା’ର ବଞ୍ଚି ଥାନ୍ତେ ! ତା’ର ସବୁ ସାଙ୍ଗମାନଙ୍କର ମା’ ଅଛନ୍ତି । କେବଳ ତା’ରି ମା’ ତାକୁ ଏକା ରଖି ଚାଲି ଯାଇଛନ୍ତି ।

 

ମା’ ଯେ ତାର ଅତିଶୟ ସୁନ୍ଦରୀ ଥିଲେ, ଚିତ୍ର ପଟଟିରୁ ତାହା ସେ ଅନାୟାସରେ ବୁଝିପାରେ । ଜୟନ୍ତର ପିତା ଅନନ୍ତନାରାୟଣ ଦାସ ଥିଲେ ଅତି ଉଦାସୀ ବ୍ୟକ୍ତି । ଗୋରା କୌତୁକିଆ ଦୀର୍ଘ ଦେହ । ଶାଳତରୁ ପରି ବିଶାଳ ପୁରୁଷ । ସ୍ତ୍ରୀ ବିୟୋଗ ପରେ ଆତ୍ମୀୟସ୍ଵଜନମାନଙ୍କର ବହୁ ଚାପ ସତ୍ତ୍ଵେ ସେ ଆଉ ବିବାହ କଲେ ନାହିଁ । ଦିନର ଅଧିକାଂଶ ସମୟ ଜଗନ୍ନାଥଙ୍କ ମନ୍ଦିରରେ କଟାନ୍ତି । ତା’ ପରେ ନିଜ କୋଠରୀ ଭିତରେ ଝରକା ବାଟେ ଆକାଶକୁ ଚାହିଁ ନୀରବରେ ବସିଥା’ନ୍ତି ।

 

ଜୟନ୍ତ ତାଙ୍କର ଏକମାତ୍ର ସନ୍ତାନ । ଦୁର୍ଦ୍ଧର୍ଷ ଓ ବେପରୋୟା ବାଳକ । ଏକାଧିକ ଗୃହଶିକ୍ଷକଙ୍କର ତତ୍ତ୍ଵାବଧାନରେ ସେ ପାଠ ପଢ଼େ । କିନ୍ତୁ ପଢ଼ିବା ଅପେକ୍ଷା ଖେଳିବାକୁ ସେ ଅଧିକ ଭଲପାଏ । ସମୁଦ୍ର ଭିରତକୁ ବହୁଦୂର ପର୍ଯ୍ୟନ୍ତ ସେ ସନ୍ତରଣ କରେ ଚାଲି ଯାଏ । ଦେଖଣାହାରୀ ସ୍ତମ୍ଭିତ ହୋଇଯା’ନ୍ତି । କିନ୍ତୁ ସେ ନିଜେ ସମ୍ପୂର୍ଣ୍ଣ ଭୟଶୂନ୍ୟ । ପରିବାରର କେହି କେହି ଶୁଭେଚ୍ଛୁ ବ୍ୟକ୍ତି ଅନନ୍ତନାରାୟଣଙ୍କୁ ଏକଥା କହି ଜୟନ୍ତକୁ ଏପରି ସମୁଦ୍ର ସନ୍ତରଣରୁ ନିବୃତ୍ତ କରିବାକୁ ଉପଦେଶ ଦିଅନ୍ତି । କିନ୍ତୁ ଅନନ୍ତନାରାୟଣ ସମ୍ପୂର୍ଣ୍ଣ ଅବିଚଳିତ । କେବେ କେବେ ସମାନ୍ୟ ହସି କହନ୍ତି–“ମୁଁ ତାକୁ ଅଟକାଇବି ବା କେମିତି । ଏ ବଂଶର ରକ୍ତ ବଡ଼ ଉଦ୍ଦାମ । ଶକ୍ତି ଚର୍ଚ୍ଚା ଆଉ ଦୁଃସାହାସ ଏ ବଂଶର ରକ୍ତଗତ ବ୍ୟାଧି । ବଞ୍ଚିରହିବା ବା ମରିବା ତ ମଣିଷ ହାତରେ ନାହିଁ ! ସବୁ ସେଇ ଚକାଡ଼ୋଳାଙ୍କ ଇଚ୍ଛା ।

 

ଗୃହଶିକ୍ଷକମାନଙ୍କର ବହୁ ଚେଷ୍ଟା ସତ୍ତ୍ୱେ ଜୟନ୍ତ ବି. ଏ. ପରୀକ୍ଷାରେ ଫେଲ୍ ହେଲା । କିନ୍ତୁ, ସେଥିପାଇଁ ତା’ର ତିଳେମାତ୍ର ଦୁଃଖ ହେଲା ନାହିଁ । କାରଣ ସେଇବର୍ଷ କୋଚିନ୍‌ରେ ଅନୁଷ୍ଠିତ ହୋଇଥିବା ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସେ ତିନୋଟି ନୂଆ ରେକର୍ଡ ସୃଷ୍ଟିକରି ସୁବର୍ଣ୍ଣ ପଦକ–ଲାଭକଲା ।

 

ବି. ଏ. ଫେଲ୍ ହେବା ପରେ ପାସ୍‍ କରିବାକୁ ଆଉଥରେ ଚେଷ୍ଟା କରି ସମୟ ନଷ୍ଟ କରିବାକୁ ଜୟନ୍ତ ଚାହିଁଲା ନାହିଁ । ତା’ପରେ ଦେଶରେ ଏକ ରାଜନୈତିକ ପରିବର୍ତ୍ତନ ଦେଖାଗଲା । ସାମନ୍ତବାବର ପୂର୍ଣ୍ଣ ବିଲୋପ ସାଧନ ଉଦ୍ଦେଶ୍ୟରେ ଜମିଦାରୀ ଉଚ୍ଛେଦ ଆଇନ ପ୍ରଣୟନ ହେଲା । ଅନନ୍ତନାରାୟଣଙ୍କର ଜମିଦାରୀ ମଧ୍ୟ ଗଲା । ତା’ର କେତେକ ବର୍ଷପରେ ଅନନ୍ତନାରାୟଣ ମଧ୍ୟ ପରଲୋକ ଗମନ କଲେ ।

 

ପିତାଙ୍କ ମୃତ୍ୟୁପରେ ଜୟନ୍ତ କିଛିଦିନ ପର୍ଯ୍ୟନ୍ତ ନିଜକୁ ଅତିଶୟ ନିଃସଙ୍ଗ ମନେ କରିବାକୁ ଲାଗିଲା । ସାରା ବିଶ୍ଵ ଯେପରି ଏକ ମହାଶୂନ୍ୟ ପରି ମନେ ହେଲା । କେବେ ହେଲେ ଜୟନ୍ତ ତା’ର ପିତାଙ୍କର ସ୍ନେହ ବା ସାହଚର୍ଯ୍ୟ ନିବିଡ଼ ଭାବରେ ପାଇ ନଥିଲା । ଏତେବଡ଼ ଘରଟାର କେଉଁ ଆଢ଼ୁଆଳରେ ତା’ର ଉଦାସୀ ପିତା ନିଜକୁ ଲୁଚାଇ, ରଖୁଥିଲେ । ମାସ ମାସ ଧରି ମଧ୍ୟ ଜୟନ୍ତର ତାଙ୍କ ସହିତ ଚାକ୍ଷୁଷ ସାକ୍ଷାତ ମଧ୍ୟ ହେଉ ନଥିଲା । ଘରର ପୁରୁଣା ଚାକର ବାକରଙ୍କର ତତ୍ତ୍ଵାବଧାନରେ ସେ ବଢ଼ିଛି । କିନ୍ତୁ ପିତାଙ୍କ ମୃତ୍ୟୁପରେ, ଜୟନ୍ତ ବୁଝି ପାରିଲା ଯେ ଅନ୍ତରାଳରେ ଥାଇ ମଧ୍ୟ ଅନ୍ତରର ସ୍ନେହ ଓ ଶୁଭେଚ୍ଛା ଦେଇ ତା’ର ପିତା ଜୟନ୍ତର ଜୀବନକୁ ଅତି ଗଭୀର ଭାବରେ ଆଚ୍ଛନ୍ନ କରି ରଖିଥିଲେ ।

 

ପ୍ରଚୁର ବିଭବର ଅଧିକାରୀ ନହେଲେ ମଧ୍ୟ ସ୍ଵର୍ଗତ ଅନନ୍ତନାରାୟଣ ଧନୀ ଥିଲେ । ଉତ୍ତରାଧିକାରୀ ସୂତ୍ରରେ ଜୟନ୍ତ ସେ ଗଚ୍ଛିତ ଧନ ଓ ପୈତୃକ ଇମାରତ୍ ଲାଭକଲା । ଘର ଓ ଦାସଦାସୀଙ୍କର ଭାର ପୁରୁଣା ଗୁମାସ୍ତା କେଳୁଚରଣଙ୍କ ଉପରେ ଛାଡ଼ି ଦେଇ ଓ ସଙ୍ଗରେ ପର୍ଯ୍ୟାପ୍ତ ଅର୍ଥ ନେଇ ସେ ଦେଶ ଭ୍ରମଣ ଉଦ୍ଦେଶ୍ୟରେ ବାହାରି ଗଲା ।

 

ପଥ’ର ମୋହ ଯେ ଏତେ ଦୁର୍ବାର, ସେ କଥା ଜୟନ୍ତ ପ୍ରଥମେ ବୁଝି ପାରି ନଥିଲା । କିନ୍ତୁ ପଥର ଯେ ଶେଷ ନାହିଁ–ଦେଶ ଭ୍ରମଣର ତୃପ୍ତିରେ ଯେ ଅବସାଦ ନାହିଁ ଏହା ସେ ଅବିଳମ୍ବେ ବୁଝି ପାରିଲା । କେବଳ ଭାରତ ବର୍ଷର ବଡ଼ ବଡ଼ ସହର ବା ଶିଳ୍ପ ନଗରୀମାନ ନୁହେଁ, ହିମାଳୟର ପାର୍ବତ୍ୟ ଅଞ୍ଚଳମାନ, ଏଲୋରା, ଅଜନ୍ତା, ତାଜମହଲ ଓ ରାଜସ୍ଥାନର ଅତି ପ୍ରାଚୀନ ଓ ଭଗ୍ନ ଦୁର୍ଗମାନ ବୁଲିବୁଲି ସେ ଦେଖିଲା । କଲେଜରେ ଯେଉଁ ପୋଥିଗତ ଶିକ୍ଷା ତା’ର ଅସମାପ୍ତ ରହିଯାଇଥିଲା, ଏଇ ଭାରତ ଦର୍ଶନର ପ୍ରଚୁର ଅଭିଜ୍ଞତା ଫଳରେ ସେ ଶିକ୍ଷା ତା’ର ସମ୍ପୂର୍ଣ୍ଣ ହେଲା ।

 

ଏଇ ଦୁଇବର୍ଷ ଭିତରେ ଦେଶର ବହୁସ୍ଥାନରୁ ସେ କେଳୁଚରଣଙ୍କ ସଙ୍ଗେ ପତ୍ର ଦ୍ଵାରା ସଂଯୋଗ ସ୍ଥାପନ କରିଛି । ଆହୁରି ଟଙ୍କା ପଠାଇବା ପାଇଁ ଅନୁରୋଧ କରିଛି । ଏଇ ପ୍ରିୟଦର୍ଶନ ଯୁବକକୁ ବୃଦ୍ଧ କେଳୁଚରଣ ଅତିଶୟ ସ୍ନେହ କରନ୍ତି । ଜୟନ୍ତକୁ କେବଳ ସେ ବହୁଥର ମନି ଅର୍ଡ଼ର ଯୋଗେ ଟଙ୍କା ପଠାଇ ନାହାନ୍ତି, ପ୍ରତିଥର ତାକୁ ସ୍ଵଦେଶକୁ ଫେରି ଆସିବା ପାଇଁ ଅନୁରୋଧ ଜଣାଇଛନ୍ତି ।

 

ଏତେ ଡାକଘର ବୁଲିବୁଲି ଯେତେବେଳେ ରେଜିଷ୍ଟର୍ଡ ଲଫାପା ଖଣ୍ଡିକ ଦିଲ୍ଲୀରେ ଆସି ଜୟନ୍ତର ହସ୍ତଗତ ହେଲା, ଜୟନ୍ତ ପରିଷ୍କାର ବୁଝି ପାରିଲା ଯେ ପତ୍ର ପ୍ରେରକ କେଳୁଚରଣଙ୍କ ଠାରୁ ପ୍ରଥମେ ତା’ର ସାମୟିକ ଠିକଣା ସଂଗ୍ରହ କରି ଏ ପତ୍ର ପଠାଇଛନ୍ତି । ଅବଶେଷରେ, ପ୍ରାୟ ଦୁଇମାସ ପର୍ଯ୍ୟନ୍ତ ପଶ୍ଚାତ୍‌ଧାବନ କରି ଦଲ୍ଲୀରେ ପତ୍ରଟି ତାକୁ ଧରି ପାରିଛି ।

 

ଚିଠିଟି ଖୋଲି ଜୟନ୍ତ ପଢ଼ିଲା । ଅଶୋକ ମହାପାତ୍ର ନାମକ କଟକର ଜଣେ ଓକିଲ ସେ ପତ୍ର ଲେଖିଛନ୍ତି । ସେ ଜଣାଇଛନ୍ତି ଯେ ତାଙ୍କର ମହକିଲ ସ୍ଵର୍ଗତ ପୁରନ୍ଦର କାନନଗୋ ମୃତ୍ୟୁ ପୂର୍ବରୁ ଗୋଟିଏ ଉଇଲ କରି ଯାଇଛନ୍ତି । ସେଇ ଉଇଲରେ ସ୍ଵର୍ଗତ କାନନଗୋ କଟକ ଷ୍ଟେସନ୍ ରୋଡ଼ରେ ଥିବା ତାଙ୍କର ଦୋ’ମହଲା କୋଠାଘର ତତ୍‌ସଂଲଗ୍ନ ଭୂଖଣ୍ଡ ଓ ବଗିଚା ଜୟନ୍ତକୁ ଦେଇଯାଇଛନ୍ତି । ତା’ଛଡା, ନଗଦ ତିରିଶି ହଜାର ଟଙ୍କା ମଧ୍ୟ ଦେଇ ଯାଇଛନ୍ତି । ଜୟନ୍ତ ଯେପରି ଅତି ଶୀଘ୍ର କଟକକୁ ଫେରି ଆସି ଅଶୋକ ମହାପାତ୍ରଙ୍କ ସହିତ ଦେଖାକରେ । ତା’ ପରେ କେତେକ ଆଇନ ଗତ ବ୍ୟାପାର ଶେଷ ହେବା ପରେ ଜୟନ୍ତ ସେ ବିପୁଳ ସମ୍ପତ୍ତିର ମାଲିକ ହେବ-

 

ଚିଠିଟି ପଢ଼ି ଜୟନ୍ତ ନୀରବରେ ବହୁକ୍ଷଣ ପର୍ଯ୍ୟନ୍ତ ବସି ରହିଲା ପୁରନ୍ଦର କାନନଗୋ ଥିଲେ ତା’ର ମାମୁଁ । ଅତିଶୟ ରହସ୍ୟମୟ ତାଙ୍କର ଜୀବନ । ବାଲ୍ୟକାଳରୁ ସେ ଦେଶ ତ୍ୟାଗୀ ହୋଇ କେଉଁ ଆଡ଼େ ଚାଲିଗଲେ । ବହୁବର୍ଷ ପରେ ଜୀବନର ଅପରାହ୍ନରେ ସେ ପୁଣି ଫେରି ଆସିଲେ । ସମ୍ପୂର୍ଣ୍ଣ ସମ୍ବଳହୀନ ଅବସ୍ଥାରେ ସେ ଘର ଛାଡ଼ିଥିଲେ । କିନ୍ତୁ ଜଣେ ଧନୀ ଲୋକ ଭାବରେ ସେ ଫେରି ଆସିଲେ । ଷ୍ଟେସନ ରୋଡ଼ରେ ପ୍ରକାଣ୍ଡ ଗୋଟାଏ ଘର କିଣିଲେ । ଚାକର, ଦରୁଆନ, ମଟରକାର ପ୍ରଭୃତି ରଖିଲେ । ବ୍ୟାଙ୍କରେ ପ୍ରଚୁର ଟଙ୍କା ଜମାଇଲେ । ହଠାତ୍ କଟକର ଅଭିଜାତ ସମାଜରେ ସେ ଜଣେ ଅତିଶୟ ଧନୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଭାବରେ ଉଦୟ ହେଲେ । ସେ ବିବାହ କରି ନଥିଲେ । କି ଉପାୟରେ ଯେ ସେ ଏପରି ବପୁଳ ବିତ୍ତ ଲାଭକଲେ ସେ କଥା କେହି ଜାଣି ପାରିଲେ ନାହିଁ ।

 

ଜୟନ୍ତ ତାଙ୍କୁ କେତେଥର ଦେଖିଛି । ଅନନ୍ତନାରାୟଣଙ୍କୁ ଦେଖିବା ପାଇଁ ସେ କେତେକ ଥର ପୁରୀ ଆସିଥିଲେ । ଦୀର୍ଘ ଦେହ ବଳବାନ ପୁରୁଷ । ଚିତ୍ତର ଦୃଢ଼ତା ଓ ଆତ୍ମବିଶ୍ୱାସ ତାଙ୍କ ଆଖି ଦୁଇଟିରେ ଯେପରି ଅତି ସୁସ୍ପଷ୍ଟ ଭାବରେ ପ୍ରତିଫଳିତ । ଅତିଶୟ ଅଳ୍ପଭାଷୀ ଓ ଅମାୟିକ ବ୍ୟକ୍ତି । ପ୍ରଥମ ଦର୍ଶନରୁ ସେ ଜୟନ୍ତକୁ ଅତିଶୟ ସ୍ନେହ କରିବାକୁ ଲାଗିଲେ । ଏଇ ଦୁର୍ବାର ତରୁଣ ଭିତରେ ଯେପରି ତାଙ୍କର ବିଗତ ଯୌବନର ପ୍ରତିବିମ୍ବ ସେ ଦେଖି ପାରିଲେ ।

 

ସେଇ ପୁରୁଷ ସିଂହ ପୁରନ୍ଦର କାନନଗୋ ଆଉ ବଞ୍ଚି ନାହାନ୍ତି, ଏ ସମ୍ଭାଦ ପାଇ ଜୟନ୍ତର ଆଖି ଛଳ ଛଳ ହୋଇ ଉଠିଲା । ସେ ଥିଲେ ଜୟନ୍ତ ଜୀବନର ଆଦର୍ଶ । ତା’ର ଅବଚେତନ ମନରେ ପ୍ରୋଢ଼ ପୁରନ୍ଦର ଯେ ଏତେ ଗଭୀର ରେଖାପାତ କରିପାରିଥିଲେ, ଏକଥା ଜୟନ୍ତ ଆଜି ପର୍ଯ୍ୟନ୍ତ ବୁଝି ପାରି ନଥିଲା ।

 

ଜୟନ୍ତର ଅର୍ଥଲୋଭ ଆଦୌ ନଥିଲା । ଗୋଟିଏ ଅଭୂତ ଗୃହଛଡ଼ା ବୈରାଗୀ ଯେପରି ତା’ ରକ୍ତରେ ବସା ବାନ୍ଧିଥିଲା । ମାମୁଙ୍କ ସମ୍ପତ୍ତିର ଲୋଭ ନୁହେଁ–ଆଉ ଏକ କି ଅଜଣା ଆକର୍ଷଣ ତା’କୁ ଯେପରି ଟାଣିବାକୁ ଲାଗିଲା । କଟକକୁ ଫେରି ଯିବା ପାଇଁ ସେ ସେହିକ୍ଷଣି ବନ୍ଦୋବସ୍ତ କରିବାକୁ ଲାଗିଲା । ଦିଲ୍ଲୀ ମେଲ୍‌ରେ ଗୋଟିଏ ପ୍ରଥମ ଶ୍ରେଣୀର ଆସନ ରିଜର୍ଭ କଲା । ତା’ର ଫେରିଯିବାର ସମ୍ବାଦ ଓକିଲ ଅଶୋକ ମହାପାତ୍ରଙ୍କୁ ମଧ୍ୟ ତାର ଯୋଗେ ଜଣାଇ ଦେଲା ।

 

ଯଥା ସମୟରେ ଜୟନ୍ତ ଆସି ହାବଡ଼ା ରେଲ ଷ୍ଟେସନ୍‌ରେ ପହଞ୍ଚିଲା । ପ୍ରଥମ ଶ୍ରେଣୀର ବିଶ୍ରାମାଗାରରେ ନିଜର ଜିନିଷପତ୍ର ରଖି କେତେକ ପ୍ରୟୋଜନୀୟ ଦ୍ରବ୍ୟ କିଣିବା ପାଇଁ ସେ କଲିକତା ସହର ଭିତରକୁ ଗଲା । ସଞ୍ଜବେଳେ ପୁରୀ ଏକସପ୍ରେସ ଯୋଗେ ସେ କଟକ ଫେରିବ । ଦିନସାର ତା’ର ସମୟ ଅଛି ।

 

କଲିକତାବାସୀ କେତେକ ପୂର୍ବ ପରିଚିତ ଖେଳୁଆଡ଼ ବନ୍ଧୁଙ୍କ ସହିତ ସାକ୍ଷାତକରି ଓ କେତେକ ପ୍ରୟୋଜନୀୟ ପଦାର୍ଥ କ୍ରୟକରି ସଞ୍ଜବେଳକୁ ଜୟନ୍ତ ହାବଡ଼ା ଷ୍ଟେସନକୁ ଫେରିଲା । ବିଶ୍ରାମାଗାରରେ ବହୁଦେଶର ବହୁ ନରନାରୀ ବସିଛନ୍ତି । ବିଭିନ୍ନ ସେମାନଙ୍କର ରୂପ, ପୋଷାକ ଓ ଚିନ୍ତା । ଜୟନ୍ତ ଯେଉଁସ୍ଥାନରେ ତା’ର ବିଛଣା ଓ ବାକ୍‍ସ ରଖିଥିଲା ସେଠାକୁ ଆସି ସେ ଦେଖିଲା ଯେ ତା’ର ବିଛଣା ନିକଟରେ ଥିବା ଖଣ୍ଡିଏ ଖାଲି ଚୌକିରେ ଗୋଟିଏ ରୂପସୀ ତରୁଣୀ ବସିଛି । ବଡ଼ ଘରଟାର ଅନ୍ୟାନ୍ୟ ସ୍ଥାନରେ ବହୁ ଆସନ ଖାଲି ପଡ଼ିଥିଲେ ସୁଦ୍ଧା ତରୁଣୀଟି ଏପରି ଏକ ଅନ୍ଧାରୁଆ ସ୍ଥାନରେ କାହିଁକି ବସିଛି ଜୟନ୍ତ ବୁଝିପାରିଲା ନାହିଁ । ତରୁଣୀଟି ଆଧୁନିକା ଓ ଅପୂର୍ବ ରୂପସୀ । ଜୟନ୍ତ ଆସି ତା’ ବିଛଣା ନିକଟରେ ଥିବା ଆଉ ଖଣ୍ଡିଏ ଚୌକିରେ ବସିଲା । କିଛିକ୍ଷଣ ପରେ ତରୁଣୀଟି ନିର୍ଭୁଲ ଇଂରାଜୀରେ ପ୍ରଶ୍ନ କଲା–ଆପଣ କ’ଣ ପୁରୀ ଏକସ୍‌ପ୍ରେସ୍‌ ଯୋଗେ ଯିବେ ?

 

ଜୟନ୍ତ ତରୁଣୀଟିକୁ ଚାହିଁଲା । ତା’ପରେ ସଂକ୍ଷିପ୍ତ ଉତ୍ତର ଦେଲା–ହଁ ।

 

ଦିନସାରା କଲିକତା ସହରରେ ବୁଲିବୁଲି ଜୟନ୍ତର ସର୍ବାଙ୍ଗ ଘର୍ମାକ୍ତ ହୋଇ ଯାଇଥିଲା । ଧୁଆ ଧୋଇ ହେବା ପାଇଁ ବାକ୍‌ସ ଭିତରୁ ସାବୁନ ଓ ତଉଲିଆ ବାହାର କରି ସେ ବାଥ ରୁମ୍ ଭିତରକୁ ଚାଲିଗଲା । ପ୍ରାୟ କୋଡ଼ିଏ ମିନିଟ ପରେ ସେ ବାଥ ରୁମ୍‌ରୁ ଫେରି ଆସିଲା । କିନ୍ତୁ ପୂର୍ବୋକ୍ତ ତରୁଣୀଟି ଆଉ ସେଠାରେ ନ ଥିଲା । ଜୟନ୍ତ ପରିଚ୍ଛନ୍ନ ପୋଷାକ ପିନ୍ଧି ଓ ଯଥାବିଧି ପ୍ରସାଧନ କରି ପୁଣି ଆସି ନିଜ ଆସନରେ ବସିଲା । ପୁରୀ ଏକ୍‌ସପ୍ରେସ ପ୍ଲାଟଫର୍ମ ଉପରକୁ ଆସିବା ପାଇଁ ଆହୁରି କିଛି ବିଳମ୍ବ ଅଛି । ଖଣ୍ଡିଏ ଇଂରାଜୀ ମେଗାଜିନ ବାହାର କରି ସମୟ କଟାଇବା ପାଇଁ ଜୟନ୍ତ ପଢ଼ିବାକୁ ଲାଗିଲା । କିନ୍ତୁ ବିଶ୍ରାମାଗାରର ଗୋଳମାଳ ଭିତରେ ସେ ଏକାଗ୍ର ଭାବରେ ପଢ଼ି ପାରିଲା ନାହିଁ । ବହି ଖଣ୍ଡିକ ପୁଣିରଖି ଦେଇ ସେ ନିଜର ହାତ ଘଡ଼ିକୁ ଚାହିଁଲା । –ନା, ଆଉ ଖୁବ୍ ଅଧିକ ବିଳମ୍ବ ନାହିଁ ।

 

ତରୁଣୀଟି ଛାଡ଼ି ଯାଇଥିବା ଚୌକି ଉପରେ ହଠାତ୍ ତାର ନଜର ପଡ଼ିଲା । ସାନ ଖଣ୍ଡିଏ ନେଳୀ ରଙ୍ଗର ଲଫାପା ସେଠାରେ ପଡ଼ିଛି । ଜୟନ୍ତ ସେ ଲଫାପାଟି ଉଠାଇ ଆଣିଲା । କିନ୍ତୁ ଲଫାପାଟି ଉପରେ ତା’ର ନିଜ ନା’ ଟାଇପ୍ ହୋଇ ଥିବାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା । ଖୋଲା ଖଣ୍ଡିଏ ଲଫାପା । ତା’ ଭିତରେ ଖଣ୍ଡିଏ ମୂଲ୍ୟବାନ ଲେଖା କାଗଜ ଉପରେ କେତୋଟି ଧାଡ଼ି ଇଂରାଜୀରେ ଟାଇପ୍ କରା ହୋଇଛି ।

 

“ଜୟନ୍ତ ବାବୁ, ଆପଣ ନିଜେ ମଧ୍ୟ ଧନୀର ସନ୍ତାନ । ଆପଣଙ୍କର କୌଣସି ଅଭାବ ନାହିଁ । ପୁରନ୍ଦର ବାବୁଙ୍କୁର ଘର ଉପରେ ଲୋଭ କରନ୍ତୁ ନାହିଁ । ସେଠାକୁ ଯା’ନ୍ତୁ ନାହିଁ । ସେ ଘର ଭିତରେ ମୃତ୍ୟୁ ଲୁଚି ରହିଛି ।

 

–ଇତି–

ଆପଣଙ୍କର ଅଜଣା ବନ୍ଧୁ ।”

 

ଏପରି ଏକ ଅଚିନ୍ତାନୀୟ କାଣ୍ଡ ଦେଖି ଜୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା । ସେ ଅତିଶୟ ବଳବାନ ଓ ସାହସୀ ଯୁବକ । ବିପଦ ବା ମୃତ୍ୟୁଭୟ ଭିତରେ ସେ ଗୋଟାଏ ବିଚିତ୍ର ଉନ୍ମାଦନା ଲାଭକରେ । ଅର୍ଥ ଲୋଭ ତାର ଆଦୌ ନାହିଁ । ମାମୁଁଙ୍କର ସମ୍ପତ୍ତି ଭୋଗ କରିବା ଆଶରେ ସେ ଏତେ ଦିନ ପରେ ଜନ୍ମଭୁମିକୁ ଫେରି ଯାଉ ନାହିଁ । ଏ ଦୁନିଆରେ ସେ ସମ୍ପୂର୍ଣ୍ଣ ଏକା । ମାତ୍ର ଗୋଟିଏ ଲୋକ ବାସ କରିବା ପାଇଁ ବିଶାଳ ଏକ ଅଟ୍ଟାଳିକାର ଆଦୌ ପ୍ରୟୋଜନ ନାହିଁ, କଟକ ଯାଇ ମାମୁଙ୍କର ପରିତ୍ୟକ୍ତ ଅଟ୍ଟାଳିକାରେ ସେ କଦାପି ବାସ କରି ନ ଥା’ନ୍ତା । କୌଣସି ହୋଟେଲ ବା ଡାକବଙ୍ଗଳାରେ କିଛିଦିନ ରହି ଓ ଓକିଲଙ୍କ ସଙ୍ଗେ ଦେଖାକରି ସେ ପୁଣି ପୁରୀ ଫେରିଯାଇ ତା’ର ସ୍ମୃତିମୟ ପୈତୃକ ଅଟ୍ଟାଳିକାରେ ବାସକରି ଥା’ନ୍ତା । କିନ୍ତୁ ଏ ଧମକପୂର୍ଣ୍ଣ ଚିଠି ପାଇ ଜୟନ୍ତ ଠିକ୍‍ କଲା ଯେ ସେ କଟକ ଫେରିଯାଇ ପୁରନ୍ଦର କାନନଗୋଙ୍କ ପରିତ୍ୟକ୍ତ ଅଟ୍ଟାଳିକାରେ ନିଶ୍ଚୟ ବାସ କରିବ । ସେଠାରେ ଲୁଚି ରହିଥିବା ମୃତ୍ୟୁକୁ ସେ ଖୋଜି ବାହାର କରିବ ଓ ତା’ର ସାମନା ସାମନି ଛିଡ଼ା ହେବ ।

 

କଟକରେ ପହଞ୍ଚି ଜୟନ୍ତ ଓକିଲଙ୍କ ସଙ୍ଗେ ଦେଖାକଲା । ଅଶୋକ ମହାପାତ୍ର ଜଣେ ପ୍ରୌଢ଼ ବ୍ୟକ୍ତି ଓ ହାଇକୋର୍ଟର ଜଣେ ନାମଜାଦା ଓକିଲ । ଅତି ଅନ୍ତରଙ୍ଗ ପରି ଜୟନ୍ତକୁ ସେ ଗ୍ରହଣ କଲେ । ଜୟନ୍ତର ପିତାଙ୍କୁ ମଧ୍ୟ ସେ ଚିହ୍ନିଥିଲେ । ପୁରନ୍ଦର ବାବୁଙ୍କ ମୃତ୍ୟୁ ବିଷୟରେ ସେ କେତେ କଥା କହିଲେ ।

 

–ପୋଲିସ ବିଶ୍ୱାସ କରନ୍ତି ଯେ ପୁରନ୍ଦର ବାବୁ ଆତ୍ମହତ୍ୟା କରିଥିଲେ । ନିଜର ରିଭଲଭରକୁ ଛାତିରେ ଲଗାଇ ସେ ଟ୍ରିଗର୍ ଚିପି ଦେଇଥିଲେ । କିନ୍ତୁ କାହିଁକି କେଜାଣି, ମୁଁ ତାହା ବିଶ୍ଵାସ କରି ପାରିଲି ନାହିଁ । ମୋର ଦୃଢ଼ ଧାରଣା ଯେ ତାଙ୍କର ମୃତ୍ୟୁ ଅତିଶୟ ରହସ୍ୟାଚ୍ଛନ୍ନ । ତାହା କଦାପି ଆତ୍ମହତ୍ୟା ନୁହେଁ ।

 

–ତେବେ କ’ଣ ଆପଣ ମନେ କରନ୍ତି ଯେ ତାଙ୍କୁ ଅନ୍ୟ କେହି ହତ୍ୟା କରିଛି ?

 

–ମୋ’ର ତାହାହିଁ ମନେ ହୁଏ । କିନ୍ତୁ କିଏ ବା ତାଙ୍କୁ ହତ୍ୟାକଲା–କାହିଁକି ବା କଲା ପ୍ରଭୃତି ପ୍ରଶ୍ନର ଉତ୍ତର ମୁଁ ଖୋଜି ପାଇନାହିଁ । କିନ୍ତୁ ଏ କଥା ମୁଁ ଦୃଢ଼ ଭାବରେ କହିପାରେ ଯେ ମୃତ୍ୟୁର କିଛିଦିନ ପୂର୍ବରୁ ସେ ତାହା ଜାଣି ପାରିଥିଲେ । ତା’ ନହେଲେ ତାଙ୍କର ସବୁ ସ୍ଥାବରାସ୍ଥାବର ସମ୍ପତ୍ତି ଉଇଲ କରି ଯା’ନ୍ତେ ନାହିଁ । ଅବଶ୍ୟ ସବୁ ସମ୍ପତ୍ତି ସେ ଏକା ତୁମକୁ ଦେଇ ଯାଇ ନାହାନ୍ତି । ତୁମେ କେବଳ ତାଙ୍କର ଘରଟା ଓ ନଗଦ ତିରିଶ ହଳାର ଟଙ୍କା ମାତ୍ର ପାଇଛ । ଆହୁରି ଦୁଇଲକ୍ଷାଧିକ ଟଙ୍କା ସେ ଅନ୍ୟମାନଙ୍କୁ ଦେଇ ଯାଇଛନ୍ତି । ସେଥିରୁ ପଚାଶ ହଜାର ଟଙ୍କା ତାଙ୍କର ବୃଦ୍ଧା ପରିଚାଳିକା ସୁନାମଣୀକୁ ଦେଇ ଯାଇଛନ୍ତି । ତା’ର ଏ ସଂସାରରେ ଆଉ କେହି ନାହିଁ । ପୁରନ୍ଦର ବାବୁଙ୍କ ଅଟ୍ଟାଳିକାର ଆଉଟ୍‌ହାଉସରେ ସେ ବାସ କରେ । ଏବେ ବି ସେହିଠାରେ ସେ ଅଛି । ତା’ଛଡ଼ା କିଛି ଅର୍ଥ ରାମକୃଷ୍ଣ ମିସନ୍‌କୁ ସେ ଦାନ କରିଯାଇଛନ୍ତି । ତାଙ୍କର ପାଳିତା କନ୍ୟା କଳାବତୀର ସ୍ମୃତି ଉଦ୍ଦେଶ୍ୟରେ ଦୁଇଟି ସ୍କଲର୍‌ସିପ୍‌ ଦେବାପାଇଁ ସେ ବିଶ୍ଵବିଦ୍ୟାଳୟକୁ ଏକ ଲକ୍ଷ ଟଙ୍କା ଦେଇ ଯାଇଛନ୍ତି ।

 

–ତାଙ୍କର କ’ଣ ଗୋଟିଏ ପାଳିତା କନ୍ୟା ଥିଲା ? ଜୟନ୍ତ ପଚାରିଲା ।

 

–ହଁ, କଳାବତୀ ଥିଲା ଅତି ସୁନ୍ଦରୀ । ବିଜୁଳୀ ପରି ସୁନ୍ଦରୀ ଓ ଚଞ୍ଚଳା । ସେ ଥିଲା ପୁରନ୍ଦର ବାବୁଙ୍କର ଆଖିର ମଣି । କେଉଁ ରଜ୍ୟରେ ତା’ର ଜନ୍ମ କିଏ ବା ଥିଲେ ତା’ର ପିତାମାତା, ପୁରନ୍ଦର ବାବୁ ବା ତାକୁ କେମିତି ପାଇଲେ, ସେ କଥା କେହି ଜାଣନ୍ତି ନାହିଁ । ସେ ଥିଲେ ଅତିଶୟ ଅଳ୍ପଭାଷୀ । କାହାରି ନିକଟରେ ସେ ତାଙ୍କର ବ୍ୟକ୍ତିଗତ କଥା କହନ୍ତି ନାହିଁ । ଡେରାଡ଼ୁନର ପବ୍ଲିକ ସ୍କୁଲରେ ପଢ଼ୁଥିଲା । ମାତ୍ର ବାଇଶ ବର୍ଷ ବୟସରେ ଦୁରାରୋଗ୍ୟ ନିଉମୋନିଆ ରୋଗରେ କଳାବତୀ ଏହିଠାରେ ପ୍ରାଣ ତ୍ୟାଗ କଲା, ତା’ର ଠିକ ଏକ ବର୍ଷ ପରେ ପୁରନ୍ଦର ବାବୁଙ୍କର ମୃତ୍ୟୁ ହେଲା । ସେଇଥିରୁ ପୁଲିସ ସନ୍ଦେହ କରନ୍ତି ଯେ କଳାବତୀର ବିୟୋଗର ଶୋକ ସହ୍ୟ କରି ନ ପାରି ଅବଶେଷରେ ପୁରନ୍ଦର ବାବୁ ଆତ୍ମହତ୍ୟା କଲେ ।

 

ତା’ପରେ ଅନ୍ୟାନ୍ୟ କେତେ କଥା ପରେ ଅଶୋକ ମହାପାତ୍ର ପଚାରିଲେ–ଆପଣ କ’ଣ ପୁରନ୍ଦର ବାବୁଙ୍କ ଅଟ୍ଟାଳିକାରେ ବର୍ତ୍ତମାନ ବାସ କରିବାକୁ ଚାହାନ୍ତି ! ଘରର ଚାବି ଅବଶ୍ୟ ମୋ ନିକଟରେ ଅଛି । କିନ୍ତୁ ଘରଟାକୁ ସଫା କରିବା ପ୍ରୟୋଜନ ।

 

ହାବଡ଼ା ଷ୍ଟେସନରେ ପାଇଥିବା ଧମକ ପୂର୍ଣ୍ଣ ଓ ରହସ୍ୟମୟ ଚିଠି କଥା ଅଶୋକ ବାବୁଙ୍କୁ କିଛି ନକହି ଜୟନ୍ତ କହିଲା–ହିଁ ସାର୍, ମୁଁ ବର୍ତ୍ତମାନ ସେଇ ଘରେ କିଛିଦିନ ବାସ କରିବାକୁ ଚାହେଁ । ଦୟାକରି ଘରଟାକୁ ସଫା କରିବାର ବ୍ୟବସ୍ଥା କରି ଦିଅନ୍ତୁ ।

 

–ଆଚ୍ଛା ବେଶ, ଆଜି ସେ ବ୍ୟବସ୍ଥା ମୁଁ କରିବି । ଆପଣ ଅପରାହ୍ନ ବେଳକୁ ସେ ଘରକୁ ଉଠିଯିବେ । ହଁ, ଆଉ ଗୋଟିଏ କଥା । ଆପଣଙ୍କ ହାତରେ ଦେବା ପାଇଁ ପୁରନ୍ଦର ବାବୁ ଖଣ୍ଡିଏ ଜଉମୁଦ ଚିଠି ମୋତେ ଦେଇ ଯାଇଥିଲେ । ଆପଣ ସେଖଣ୍ଡି ନିଅନ୍ତୁ ।

 

ଏହା କହି ଅଶୋକ ବାବୁ ଲୁହା ସିନ୍ଦୁକ ଖୋଲି ଖଣ୍ଡିଏ ଜଉମୁଦ ଲଫାପା ଓ ଆଉ ଖଣ୍ଡିଏ କାଗଜ ବାହାର କଲେ । ଚିଠି ଖଣ୍ଡିକ ଜୟନ୍ତ ହାତକୁ ବଢ଼ାଇ ଦେଇ ଅଶୋକ ବାବୁ ଅନ୍ୟ କାଗଜ ଖଣ୍ଡିକ ଧରି କହିଲେ–ଏ ଖଣ୍ଡିକ ଆପଣଙ୍କ ନାମରେ ଥିବା ଷ୍ଟେଟ୍ ବ୍ୟାଙ୍କର ଖଣ୍ଡିକ ରସିଦ । ସେଠାରେ ମଧ୍ୟ ଖଣ୍ଡିଏ ଜଉମୁଦ ଥିବା ଲଫାପା ଆପଣଙ୍କ ନାମରେ ପୁରନ୍ଦର ବାବୁ ଜମା ରଖିଛନ୍ତି-। ସେଥିରେ କ’ଣ ଅଛି ମୋତେ ଜଣା ନାହିଁ । ଏଇ ରସିଦଟି ଦେଖାଇ ଲଫାପା ଖଣ୍ଡିକ ଆପଣ ବ୍ୟାଙ୍କରୁ ନେଇ ପାରିବେ ।

 

ଜୟନ୍ତ ବିଦାୟ ନେଲା । ସେଠାରୁ ଷ୍ଟେଟ୍‍ ବ୍ୟାଙ୍କକୁ ଯାଇ ରସିଦ ଦାଖଲ କରି ଖଣ୍ଡିଏ ବଡ଼ ଲଫାପା ପାଇଲା । ତା’ପରେ ନିଜ ହୋଟେଲ ଫେରି ଆସିଲା ।

 

ମଧ୍ୟାହ୍ନ ଭୋଜନ ଶେଷକରି ଜୟନ୍ତ ଟିକିଏ ବିଶ୍ରାମ ନେବାକୁ ଚେଷ୍ଟା କଲା । ଦିବା ନିଦ୍ରା ତା’ର ବହୁକାଳର ଗୋଟିଏ ବ୍ୟସନ । କିନ୍ତୁ ତାର ଆଦୌ ନିଦ ହେଲା ନାହିଁ । ବହୁ ବିକ୍ଷିପ୍ତ ଚିନ୍ତା ତା’ ମନରେ ଉଦୟ ହେବାକୁ ଲାଗିଲା । ହାବଡ଼ା ବିଶ୍ରାମାଗାରରେ କିଏ ସେ ରହସ୍ୟମୟୀ ତରୁଣୀ ! ପୁରନ୍ଦର ବାବୁଙ୍କ ଘରଭିତରେ ମୃତ୍ୟୁ ଲୁଚି ରହିଛି ବୋଲି ସେ କ’ଣ ବୁଝେଇବାକୁ ଚାହିଁଥିଲା । ଜୟନ୍ତ କିଛି ବୁଝି ପାରିଲା ନାହିଁ । ତା’ ନାଁ’ରେ ବ୍ୟାଙ୍କରେ ଗଚ୍ଛିତ ଥିବା ଲଫାପାଟି କଥା ତା’ର ହଠାତ୍ ମନେ ପଡ଼ିଲା । ପକେଟରୁ ଲଫାପାଟି ବାହାର କରି ଅତି ଯତ୍ନରେ ସେ ତା’ର ଜଉମୁଦ ଖୋଲି ଦେଲା । ତା’ପରେ ଲଫାପାଟି ଚିରି ତା’ ଭିତରୁ ଖଣ୍ଡିଏ କାଗଜ ବାହାର କଲା । କାଗଜଟି ଉପରେ ଇଂରାଜୀରେ କେତେଗୁଡିଏ ଅକ୍ଷର ଲେଖା ହୋଇଛି । କିନ୍ତୁ ଯେପରି ଅସଂଲଗ୍ନ ସେହିପରି ଅର୍ଥ ହୀନ । ଅକ୍ଷର ଗୁଡ଼ିକ ନିମ୍ନ ପ୍ରକାରେ ସଜା ହୋଇ ଲେଖା ହୋଇଛି–

 

PIECPXP GPDE ATWWLC ZQ EZA QWZZC.

 

ଏପରି ବିଚିତ୍ର ଅର୍ଥହୀନ ଲେଖାରୁ ଜୟନ୍ତ କିଛି ବୁଝିପାରିଲା ନାହିଁ । ଭବିଷ୍ୟତରେ ଅନ୍ୟ କାହାକୁ ପଚାରି ସେ ଲେଖାର ଅର୍ଥ ବୁଝିବାକୁ ଚେଷ୍ଟା କରିବ ବୋଲି ସ୍ଥିର କରି ଉପରୋକ୍ତ ଲିପି ଗୁଡ଼ିକ ନିଜର ନୋଟ ବହିରେ ଟିପି ରଖି ଚିଠି ଖଣ୍ଡିକ ଲଫାପା ସହିତ ପୁଣି ନିଜ ପକେଟରେ ରଖିଦେଲା ।

 

ତା’ ପରେ ଓକିଲ ଅଶୋକ ବାବୁ ଦେଇଥିବା ପୁରନ୍ଦର କାନନଗୋଙ୍କର ଚିଠି ଖଣ୍ଡି କଥା ତା’ର ମନେ ପଡ଼ିଲା । ତା’ ଭିତରେ ମଧ୍ୟ ଏହିପରି କେତେକ ଅର୍ଥହୀନ ଲିପି ଥିବ ବୋଲି ସେ ଭାବିଥିଲା । କିନ୍ତୁ ଖୋଲି ସେ ତା ଭିତରୁ ଗୋଟିଏ ସାଧାରଣ ଓ ବୋଧଗମ୍ୟ ଚିଠି ପାଇଲା ।

 

କଲ୍ୟାଣୀୟ ଜୟନ୍ତ !

 

ମୋର ମୃତ୍ୟୁ ପରେ ଏ ପତ୍ର ତୁମର ହସ୍ତଗତ ହେବ, ଓକିଲ ଅଶୋକ ମହାପାତ୍ରଙ୍କୁ ଏହାହିଁ ମୋର ନିର୍ଦ୍ଦେଶ । ମୋର ମୃତ୍ୟୁର କାରଣ ଅନୁସନ୍ଧାନ କରିବାକୁ ଚେଷ୍ଟା କରନାହିଁ । ସେଥିରେ ତୁମର ଅମଙ୍ଗଳର ଆଶଙ୍କା ରହିଛି । ମୋର ବିପୁଳ ସମ୍ପତ୍ତି ମୁଁ ତୁମକୁ କାହିଁକି ଦେଇ ଯାଉଛି, ସେ ପ୍ରଶ୍ନ ତୁମ ମନରେ ଉଦୟ ହେବା ସମ୍ପୂର୍ଣ୍ଣ ସ୍ଵାଭାବିକ । ସେ ପ୍ରଶ୍ନ ସଠିକ୍‍ ଉତ୍ତର ମୁଁ ନିଜେ ହୁଏତ ଦେଇ ପାରିବି ନାହିଁ । ମୁଁ ତୁମକୁ କେତେଥର ମାତ୍ର ଦେଖିଛି । ସେତିକିରେ ତୁମେ ମୋ ହୃଦୟରେ ରେଖାପାତ କରି ପାରିଛ । ତୁମରିପରି ଗୋଟିଏ ଦୁର୍ଦ୍ଧର୍ଷ ଓ ଦୁଃସାହସୀ ସନ୍ତାନ ହୁଏତ ମୋର ଅବଚେତନ ମନରେ ମୁଁ କାମନା କରିଥିଲି । ତାହାହିଁ ବୋଧହୁଏ ମୋର ବିପୁଳ ସମ୍ପତ୍ତିର ଉତ୍ତରାଧିକାରୀ ଭାବରେ ତୁମକୁ ବାଛିବାର କାରଣ ।

 

ଏ ସମ୍ପତ୍ତି ସତ୍‌ପଥରେ ମୁଁ ରୋଜଗାର କରିନାହିଁ । ପୃଥିବୀରେ କୌଣସି ବିରାଟ ସମ୍ପଦ କେହି ସତ୍‌ପଥରେ ଉପାର୍ଜନ କରି ନାହାନ୍ତି । ତୁମର ପିତୃ ପୁରୁଷ କରିଥିବା ଜମିଦାରୀ ମଧ୍ୟ ମହତ୍ ପନ୍ଥାରେ ଉପାର୍ଜିତ ନୁହେଁ । ଏ ବିଷୟରେ ଭାବପ୍ରବଣ ହେବା ଅନୁଚିତ । ଭାବପ୍ରବଣ ବ୍ୟକ୍ତି ନିକଟରେ ଲକ୍ଷ୍ମୀ ରହନ୍ତି ନାହିଁ ।

 

ସୁନାମଣୀକୁ ସାମାନ୍ୟ ପରିଚାରିକା ଜ୍ଞାନ କରିବ ନାହିଁ । ସେ ବର୍ତ୍ତମାନ ଯେଉଁ ସ୍ଥାନରେ ଅଛି, ଇଚ୍ଛାକଲେ ଆଜୀବନ ସେହି ସ୍ଥାନରେ ରହିବ, ଏହାହିଁ ମୋର ନିର୍ଦ୍ଦେଶ । ତୁମେ ଦୀର୍ଘାୟୁ ଓ ସୁଖୀ ହୁଅ, ଏହାହିଁ ମୋର କାମନା । ଇତି ।

 

ଅତି ସାଦାସିଧା ଖଣ୍ଡିଏ ଚିଠି । ଜୟନ୍ତ ସେ ଚିଠି ଖଣ୍ଡିକ ମଧ୍ୟ ପକେଟରେ ରଖିଦେଇ ଖଟ ଉପରେ କିଛିକ୍ଷଣ ଗଡ଼ିବାକୁ ଲାଗିଲା । ଅପରାହ୍ନ ତିନିଟା ବେଳକୁ ନିଜର ଜିନିଷପତ୍ର ସଜାଡ଼ି ଓ ହୋଟେଲର ବିଲ୍‌ ମିଟାଇ ଦେଇ ସେ ଷ୍ଟେସନ ରୋଡ଼ରେ ଅବସ୍ଥିତ ପୁରନ୍ଦର ବାବୁଙ୍କ ଅଟ୍ଟାଳିକାକୁ ବାହାରିଲା ।

 

ଟ୍ୟାକ୍‌ସିଟା ଘରର ଲୁହା ଗେଟ୍ ସାମନାରେ ପହଞ୍ଚିଲା ମାତ୍ରେ ଗୋଟିଏ ଉର୍ଦ୍ଦିପିନ୍ଧା ଦରୁଆନ ଟ୍ୟାକ୍‌ସିର ଦୁଆର ଖୋଲି ସଲାମ କରି ଠିଆ ହେଲା । –ମୁଁ ଏ ଘରର ଦରୁଆନ ହଜୁର । ବଡ଼ ସାହେବଙ୍କ ସମୟରୁ ମୁଁ ଏଠାରେ ଅଛି । ମୋ’ ନା ବସିର ଖାଁ । ମୁଁ ଫଉଜ୍‌ରେ ହାବିଲଦାର ଥିଲି ।

 

ଜୟନ୍ତ ଦେଖିଲା–ପୁରୁଣା ଖାକି କୋଟର ଛାତିରେ ବସିର ବହୁତ ଗୁଡ଼ିଏ ପଦକ ଝୁଲାଇଛି । ଟ୍ୟାକ୍‌ସିରୁ ଜିନିଷପତ୍ର ଓହ୍ଳାଇ ବସିର ବୋହିନେଲା । ବିଶାଳ ଗୋଟାଏ ଦି ମହଲା କୋଠା ଘର । ଚାରିପଟେ ବିସ୍ତୀର୍ଣ୍ଣ କମ୍ପାଉଣ୍ଡ । ବଡ଼ ବଡ଼ ଗଛ ଓ ବଣ ଜଙ୍ଗଲରେ ଭରି ରହିଛି । ପୁରନ୍ଦର ବାବୁ ଅବିବାହିତ ଥିଲେ । ଜଣେ ମାତ୍ର ଲୋକ ବାସ କରିବା ପାଇଁ ଏତେବଡ଼ ଗୋଟାଏ ଅଟ୍ଟାଳିକାର ଯେ କ’ଣ ପ୍ରୟୋଜନ ଥିଲା ସେକଥା ଜୟନ୍ତ ବୁଝି ପାରିଲା ନାହିଁ ।

 

ଓକିଲ ଅଶୋକ ମହାପାତ୍ରଙ୍କର ସବୁ ବନ୍ଦୋବସ୍ତରେ ଅତି ଅଳ୍ପ କାଳ ଭିତରେ ଏତେବଡ଼ ଘରଟା ସଫା ସୁତୁରା ହୋଇଛି । ଦରୁଆନ ହସିର ଖାଁକୁ ଛାଡ଼ିଦେଲେ ଆଉ ଗୋଟିଏ ମାତ୍ର ମଧ୍ୟ ବୟସ୍କ ଭୃତ୍ୟ ଅଛି । ନାମ ମଧୁସୂଦନ । ପୁରନ୍ଦର ବାବୁ ବଞ୍ଚିଥିବା ବେଳେ ଆହୁରି କେତେଜଣ ଭୃତ୍ୟ ଥିଲେ । କିନ୍ତୁ ଏତେଗୁଡ଼ିଏ ବ୍ୟକ୍ତିକୁ ବେତନ ଦେଇ ଅକାରଣ ପୋଷିବାଟା ନିଷ୍ପ୍ରୟୋଜନ ମନେ କରି ସେମାନଙ୍କୁ ଅଶୋକ ବାବୁ ବିଦାୟ ଦେଇଛନ୍ତି ।

 

ଭୃତ୍ୟ ମଧୁ ଜୟନ୍ତକୁ ଉପର ମହଲାରେ ଅବସ୍ଥିତ ତା’ର ଶୋଇବା ଘରକୁ ନେଇଗଲା । ଅତି ପ୍ରଶସ୍ତ ଓ ସୁସଜ୍ଜିତ କୋଠରୀ । ବଡ଼ ଗେଟାଏ ଆଧୁନିକ ଓ ମୂଲ୍ୟବାନ ପଲଙ୍କ ଉପରେ ଶୁଭ୍ର ଓ କୋମଳ ବିଛଣା ପରା ହୋଇଛି । ଚଟାଣରେ ମୂଲ୍ୟବାନ କାର୍ପେଟ ଓ କାନ୍ଥରେ କେତେଖଣ୍ଡି ଲ୍ୟାଣ୍ଡ ସ୍କେପ୍ ।

 

ଜୟନ୍ତ ସବୁ କୋଠରୀ ଗୁଡ଼ିକ ବୁଲି ବୁଲି ଦେଖିବାକୁ ଲାଗିଲା । ଚାରି ଆଡ଼ ଭୟାବହ ଭାବରେ ନିର୍ଜନ । ପ୍ରକାଣ୍ଡ ଘରଟା କିପରି ପ୍ରେତପୁରୀ ପରି ମନେ ହେଉଛି । ତଳ ଓ ଉପର ମହଲାରେ ଅସଂଖ୍ୟ କୋଠରୀ । ସବୁ କୋଠରୀର କିଛି କିଛି ଆସବାବ ପତ୍ର ସଜା ହୋଇ ରଖା ହୋଇଛି । ବୁଲୁ ବୁଲୁ ଦି ମହଲାର ଗୋଟିଏ କୋଠରୀ ତାଲା ବନ୍ଦ ଥିବାର ଦେଖିଲା । ମଧୁ କହିଲା–ହଜୁର ଏଇ କୋଠରୀଟି ବଡ଼ବାବୁଙ୍କର ଶୋଇବା ଘରଥିଲା ଏଇ ଘରେ ତାଙ୍କର କାଳ ହେଇ ଯାଇଥିଲା । କାର୍ପେଟ ଉପରେ ଏବେ ବି ରକ୍ତ ଲାଗିଛି । ସେଥି ଯୋଗୁ ଆପଣଙ୍କ ଶୋଇବା ବ୍ୟବସ୍ଥା ସେ କୋଠରୀରେ କରିଛି ।

 

–ତୁମେ ଖୁବ ଠିକ୍ କରିଛ ମଧୁ । ମୁଁ ମଧ୍ୟ ଏ ଘରେ ଶୋଇ ନଥା’ନ୍ତି । ତୁମେ ଏ ଘରର ଚାବିଟା ଖୋଲି ଦିଅ । ମୁଁ କେବଳ ଘର ଭିତରଟା ଦେଖିବାକୁ ଚାହେଁ ।

 

ମଧୁ ଚାବି ଖୋଲି ଦୁଆର ମେଲାଇ ଦେଲା । ଖୁବ ବଡ଼ କୋଠରୀଟା, ଅନ୍ଧାର ହୋଇଗଲାଣି । ସୁଇଚ ଚିପି ମଧୁ ଆଲୁଅ ଜଳାଇ ଦେଲା । ଉଚ୍ଚ ଶକ୍ତିର ବିଜୁଳି ଆଲୁଅରେ ଘରଟା ଉଦ୍‌ଭାସିତ ହୋଇ ଉଠିଲା । ଘର ଭିତରେ ଖଣ୍ଡିଏ ମୂଲ୍ୟବାନ ପଲଙ୍କ ପଡ଼ିଛି । କେତେଖଣ୍ଡି ଟେବୁଲ, ଚୌକି ଓ ବଡ଼ ଗୋଟିଏ ବୁକ୍‌କେସ । ଚଟାଣରେ କାର୍ପେଟ ବିଛା ହୋଇଛି । ଗୋଟିଏ ସ୍ଥାନରେ ପ୍ରକୃତରେ କଳାରକ୍ତ ଲାଗିଛି । କାନ୍ଥରେ କେତେଖଣ୍ଡି ତୈଳ ଚିତ୍ର । ଗୋଟିଏ ପୁରନ୍ଦର କାନନଗୋଙ୍କର । ବିଶାଳ ଓ ପ୍ରାଣବନ୍ତ ପୁରୁଷ । ମହାବଳ ବାଘ ପରି ଆଖିର ଚାହାଁଣୀ । ପ୍ରଶସ୍ତ ବକ୍ଷ ଓ ଲଲାଟ । ଶିକାରୀ ପରି ବଡ଼ ବଡ଼ ଦୁଇଟା ନିଶ । ଜୟନ୍ତ ବହୁକ୍ଷଣ ପର୍ଯ୍ୟନ୍ତ ଚିତ୍ରପଟଟିକୁ ଏକ ଧ୍ୟାନରେ ଚାହିଁ ରହିଲା ।

 

କାନ୍ଥର ଆର ପଟେ ଆଉ ଖଣ୍ଡିଏ ତୈଳ ଚିତ୍ର ଝୁଲୁଛି । ଜୟନ୍ତ ସେଠାକୁ ଯାଇ ଚିତ୍ରପଟଟିକୁ ଚାହିଁଲା । କିନ୍ତୁ ଚିତ୍ରଟିକୁ ଦେଖିବା ମାତ୍ରେ ସେ ଚମକି ଉଠିଲା । ଅସ୍ଫୁଟ ଚିତ୍କାର କରି ଉଠିଲା । ଚିତ୍ରଟି ପୁରନ୍ଦର ବାବୁଙ୍କର ପାଳିତା କନ୍ୟା ମୃତ କଳାବତୀର । କିନ୍ତୁ ଆଶ୍ଚର୍ଯ୍ୟ କଥା–ଏଇ ତରୁଣୀଟିକୁ ସେ ହାବଡ଼ା ବିଶ୍ରାମାଗାରରେ ଦେଖିଥିଲା । ଏଥିରେ ତିଳେ ମାତ୍ରେ ସନ୍ଦେହ ନାହିଁ । ଏଇ ରୂପସୀ ତରୁଣୀ ଖଣ୍ଡିଏ କ୍ଷୁଦ୍ର ଲିପି ଦ୍ଵାରା ଜୟନ୍ତକୁ ସାବଧାନ କରିଦେଇଥିଲା ଯେ ପୁରନ୍ଦର ବାବୁଙ୍କ ଘରକୁ ରହିବାକୁ ଯାଅ ନାହିଁ , ସେଠାରେ ମୃତ୍ୟୁ ଲୁଚି ରହିଛି ।

 

ଛବିଟିର ତଳ ଦେଶରେ କଳାବତୀର ନାମ ଓ ମୃତ୍ୟୁ ତାରିଖ ମଧ୍ୟ ଲେଖା ହୋଇଛି । ଅଥଚ ଏଇ ତରୁଣୀଟିକୁ ଜୟନ୍ତ ସମ୍ପୂର୍ଣ୍ଣ ଜୀବୀତାବସ୍ଥାରେ ହାବଡ଼ା ବିଶ୍ରାମାଗାରରେ ଦେଖିଥିଲା ! ଘଟଣାଟି ଯେପରି ରହସ୍ୟମୟ, ସେହିପରି ଭୟାବହ ।

 

ଛବିଟି ନିକଟରେ ଜୟନ୍ତ ବହୁକ୍ଷଣ ପର୍ଯ୍ୟନ୍ତ ଠିଆ ହୋଇଛି ଦେଖି ମଧୁସୁଦନ କହିଲା–ଏ’ ହେଉଛନ୍ତି ବାବୁଙ୍କର ଝଅ । ନିମୁନିଆ ଜରରେ ସେ ଏଇ ଘରେ ମଲେ । ବଡ଼ ବାବୁ କେତେ ଡାକ୍ତର ଆଣିଲେ । କେତେ ଚିକିତ୍ସା ହେଲା । ହେଲେ କିଛି ଫଳ ହେଲା ନାହିଁ । ବଗିଚା ଭିତରେ ତାଙ୍କର ସମାଧି ହୋଇଛି ।

 

ଜୟନ୍ତ କିଛି କହିଲା ନାହିଁ । ଘରଟିର କବାଟ ବନ୍ଦ କରି ନିଜ କୋଠରୀକୁ ଫେରି ଆସିଲା । ଗୋଟାଏ ପ୍ରଚଣ୍ଡ ଭୌତିକ ଘଟଣା ଭିତରେ ସେ ଯେପରି ପଡ଼ିଛି । ଏ ଘରଟାରେ କିଛି ଯେପରି ସତ୍ୟ ନୁହେଁ । ଏ ଘରଦ୍ଵାର, ମଧୁସୂଦନ, ବସିର–ସମସ୍ତେ ଯେପରି ଭୌତିକ ମାୟା । ସବୁ ଯେପରି ଅସତ୍ୟ ।

 

ସେଦିନ ରାତିରେ ସେ ଖାଇସାରି ଶୋଇବାକୁ ଚେଷ୍ଟା କଲା । କିନ୍ତୁ ଆଦୌ ନିଦ ହେଲାନାହିଁ । ଗଭୀର ରାତିରେ ଜନହୀନ ଅଟ୍ଟାଳିକାଟି ଯେପରି ମୁଖର ହୋଇ ଉଠିଲା । ଘରଟାର କେଉଁ କନ୍ଦିରେ ଯାଇ ମଧୁ ଶୋଇ ପଡ଼ିଛି । ଦରୁଆନ ବସିର ଖାଁ ଗେଟ୍ ନିକଟରେ ଥିବା ତାଲା ଖୋଲି ଭିତରେ ହୁଏତ ଗଭୀର ନିଦ୍ରା ମଗ୍ନ । ଏତେବଡ଼ ବିରାଟ ଏଇ ପ୍ରେତ ପୁରୀରେ ଏକା ଜୟନ୍ତ ପଡ଼ି ରହିଛି । ପାଖ କୋଠରୀରେ କ’ଣ ଗୋଟାଏ ଶବ୍ଦ ହେଉଛି । ଠକ୍ ଠକ୍ ଠକ୍ ଠକ୍ । ହୁଏତ ଜୋତା ପିନ୍ଧି କେହି ଚଲାବୁଲା କରୁଛି । ବାହାର ବରନ୍ଦାରେ ମଧ୍ୟ କ’ଣ ଗୋଟାଏ ଶବ୍ଦ ଶୁଣା ଯାଉଛି । କେହି ଯେପରି ଘୁଙ୍ଗୁଡ଼ି ମାରୁଛି । ଜୟନ୍ତ ଅତିଶୟ ସାହସୀ ଯୁବକ । ସ୍ନାୟୁ ମଣ୍ଡଳ ତା’ର ଇସ୍ପାତ ପରି ଶକ୍ତ । ବାକ୍‌ସ ଭିତରୁ ରିଭଲଭର୍ ବାହାର କରି, ସେ ଲୋଡ୍ କଲା ! ତା’ପରେ ଗୋଟିଏ ହାତରେ ଟର୍ଚ୍ଚ ଓ ଅନ୍ୟ ହାତରେ ରିଭଲଭର ବାଗେଇ ଧରି ସେ ହଠାତ୍ ଦୁଆର ଖୋଲି ବାହାରି ପଡ଼ିଲା ।

 

ଦୀର୍ଘ ବରନ୍ଦାର ଶେଷ ଭାଗରେ ଯେପରି ଗୋଟିଏ ମଣିଷ ଛିଡ଼ା ହୋଇଛି । ଟର୍ଚ୍ଚ ନ ଜଳାଇ ବରନ୍ଦାରେ ଥିବା ବିଜୁଳି ବତୀର ସୁଇଚଟା ସେ ଚିପି ଦେଲା । ମୁହୁର୍ତ୍ତକ ଭିତରେ ଦାର୍ଘ ବରନ୍ଦାର ବିଭିନ୍ନ ସ୍ଥାନରେ ତିନିଟା ଉଚ୍ଚ ଶକ୍ତିର ଆଲୁଅ ଜଳି ଉଠିଲା । କ୍ଷଣକ ପାଇଁ ହେଲେ ମଧ୍ୟ ଅତି ନିର୍ଭୁଲ ଭାବରେ ସେ ଯାହା ଦେଖିଲା, ସେଥିରେ ଜୟନ୍ତ ପରି ସାହସୀ ବ୍ୟକ୍ତି ମଧ୍ୟ ଭୟରେ କମ୍ପିବାକୁ ଲାଗିଲା ।

 

ସେଇ ତରୁଣୀଟି ନିଶ୍ଚଳ ଭାବରେ ଛିଡ଼ା ହୋଇଛି । ପୁରନ୍ଦର ବାବୁଙ୍କର ପାଳିତା କନ୍ୟା–ବହୁ ଦିନରୁ ମୃତ୍ୟୁ କଳାବତୀ ସେଠାରେ ଛିଡ଼ା ହୋଇଛି । ଏଇ ତରୁଣୀଟିକୁ ଠିକ୍ ଏଇ ରୂପରେ ସେ ହାବଡା ଷ୍ଟେସନରେ ମଧ୍ୟ ଦେଖିଥିଲା । ଜୟନ୍ତ ରିଭଲଭର ଲକ୍ଷ୍ୟ କରି ଚିତ୍କାର କରିବାକୁ ଚେଷ୍ଟା କଲା । କିନ୍ତୁ ତା’ ମୁହଁରୁ କଥା ବାହାରିଲା ନାହିଁ । ସର୍ବାଙ୍ଗ କେବଳ ଥରିବାକୁ ଲାଗିଲା ।

 

କିନ୍ତୁ ମୁହୁର୍ତ୍ତକ ଭିତରେ ସେ ମୂର୍ତ୍ତିଟି ଯେପରି ପବନରେ ମିଶି ଗଲା । ଜୟନ୍ତ ତଳ ବଗିଚାକୁ ଚାହିଁ ଦେଖିଲା । ସେ ଜଙ୍ଗଲ ଭିତରେ ଏକ ଅତି ଅଭୂତ ବସ୍ତୁ ତା’ର ଦୃଷ୍ଟି ଆକର୍ଷଣ କଲା-। ମାଙ୍କଡ଼ ପରି ଗୋଟାଏ କଳା ଜନ୍ତୁ ଜଙ୍ଗଲ ଭିତରେ ଡେଇଁ ଡେଇଁ ପଳାଉଛି । ତା’ର ସର୍ବାଙ୍ଗରେ ଯେପର ନିଆଁ ଜଳୁଛି । ଅନ୍ଧାର ଭିତରେ ଚକ ଚକ ଦେଖା ଯାଉଛି । ଅବଶେଷରେ ସେ ଅଭୂତ ଜନ୍ତୁଟା ଜଙ୍ଗଲ ଭିତରେ ମିଳାଇ ଗଲା ।

 

ବଜ୍ରାହତ ପରି ଜୟନ୍ତ ସେଇ ସ୍ଥାନରେ ବହୁକ୍ଷଣ ଛିଡ଼ା ହୋଇ ରହିଲା । ତା’ପରେ ସେ କିପରି ଭାବରେ ଘର ଭିତରକୁ ଆସିଛି–କେତେବେଳେ ବା ରାତି ପାହି ଯାଇଛି, ତାହା ଜୟନ୍ତ ଆଦୌ ଜାଣି ପାରିଲା ନାହିଁ । ମଧୁସୁଦନ ଯେତେବେଳେ ଚା’ନେଇ ଘର ଭିତରେ ପଶିଲା, ସେତେବେଳେ ଜୟନ୍ତର ଚୈତନ୍ୟ ଫେରି ଆସିଲା ।

 

–ଦୁଇ–

 

ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଅପରାଧତତ୍ତ୍ଵବିଦ୍ ଡକ୍ଟର ସିଦ୍ଧାର୍ଥ ଦାସ ବର୍ତ୍ତମାନ ଏକ ଅଦ୍ଭୁତ ଗବେଷଣାରେ ବ୍ୟସ୍ତ ଅଛନ୍ତି । ବିଚିତ୍ର ତାଙ୍କର ଜୀବନ । ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଶିକ୍ଷା ଶେଷକରି ଅପରାଧ ତତ୍ତ୍ଵ ସମ୍ବନ୍ଧରେ ଇଂଲଣ୍ଡ, ଆମେରିକା ଓ ଜର୍ମାନୀରେ ବହୁକାଳ ଗବେଷଣା କଲେ । ତା’ ପରେ ସ୍ଵଦେଶକୁ ଫେରି ଆସି ସେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ “ଟ୍ରପିକେଲ୍ କ୍ରାଇମ୍” ବଷୟରେ ଦୀର୍ଘକାଳ ଧରି ଗବେଷଣା କଲେ । ଇଚ୍ଛା କରିଥିଲେ ସେ ଉଚ୍ଚ ବେତନର ସର୍କାରୀ ଚାକିରୀ ପାଇ ପାରିଥା’ନ୍ତେ । କିନ୍ତୁ ତା’ ନକରି ସେ ସ୍ଵାଧୀନ ଭାବରେ ଗୋଟିଏ “ତଦନ୍ତ ସଂସ୍ଥା” ଗଢ଼ି କଟକରେ ରହିଲେ ।

ଅତି ଅଦ୍ଭୁତ ତାଙ୍କର ପ୍ରତିଭା ଓ ତଦନ୍ତ ପ୍ରଣାଳୀ । ତାଙ୍କୁ ଅପରାଧ ଜଗତର ଯାଦୁକର ବୋଲି କୁହାଯାଏ । ଶୀର୍ଣ୍ଣକାୟ ହେଲେ ମଧ୍ୟ ଦେହରେ ତାଙ୍କର ଅସୁର ପରି ଶକ୍ତି । ଜାପାନରେ ଦୀର୍ଘକାଳ ରହି ଯୁଯୁତ୍ସୁ ଶିକ୍ଷା କରିଥିଲେ । ଦୁର୍ଦ୍ଧର୍ଷ ଶତ୍ରୁ ସହିତ ଯୁଦ୍ଧକରିବା ବେଳେ କୌଣସି ଅସ୍ତ୍ର ଶସ୍ତ୍ର ଅପେକ୍ଷା ସେ ନିଜର ବାହୁବଳ ଉପରେ ଅଧିକ ବିଶ୍ଵାସ କରନ୍ତି ।

ସତୀଚଉରାର ଅଦୂରରେ ତାଙ୍କର ନିଜସ୍ଵ ଦି’ମହଲା ଘରଟି ଗୋଟିଏ ଚିଡ଼ିଆଖାନା ପରି-। ପୃଥିବୀର ବହୁ ଦେଶରୁ ଆଣି ବହୁ ବିଚିତ୍ର ଜୀବଜନ୍ତୁ ସେ ପୋଷି ରଖିଛନ୍ତି । ଆମେଜନ୍ ଉପତ୍ୟକାରେ ଥିବା ଧଳା ରଙ୍ଗର ଅତିକାୟ ଗୋଧି ସାପ, ଇମ୍ପାଲ ଜଙ୍ଗଲର ଗୁଣ୍ଡୁଚି ମୂଷା, ଉତ୍ତର ମେରୁର ଧଳା କଇଁଛ, ତିବ୍ଦତର କଳା ରଙ୍ଗର ମାଙ୍କଡ଼, ବ୍ରହ୍ମଦେଶର ଧଳାରଙ୍ଗର ପେଚା ପ୍ରଭୃତି ବହୁ ବିଚିତ୍ର ଜୀବଜନ୍ତୁ ଡକ୍ଟର ସିଦ୍ଧାର୍ଥ ଦାସଙ୍କ ଘରେ ପୋଷା ହୋଇ ରହିଛନ୍ତି । ସେ ଅବିବାହିତ । ଏ ସଂସାରରେ ତାଙ୍କର ଏକାନ୍ତ ନିଜର ବୋଲି କେହି ନାହିଁ । ତାଙ୍କର ପୋଷ୍ୟ ବିଚିତ୍ର ଜୀବଜନ୍ତୁ ମାନଙ୍କ ପରି କେତୋଟି ବିଚିତ୍ର ଭୃତ୍ୟ ମଧ୍ୟ ଅଛନ୍ତି । ସେମାନେ ଯେପରି ସାହସୀ ଓ ବଳବାନ–ସିଦ୍ଧାର୍ଥ ଦାସଙ୍କର ସେହିପରି ବିଶ୍ୱାସୀ ଓ ଅନୁଗତ । ଭାରତ–ବର୍ଷର ବିଭିନ୍ନ ପ୍ରାନ୍ତ, ନେପାଳ ଓ ବ୍ରହ୍ମଦେଶରୁ ସେ ଏଇ ନରଦାନବ ଗୁଡ଼ିକୁ ଆଣି ପୋଷି ରଖିଛନ୍ତି ।

ସ୍ଵାଧୀନ ଭାବରେ ତଦନ୍ତ କରି ସେ ପ୍ରଚୁର ଅର୍ଥ ରୋଜଗାର କରୁଥିଲେ ମଧ୍ୟ ବହୁ ସମୟରେ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅନୁରୋଧରେ ବଡ଼ ବଡ଼ ମାମଲାର ତଦନ୍ତ ପାଇଁ ସେ ବିଶେଷ ନିଯୁକ୍ତି (Special assignment) ଗ୍ରହଣ କରନ୍ତି । ଅବଶ୍ୟ ସେଥିପାଇଁ ସେ ଯଥେଷ୍ଟ ପାରିଶ୍ରମିକ ଲାଭ କରିଥା’ନ୍ତି ।

ଡକ୍ଟର ଦାସ ବର୍ତ୍ତମାନ ଏକ ବିଚିତ୍ର ଗବେଷଣାରେ ବ୍ୟସ୍ତ ଅଛନ୍ତି । ପୃଥିବୀର ବିଭିନ୍ନ ସ୍ଥାନରୁ ବହୁ ଅର୍ଥ ବିନିମୟରେ ସେ କେତେଗୁଡ଼ିଏ ଉତ୍କଟ ବିଷଧର ସର୍ପ ଆଣି ବଡ଼ ବଡ଼ କାଚ ଜାର୍‌ରେ ପୋଷି ରଖିଛନ୍ତି । ସେଇ ବିଷଧର ମାନଙ୍କ ଉପରେ ସେ ଏକ ଅଦ୍ଭୁତ ଗବେଷଣା ଚଳାଇଛନ୍ତି ।

ସେଦିନ ସକାଳେ ହଠାତ୍ ବିକ୍ରମ ଆସି ପହଞ୍ଚିଲା । ବିକ୍ରମ ସାମନ୍ତରାୟ ଜଣେ ପ୍ରିୟ ଦର୍ଶନ ଯୁବକ ଓ ହାଇକୋର୍ଟର ଜଣେ ଉଦୀୟମାନ ବାରିଷ୍ଟର । ସେ ଧନୀର ସନ୍ତାନ । ଧନ ପାଇଁ ସେ ଆଇନ ବ୍ୟବସାୟ କରେ ନାହିଁ । ଡକ୍ଟର ସିଦ୍ଧାର୍ଥ ଦାସଙ୍କର ସେ ଜଣେ ପ୍ରଚଣ୍ଡ ଅନୁରାଗୀ । ବହୁ ଜଟୀଳ ମାମଲାର ତଦନ୍ତରେ ସେ ଡକ୍ଟର ଦାସଙ୍କୁ ସାହାଯ୍ୟ କରିଛି । ଆଇନ ବ୍ୟବସାୟୀ ଅପେକ୍ଷା ଜଣେ ସାହିତ୍ୟିକ ଭାବରେ ସେ ଅଧିକ ବିଖ୍ୟାତ । ସିଦ୍ଧାର୍ଥ ଦାସଙ୍କର ଅଦ୍ଭୁତ ଓ ଦୁଃସାହସିକ କାର୍ଯ୍ୟାବଳୀ ସେ ଲିପିବଦ୍ଧ କରି ପ୍ରକାଶ କରେ । ଡକ୍ଟର ଦାସ ମଧ୍ୟ ତାକୁ ଅତିଶୟ ସ୍ନେହ ଓ ବିଶ୍ୱାସ କରନ୍ତି ।

ବିକ୍ରମ ଘର ଭିତରକୁ ପଶି ଆସି ସ୍ତମ୍ଭିତ ହୋଇ ଛିଡ଼ା ହୋଇ ରହିଲା । ସିଦ୍ଧାର୍ଥ ଦାସଙ୍କ ଟେବୁଲ ଉପରେ ପାଞ୍ଚଟା ବଡ଼ ବଡ଼ କାଚର “ଜାର୍” ରଖା ହୋଇଛି । ପ୍ରତି “କାର୍” ଭିତରେ ଅତିଶୟ ଭୀଷଣ ଦର୍ଶନ ଗୋଟାଏ ଲେଖା ସାପ ରହିଛି । ଗୋଟିଏ କାର୍‌ର ଅତି ନିକଟରେ ମୁହଁରଖି ଡକ୍ଟର୍ ଦାସ ନିର୍ନିମେଷ ନୟନରେ ବିଷଧରଟାକୁ ଚାହିଁ ରହିଛନ୍ତି ।

ପଛପଟୁ ବିକ୍ରମ ଘରଭିତରେ ପଶିଥିଲା । ସିଦ୍ଧାର୍ଥ ଦାସ ତାକୁ ଦେଖି ପାରି ନାହାନ୍ତି । କିଛକ୍ଷଣ ପର୍ଯ୍ୟନ୍ତ ନୀରବରେ ବିକ୍ରମ ଛିଡ଼ା ହୋଇ ରହିଲା । ମୁହଁ ନ ଟେକି ଡକ୍ଟର ଦାସ କହିଲେ–ଆସ ବିକ୍ରମ, ସେଇ ଚୌକି ଉପରେ ବସ । କୌଣସି ଭୟ ନାହିଁ । ଏମାନେ କାଚ ଜାର୍ ଭିତରୁ ବାହାରି ଆସି ପାରିବେ ନାହିଁ ।

ବିଷଧର ଗୁଡ଼ାକଙ୍କ ନିକଟରୁ ଯଥେଷ୍ଟ ଦୂରତ୍ଵ ରକ୍ଷାକରି ବିକ୍ରମ ଖଣ୍ଡିଏ ଚୌକି ଉପରେ ବସୁ ବସୁ କହିଲା–କିନ୍ତୁ ସେ ମାରାତ୍ମକ ବିଷଧର ଗୁଡ଼ାକଙ୍କୁ ନେଇ ଆପଣ କ’ଣ କରୁଛନ୍ତି ସାର୍ ! ସେମାନେ ଯେ ଏଇ ସାମାନ୍ୟ କାଚ କାର୍ ଗୁଡ଼ିକ ଭିତରୁ ଆଦୌ ବାହାରି ଆସି ପାରିବେ ନାହିଁ, ସେପରି ଦୃଢ଼ ଗାରେଣ୍ଟି କିଏ ଦେଇ ପାରିବ !

ଡକ୍ଟର୍ ଦାସ ସାମାନ୍ୟ ହସି ବିକ୍ରମକୁ କିଛିକ୍ଷଣ ଚାହିଁ ରହିଲେ । ତା’ପରେ କହିଲେ–ଆସ ବିକ୍ରମ, ତୁମକୁ ସର୍ବଲୋକର ଏଇ ସମ୍ରାଟମାନଙ୍କ ସହିତ ପରିଚୟ କରାଇ ଦିଏ । ଏଇଟି ହେଉଛି “ଗୋଲଡ୍ କୋବ୍ରା” । ଦେଖ, ଏହାର ଦେହ କିପରି ସୁନାପରି ଝଟକୁଛି । ଏମାନେ ଖୁବ୍ ଲମ୍ବା ହୁଅନ୍ତି ନାହିଁ ! ସାରା ପୃଥିବୀରେ ଏ ଜାତୀୟ ସର୍ପ ପଚାଶ ବା ଷାଠିଏଟିରୁ ଅଧିକ ନାହାନ୍ତି । ମିଶରର ପିରାମିଡ୍ ତଳେ ଏମାନେ କବର ରକ୍ଷକ ଭାବରେ ବାସ କରନ୍ତି । ତୁମେ ଜାଣ ବହୁ ଶତାବ୍ଦୀ ଧରି ମିଶରର ସୁଲତାନମାନଙ୍କର ମୃତ ଦେହ ସୁବର୍ଣ୍ଣ ମଣ୍ଡିତ କଫିନ ଭିତରେ ରଖି କବର ଦିଆହୁଏ । ଯୁଗ ଯୁଗ ଧରି ସେଇ ସବୁ କବରର ସ୍ତୁପକୁ ପିରାମିଡ୍ କୁହାଯାଏ । କେବଳ ସୁବର୍ଣ୍ଣ ଖଚିତ କଫିନ ନୁହେଁ, ପ୍ରତି ମୃତ ଦେହ ସଙ୍ଗରେ ବହୁ ସୁନା ଓ ଜହରତ ସେଇ ସବୁ କଫିନ ଭିତରେ ରଖିଦିଆ ହୁଏ । ଏ ଜାତୀୟ ସର୍ପମାନେ ସେଇ ସବୁ କବର ଓ ସ୍ଵର୍ଣ୍ଣଭଣ୍ଡାରକୁ ପହରା ଦେଉଥା’ନ୍ତି । ସାରା ପୃଥିବୀରେ ଅନ୍ୟ କୌଣସି ସ୍ଥାନରେ ଏପରି ସୁନାରଙ୍ଗର ମହାସର୍ପ ଦେଖାଯା’ନ୍ତି ନାହିଁ । ଅତି ଉତ୍କଟ ଏମାନଙ୍କର ବିଷ ! ଅଣୁ ପରିମିତ ସେ ଗରଳ ଦେହରେ ଯେ କୌଣସି ସ୍ଥାନରେ ଲାଗିଲା ମାତ୍ରେ ମଣିଷର ମୃତ୍ୟୁ ହେବ । ସେ ଗରଳର ବୈଚିତ୍ର ହେଉଛି–ସେ ବିଷ ପ୍ରଭାବରେ କୌଣସି ଜୀବ ଯଦି ମରେ ତେବେ ମୃତ ଦେହଟା ପଚି ଯାଏନାହିଁ । ସମ୍ପୂର୍ଣ୍ଣ ଜଳ ଶୂନ୍ୟ ବା dehydrated ହୋଇ “ମମି” ହୋଇଯାଏ ।

ତା’ ପରେ ଏଇଟିକୁ ଦେଖ । ଏହାକୁ କହନ୍ତି ପଦ୍ମନାଗ ବା ମିଲ୍‌କ୍‌ କୋବ୍ରା । ଦୁଧପରି ଧଳା ଏହାର ରଙ୍ଗ | ଫଣା ଉପରେ ନୀଳ ରଙ୍ଗର ଗୋଟିଏ ପଦ ଫୁଲର ଚିତ୍ର ଅଛି । ଅତି ଉତ୍କଟ ଏହାର ବିଷ । ଏହାର ନିଃସ୍ଵାସରେ ମୃତ୍ୟୁ ଲୁଚି ରହିଛି ।

ଆଉ ଏଇଟିକୁ ଦେଖ । ଏହାକୁ କହନ୍ତି ଉଦୟ ନାଗ । ବ୍ରହ୍ମଦେଶର ଘୋର ଅରଣ୍ୟ ଭିତରେ ଏମାନେ ଗଛ କୋରଡ଼ ଭିତରେ ବାସ କରନ୍ତି । ଯେଉଁ ଗଛରେ ଏପରି ଗୋଟିଏ ବିଷଧର ବାସ କରେ ତା’ ବିଷ ଜ୍ଵାଳାରେ ସେ ଗଛଟ ମରି ଥୁଣ୍ଟ ହୋଇଯାଇ ଥାଏ । ପ୍ରତିଦିନ ସୂର୍ଯ୍ୟୋଦୟ ସମୟରେ ଏ ସର୍ବ ଗଛର ଶୀର୍ଷ ଦେଶକୁ ଯାଇ ଫଣା ଟେକି ସୂର୍ଯ୍ୟଙ୍କୁ ଚାହିଁରହେ । ସେଥିଯୋଗୁ ଏହାକୁ ଉଦୟ ନାଗ କୁହାଯାଏ ।

ତା’ ପରେ ଦେଖ ଏଇଟିକୁ, ଏଇଟି ହେଉଛି–ଆଫ୍ରିକାର ମହାରଣ୍ୟର ପ୍ରତିନିଧି, ଅତିଶୟ ଧୂର୍ତ୍ତ ଓ ହିଂସ୍ର ଏ ସାପ । ଏହାକୁ କହନ୍ତି ସ୍ପିଟିଙ୍ଗ୍ କୋବ୍ରା । ଛେପ ପକାଇବା ପରି ଦଶଫୁଟ ଦୂରକୁ ଏ ତା’ର ଉତ୍କଟ ବିଷକୁ ନିକ୍ଷେପ କରିପାରେ ।

ଆଉ ଇଏ କ’ଣ ଜାଣ । ଏହା ହେଉଛି, ଗ୍ରେଟ୍ ବ୍ରିଟେନର ସର୍ପକୁଳ ତିଳକ ଫ୍ଳାଇଂ ଭାଇପର୍ ବା ଉଡ଼ନ୍ତା ନାଗ । ଘୋର କୃଷ୍ଣବର୍ଣ୍ଣ ଏଇ ମହା ବିଷଧର ସର୍ପ ଡେଇଁ ଡେଇଁ ଚାଲେ । ଥରକେ ଦଶବାର ଫୁଟ ଡ଼େଇଁ ଥାଏ ।

–କିନ୍ତୁ ଏଇ ମୃତ୍ୟୁଦୂତ ଗୁଡ଼ିକୁ ଆପଣ ଆଣି ସାଇତି ରଖିଛନ୍ତି କାହିଁକି ? ବିକ୍ରମ ବିରକ୍ତ ଭରା କଣ୍ଠରେ ପଚାରିଲା ।

କିଛିକ୍ଷଣ ଏକଧ୍ୟାନରେ ବିଷଧର ମାନଙ୍କୁ ଚାହିଁ ରହି ଡକ୍‌ଟର୍ ଦାସ କହିଲେ–ମୁଁ ବର୍ତ୍ତମାନ ଯେଉଁ ଗବେଷଣାରେ ଲିପ୍ତ ଅଛି, ସେଥିରେ ଯଦି ମୁଁ କୃତକାର୍ଯ୍ୟ ହୋଇପାରେ ତା’ ହେଲେ ମାନବ ସମାଜର ଯେ କେତେ ବଡ଼ କଲ୍ୟାଣ ସାଧିତ ହେବ, ତାହା ତୁମେ ବୁଝି ପାରୁ ନାହଁ ବିକ୍ରମ । ମଣିଷ ମନରେ ଯେଉଁ ଚିରନ୍ତନ ଅପରାଧୀ ପ୍ରବଣତା ଲୁଚି ରହିଛି ତାହା ମଣିଷ ମସ୍ତିସ୍କରେ ଥିବା କେତେକ ବିଶେଷ ରକ୍ତ କୋଷ (blood cell) ଯୋଗୁଁ ହୋଇ ଥାଏ । ଅପରାଧ ପ୍ରବଣତା ମଣିଷ ମନର ଗୋଟିଏ ବ୍ୟାଧି ବିଶେଷ । ଏ ବ୍ୟାଧିର ଜୀବାଣୁ ସବୁ ମଣିଷ ଭିତରେ ରହିଛି । ସମସ୍ତେ ଅପରାଧ କରିଥାନ୍ତି । କେହିବା ପର୍ଦ୍ଦା ଆଢ଼ୁଆଳରେ ବା ଆଇନର ଗଣ୍ଡି ଭିତରେ ତାହା କରେ । ଆଉ କେହିବା ଖୋଲା ଖୋଲି ଭାବରେ କରେ । ତମେ ମୁଁ–ସମସ୍ତେ ଅପରାଧୀ । କିନ୍ତୁ ମୋର ଦୃଢ଼ ବିଶ୍ୱାସ ଯେ, ଅପରାଧ ପ୍ରବଣତା ଗୋଟିଏ ମାନସିକ ବ୍ୟାଧି ହେଲେ ମଧ୍ୟ ତା’ ଦୂରାରୋଗ୍ୟ ନୁହେଁ । ମାନବ ଜାତିକୁ ଏ କୁତ୍ସିତ ବ୍ୟାଧିରୁ ନିରାମୟ କରିବା ଆଦୌ ଅସମ୍ଭବ ନୁହେଁ । ଏଇ ବିଷଧର ମାନଙ୍କର ଗରଳକୁ ବିଷହୀନ (detoxicated) କରି ସେଥିରୁ ସିରମ ପ୍ରସ୍ତୁତ କରି କାହାରି ରକ୍ତରେ ମାତ୍ର ଦୁଇ ସି. ସି. ଇନଜେକ୍‌ଟ୍‌ କରିଦେଲେ ତା’ ମସ୍ତିଷ୍କରୁ ପ୍ରଶିରାରେ ଥିବା ସେଇ ରକ୍ତ କୋଷ ଗୁଡ଼ିକ ଚିରଦିନ ପାଇଁ ନଷ୍ଟ ହୋଇଯିବ । ଆଉ କୌଣସି ଅପରାଧ ସେ ଜୀବନ ସାରା କରିବ ନାହିଁ । କିନ୍ତୁ ବିକ୍ରମ ମୋର ମନେ ହେଉଛି ତଳ ମହଲାରେ କିଏ ଜଣେ ଆମ ସଙ୍ଗେ ଦେଖା କରିବା ପାଇଁ ବହୁକ୍ଷଣର ଅପେକ୍ଷା କରି ବସିଛି । ଏଇ ସାପଗୁଡ଼ିକ ମୁଁ ଏବେ ଲାବୋରେଟରୀରେ ରଖି ଦେଇ ଆସେ ।

ଜାର୍ ଗୁଡ଼ିକ ଟେକି ନେଇ ଡକ୍‌ଟର୍‌ ଦାସ ଭିତରେ ରଖିଦେଇ ଆସିଲେ । ତା’ପରେ ନିଜ ଚୌକିରେ ବସି କହିଲେ–ତୁମର କ’ଣ ଆଜି ଅଦାଲତରେ କୌଣସି ମାମଲା ନାହିଁ ।

 

ଏହା କହି ବିକ୍ରମର ଉତ୍ତରକୁ ଅପେକ୍ଷା ନ କରି ଡକ୍‌ଟର ଦାସ ଟେବୁଲ ସଂଲଗ୍ନ, ଇଲେକଟ୍ରିକ୍ ଘଣ୍ଟି ବଜାଇଲେ । ନେପାଳୀ ଭୃତ୍ୟ ବାହାଦୂର ଆସି ଉଦୟ ହେଲା । ତାକୁ ତିନି କପ ଚା ଆଣିବାକୁ ଆଦେଶ ଦେଇ ବିକ୍ରମ ଆଡ଼େ ଚାହିଁ କହିଲେ–ତୁମପାଇଁ ବ୍ରେକଫାଷ୍ଟ ଆଣିବାକୁ କହେ । ତୁମେ ନିଶ୍ଚୟ ସକାଳୁ କିଛି ଖାଇ ନାହଁ । ସକାଳ ସାତଟା ବେଳେ ଭୁବନେଶ୍ୱରକୁ ଯାଇଥିଲ–ବ୍ରେକ ଫାଷ୍ଟ ଖାଇବାର ନିଶ୍ଚୟ ଅବକାଶ ପାଇଁ ନାହଁ ।

 

ବିକ୍ରମ ଆଶ୍ଚର୍ଯ୍ୟ ହୋଇ କହି ଉଠିଲା–ଆପଣ ଜାଣିଲେ କିପରି ଡକ୍‌ଟର ଦାସ ? ଆଚ୍ଛା ମୁଁ କାହିଁକି ଭୁବନେଶ୍ଵର ଯାଇ ଥିଲି ଆପଣ କହି ପାରିବେ ?

 

ସାମାନ୍ୟ ଟିକିଏ ହସି ସିଦ୍ଧାର୍ଥ ଦାସ କହିଲେ ଅନାୟାସରେ ମୁଁ ତାହା କହି ପାରେ । କୌଣସି ବନ୍ଧୁଙ୍କୁ ସକାଳ ଆଠଟା ବେଳର ଦିଲ୍ଲୀ ଫ୍ଲାଇଟରେ ଛାଡ଼ି ଦେବାକୁ ଯାଇଥିଲ ।

 

ଏଥର ଆହୁରି ଆଶ୍ଚର୍ଯ୍ୟ ହୋଇ ବକ୍ରମ କହିଲା–କିନ୍ତୁ ଆପଣ ଏତେ କଥା ଏତେ ନିର୍ଭୁଲ ଭାବରେ ଜାଣିଲେ କିପରି ମୋତେ ଦୟାକରି କହନ୍ତୁ । ହେଲେ ଗୋଟିଏ କଥା ଆପଣଙ୍କର ଭୁଲ ହୋଇଛି । ଏରୋଡ୍ରମର କ୍ୟାଣ୍ଟିନରେ ମୁଁ ବ୍ରେକ୍ ଫାଷ୍ଟ ଖାଇଛି ।

 

–ଆରେ, ତୁମେ ଏପରି ଆଶ୍ଚର୍ଯ୍ୟ ହେଉଛ କାହିଁକି ? ଏରୋଡ୍ରମ୍ ଭିତରେ ପ୍ରବେଶ କରିବା ପାଇଁ ଯେଉଁ ଟିକଟର ପ୍ରୟୋଜନ ହୁଏ ସେ ଟିକଟ ଖଣ୍ଡିକ ଏ ପର୍ଯ୍ୟନ୍ତ ତୁମର ପକେଟରେ ଥିବାର ମୁଁ ଦେଖି ପାରୁଛି । ସକାଳ ଓଳି କେବଳ ଦିଲ୍ଲୀ ଫ୍ଲାଇଟ୍ ଛଡ଼ା ଦନି ଏଗାରଟା ପର୍ଯ୍ୟନ୍ତ ଆଉ କୌଣସି ଫ୍ଲାଇଟ୍ ନାହିଁ । ସୁତରାଂ ସବୁଗୁଡ଼ିକ ମିଶାଇ ଗୋଟିଏ ଡିଡକ୍‌ସନ୍ କରିବା ଆଦୌ କଷ୍ଟ ସାଧ୍ୟ ନୁହେଁ । କିନ୍ତୁ ତଳ ମହଲାରେ ଅପେକ୍ଷା କରିଥିବା ଉଦ୍ର ବ୍ୟକ୍ତିଟିକୁ ଏବେ ଭିତରକୁ ଡାକି ଆଣ ବିକ୍ରମ । ନିଶ୍ଚୟ ତାଙ୍କର କିଛି ଜରୁରୀ କଥା କହିବାର ଅଛି ।

 

ବିକ୍ରମ ବାହାରି ଗଲା ଓ କିଛିକ୍ଷଣ ପରେ ଗୋଟିଏ ପ୍ରିୟ ଦର୍ଶନ ଯୁବକକୁ ସଙ୍ଗରେ ନେଇ ଘର ଭିତରେ ପ୍ରବେଶ କଲା । ଯୁବକଟି ସିଦ୍ଧାର୍ଥ ଦାସଙ୍କୁ ନମସ୍କାର କରି କହିଲା ମୁଁ କୌଣସି ଜରୁରୀ କାମରେ ଆପଣଙ୍କ ନିକଟକୁ ଆସିଛି ସାର୍ !

 

ସାମାନ୍ୟ ଟିକିଏ ହସି ଡକ୍‌ଟର୍ ଦାସ କହିଲେ–ଆପଣ ସେଇ ଚୌକିରେ ବସନ୍ତୁ ଜୟନ୍ତ ବାବୁ । ଆପଣଙ୍କୁ ଦେଖି ମୁଁ ଜାଣି ପାରୁଛି କାଲି ସାରାରାତି ଆପଣ ଜଗି ରହିଛନ୍ତି । କୌଣସି ଭୟ ଓ ଦୁର୍ଭାବନା ଆପଣଙ୍କ ସ୍ନାୟୁ ମଣ୍ଡଳୀକୁ ଅତିଶୟ ଦୂର୍ବଳ କରି ପକାଇଛି ।

 

ଖଣ୍ଡିଏ ଚୌକିରେ ବସି ପଡ଼ି ଜୟନ୍ତ କହିଲା–ଆପଣ ଠିକ୍ ବୁଝି ପାରିଛନ୍ତି ସାର୍ । କୌଣସି ବିଶେଷ କାରଣରୁ କାଲି ରାତିସାରା ମୁଁ ଜଗି ରହିଛି । ସେଇ କଥା ମୁଁ ଆପଣଙ୍କୁ କହିବାକୁ ଆସିଛି । କିନ୍ତୁ ଆପଣ ମୋ’ର (….)’ରେ କିପରି ଜାଣି ପାରିଲେ ମୁଁ ବୁଝିପାରୁ ନାହିଁ । ମୁଁ ତ କୌଣସି କାର୍ଡ଼ ପଠାଇ ନାହିଁ ।

 

ସାମାନ୍ୟ ହସି ସିଦ୍ଧାର୍ଥ ଦାସ କହିଲେ–ତା’ର କୌଣସି ପ୍ରୟୋଜନ ନାହିଁ । ଆପଣଙ୍କ ପରି ବିଖ୍ୟାତ ଖେଳୁଆଡ଼୍‍ ଓ ଆଥ୍‌ଲେଟ୍‌ଙ୍କର ଫଟୋ ଦେଶର ବହୁ ପତ୍ରପତ୍ରିକାରେ ବାହାରିବା ସ୍ଵାଭାବିକ । ବହୁଥର ମୁଁ ଆପଣଙ୍କର ଫଟ ଦେଖିଛି । ଆପଣଙ୍କର ମାମୁଁ ପୁରନ୍ଦର, କାନନଗୋଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି ଯେ ଆପଣ ପାଇଛନ୍ତି ତାହା ମଧ୍ୟ ମୁଁ ଶୁଣିଛି । କିନ୍ତୁ ମାତୁଳଙ୍କ ସମ୍ପତ୍ତି ଲାଭ କରିବା ସଙ୍ଗେ ସଙ୍ଗେ ଏପରି କ’ଣ ବିଭ୍ରାଟ ଘଟିଲା ଯେ ଆପଣ ଏତେଦୂର ବିଚଳିତ ହୋଇ ଉଠିଛନ୍ତି ।

 

ବାହାଦୂର ଚା’ ଦେଇ ଯାଇଥିଲା । ଚା’ ଖାଇସାରି ଜୟନ୍ତ କହିଲା–ମୁଁ ଗୋଟିଏ ଅଦ୍ଭୁତ ଭୌତିକ କାହାଣୀ କହିବି ବୋଲି ଆପଣଙ୍କ ନିକଟକୁ ଆସିଛି ! ମୁଁ ଆପଣଙ୍କର ସାହାଯ୍ୟ ଚାହେଁ । ସେଥିପାଇଁ ଆପଣଙ୍କର ପାରିଶ୍ରମିକ ଦେବା ପାଇଁ ମଧ୍ୟ ମୁଁ ପ୍ରସ୍ତୁତ ଅଛି ।

 

ଏହା କହି ପକେଟରୁ ଖଣ୍ଡିଏ ଦୁଇ ହଜାର ଟଙ୍କାର ଚେକ୍ କାଢ଼ି ଜୟନ୍ତ ଟେବୁଲ ଉପରେ ରଖିଲା । –ଏହା ଆପଣଙ୍କର ‘‘ରିଟେନର” ସାର୍ । ପରେ ମୁଁ ଆପଣଙ୍କର ବିଲ୍ ମିଟାଇ ଦେବି ।

 

ସାମାନ୍ୟ ହସି ଡକ୍‌ଟର ଦାସ କହିଲେ–ଆପଣ ଏ ବିଷୟରେ ଏତେ ବ୍ୟସ୍ତ ହେଉଛନ୍ତି କାହିଁକି ? ଆପଣଙ୍କର ସମସ୍ୟା କ’ଣ ମୋତେ ସବୁ ଗୋଟି ଗୋଟି କରି କହିଯା’ନ୍ତୁ ।

 

କୌଣସି ଘଟଣାକୁ ଆପଣ ଅଦରକାରୀ ବୋଲି ବାଦ ଦେବେ ନାହିଁ ।

 

ଜୟନ୍ତ କହିଲା–ଆପଣ ଭୂତ ବିଶ୍ଵାସ କରନ୍ତି !

 

ସିଦ୍ଧାର୍ଥ ଦାସ କହିଲେ–ଭୂତ ଥିବାର ମୁଁ କେବଳ ମନେ ମନେ ବିଶ୍ଵାସ କରେ । କହିଲେ ଯଥେଷ୍ଟ ହେବନାହିଁ, ପ୍ରେତ ତତ୍ତ୍ଵ ବିଷୟରେ ମୁଁ ବହୁ ଅନୁଧ୍ୟାନ ଓ ଗବେଷଣା କରିଛି । କିନ୍ତୁ ବହୁ ସମୟରେ ଆମେ ଭ୍ରମକରୁ । ଦେଖିବା ବା ଶୁଣିବାଟା ସତ୍ୟ ହେଲେ ମଧ୍ୟ ଦୃଷ୍ଟ ଓ ଶ୍ରତ୍ରୁ ବସ୍ତୁ ଯେ ସତ୍ୟ ହୋଇ ନ ପାରେ, ଏଇ ମହା ସତ୍ୟଟିକୁ ଆମେମାନେ ଭୁଲିଯାଉ । କିନ୍ତୁ ଆପଣଙ୍କ କଥା କହିଯା’ନ୍ତୁ । ମନେ ରଖିବେ ଯେପରି କୌଣସି କଥା ଅଦରକାରୀ ବୋଲି ବାଦ ନ ଦିଅନ୍ତି ।

 

ଜୟନ୍ତ ଗୋଟି ଗୋଟି କରି ସବୁ କଥା କହିଗଲା । କୌଣସି କଥା ବାଦ ଦେଲା ନାହିଁ । ଅବଶେଷରେ କହିଲା–ହାବଡ଼ା ଷ୍ଟେସନରେ ମୁଁ ଯେଉଁ ତରୁଣୀଟିକୁ ଦେଖିଥିଲି ସେ ଯେ ମୃତ କଳାବତୀର ପ୍ରେତାତ୍ମା ଏଥିରେ କୌଣସି ସନ୍ଦେହ ନାହିଁ । ପୁଣି ଗତ ରାତିରେ ମଧ୍ୟ ତାକୁ ମୁଁ ଦେଖିଛି । ମୋର ତିଳେ ମାତ୍ର ଭ୍ରମ ହୋଇ ନାହିଁ । ଏଇ ସବୁ ଦେଖି ମୋର ଦୃଢ଼ ବିଶ୍ୱାସ ହୋଇଛି ଯେ ଏହା ଭୌତିକ ଘଟଣା ଛଡ଼ା ଆଉ କିଛି ନୁହେଁ, ଆପଣ କ’ଣ କହୁଛନ୍ତି !

 

ସିଦ୍ଧାର୍ଥ ଦାସ ହସିଲେ । ଯଦି ଏହା ଏକ ଭୌତିକ ଘଟଣା ବୋଲି ଆପଣ ନିଶ୍ଚିତ ଭାବରେ ଜାଣନ୍ତି, ତେବେ ମୋ ନିକଟକୁ ନ ଆସି କୌଣସି ଗୁଣିଆ ନିକଟକୁ ଯିବା ଉଚିତ୍ ଥିଲା । କିନ୍ତୁ ଘଟଣା ମୁଁ ଅତିଶୟ ରହସ୍ୟମୟ ହେଲେ ମଧ୍ୟ, ଏହା ଆଦୌ ଭୌତିକ ଘଟଣା ନୁହେଁ । ବହୁ ବିଚିତ୍ର ଭୌତିକ ଘଟଣା ମୁଁ ଦେଖିଛି ଓ ଶୁଣିଛି । କିନ୍ତୁ ଭୂତ ବେନାମୀ ଚିଠି ଲେଖି କାହାର ଭୟ ଦେଖାଏ ନାହିଁ । ପ୍ରେତ ଅତିଶୟ ଶକ୍ତିଶାଳୀ ହେଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ବିଦେହୀ ଓ ବାୟବୀୟ ସତ୍ୟ । ବେନାମୀ ଚିଠି ଲେଖିବାର କ୍ଷମତା ତାର ନାହିଁ । ସୁତରାଂ ହାବଡ଼ା ଷ୍ଟେସନରେ ଯେଉଁ ତରୁଣୀଟି ଆପଣଙ୍କ ଠିକଣାରେ ଖଣ୍ଡିଏ ବେନାମୀ ଚିଠି ରଖି ଚାଲିଗଲା, ସେ ହୁଏତ ଜୀବନ୍ତ କଳାବତୀ–କିମ୍ବା ତାର ଅନୁରୂପ ବା ତା’ର ଛଦ୍ମବେଶରେ ଅନ୍ୟ କେହି ତରୁଣୀ । ସେ କଦାପି ପ୍ରେତାତ୍ମା ନୁହେଁ । ଏହା ଯେ ଏକ ଗଭୀର ରହସ୍ୟମୟ ଘଟଣା ଏଥିରେ ବିନ୍ଦୁମାତ୍ର ସନ୍ଦେହ ନାହିଁ । ଏବେ ମୁଁ ଆପଣଙ୍କୁ କେତୋଟି ପ୍ରଶ୍ନ ପଚାରିବାକୁ ଅଛି । ଯେତେଦୂର ସମ୍ଭବ, ନିର୍ଭୁଲ ଉତ୍ତର ଦେବାକୁ ଚେଷ୍ଟା କରିବେ ।

 

–ପଚାରନ୍ତୁ । ଜୟନ୍ତ କହିଲା ।

 

–ଠିକ୍ କେତେବର୍ଷ ତଳେ ଆପଣଙ୍କ ମାମୁଁ ପୁରନ୍ଦର କାନନଗୋ ତାଙ୍କର ଅଜ୍ଞାତବାସରୁ ଏ ଦେଶକୁ ଫେରି ଆସିଲେ ।

 

ମନେ ମନେ ହିସାବ କରି ଜୟନ୍ତ କହିଲା–ଆଜିକୁ ଠିକ୍ ପନ୍ଦର ବର୍ଷ ତଳେ ସେ ସ୍ଵଦେଶକୁ ଫେରି ଆସିଲେ । ମୃତ୍ୟୁ ବେଳକୁ ତାଙ୍କୁ ପଞ୍ଚାବନ ବର୍ଷ ବୟସ ହୋଇଥିଲା । ଅର୍ଥାତ୍ ଚାଳିଶ ବର୍ଷ ବୟସରେ ସେ ସ୍ଵଦେଶକୁ ଫେରିଲେ ।

 

–ସେ ଏତେକାଳ କେଉଁଠାରେ ଥିଲେ ସେ ବିଷୟରେ ଆପଣ କିଛି ଶୁଣିଛନ୍ତ କି ? ଡକ୍‌ଟର୍ ଦାସ ପ୍ରଶ୍ନ କଲେ ।

 

–ମୁଁ ତାହା ସଠିକ୍ ଜାଣେ ନାହିଁ । ଗଳ୍ପ ଛଳରେ ଥରେ ମୋର ପିତା କହିଥିଲେ ଯେ ମାମୁଁ କିଛିଦିନ କାମାକ୍ଷା ପାହାଡ଼ରେ ରହି ତନ୍ତ୍ର ସାଧନା କରୁଥିଲେ । ମାମୁଁ ନିଜେ ମଧ୍ୟ କେତେଥର ମୋ’ ସହିତ ଗଳ୍ପ କରିଛନ୍ତି ! ସେ ସବୁ ଗଳ୍ପର ବିଷୟ ବସ୍ତୁ ହେଉଛି, ଆସାମର ଜଙ୍ଗଲରେ ବାଘ ଶୀକାର ଓ ବ୍ରହ୍ମପୁତ୍ର ନଦୀରେ ସନ୍ତରଣ ।

 

–ପୁରନ୍ଦର ବାବୁଙ୍କର ଉଇଲ୍‌ରେ ଯେଉଁ ସୁନାମଣୀର ନାମ ଉଲ୍ଲେଖ ଅଛି, ତା’ ସହିତ ଆପଣ ଆଳାପ କରିଛନ୍ତି କି ?

 

–ନା ସାର୍, ଏ ପର୍ଯ୍ୟନ୍ତ ମୁଁ ତାଙ୍କୁ ଦେଖିବାର ମଧ୍ୟ ସୁଯୋଗ ପାଇ ନାହିଁ । ସେ ଘରର ଜଙ୍ଗଲ ପରିପୂର୍ଣ୍ଣ ହତାର ଶେଷଭାଗକୁ କେତେ ବଖରା ଘର ଅଛି । ସେଇ ଆଉଟ୍‌ ହାଉସ୍‌ରେ ସୁନାମଣୀ ଏକା ବାସ କରନ୍ତି ବୋଲି ମୁଁ ମଧୁସୂଦନ ଠାରୁ ଶୁଣିଛି ।

 

କିଛିକ୍ଷଣ ନୀରବରେ କ’ଣ ଚିନ୍ତାକରି ଡକ୍‌ଟର୍ ଦାସ କହିଲେ–ଆଉ ଗୋଟିଏ ମାତ୍ର କଥା ମୁଁ ବର୍ତ୍ତମାନ ପାଇଁ ଆପଣଙ୍କ ଠାରୁ ଜାଣିବାକୁ ଚାହେଁ । ଦରୁଆନ ବସିର ଓ ଭୃତ୍ୟ ମଧୁ କ’ଣ ସେଠାରେ ଏକା ବାସ କରନ୍ତି–ନା ସପରିବାରରେ ବାସ କରନ୍ତି ।

 

–ତାହା, ମଧ୍ୟ, ମୁଁ ବୁଝି ନାଇଁ ସାର୍ ।

 

ତା’ ପରେ–ସିଦ୍ଧାର୍ଥ ଦାସ ପୁରନ୍ଦର ବାବୁଙ୍କର ପତ୍ରଟି ଗଭୀର ଧ୍ୟାନ ଦେଇ ପଢ଼ିବାକୁ ଲାଗିଲେ । ଅବଶେଷରେ ସେ ଚିଠି ଖଣ୍ଡିକ ଫେରାଇ ଦେଇ କହିଲେ–ଘଟଣାଟି ଗଭୀର ରହସ୍ୟାବୃତ–ଏଥିରେ ସନ୍ଦେହ ନାହିଁ । ପୁରନ୍ଦର ବାବୁଙ୍କର ପତ୍ରଟି ମଧ୍ୟ ଅତିଶୟ ଅର୍ଥ ପୂର୍ଣ୍ଣ । ଏଇ ଯେଉଁ କ୍ଷୁଦ୍ର ସାଙ୍କେତିକ ଲିପିଟି ପୁରନ୍ଦର ବାବୁ ଆପଣ ନାମରେ ବ୍ୟାଙ୍କରେ ଗଚ୍ଛିତ କରି ଯାଇଥିଲେ–ସେ ଲିପିଟିର ମଧ୍ୟ ଗଭୀର କିଛି ଅର୍ଥ ଅଛି । ଯେତେ ଦୁଃସାଧ୍ୟ ହେଲେ ମଧ୍ୟ ତାହା ଆମକୁ ଜାଣିବାକୁ ହେବ, ମୁଁ ତା’ର ଖଣ୍ଡିଏ ନକଲ କରି ରଖୁଛି । ମୂଳ ଲପିଟି ଆପଣ ନେଇ ଯା’ନ୍ତୁ-

 

ସିଦ୍ଧାର୍ଥ ଦାସ ସେ ସାଙ୍କେତିକ ଲିପିଟିକୁ ଖଣ୍ଡିଏ ଶକ୍ତିଶାଳୀ ଲେନସ୍ ସାହାଯ୍ୟରେ ପରୀକ୍ଷା କରିବାକୁ ଲାଗିଲେ । ସମ୍ପୁର୍ଣ୍ଣ ଦୁର୍ବୋଧ୍ୟ । ସିଦ୍ଧାର୍ଥ ଦାସ ପୃଥିବୀର ବିଭିନ୍ନ ସ୍ଥାନରେ ବହୁ “ସାଇଫର୍” ଦେଖୁଛନ୍ତି । କିନ୍ତୁ ଏପରି ବିଚିତ୍ର ସାଇଫର୍ ସେ କେବେହେଲେ ଦେଖି ନାହାନ୍ତି ।

 

କ’ଣ ମନେକରି କେଜାଣି, ସିଦ୍ଧାର୍ଥ ଦାସ ନିଜର ଲାବୋରେଟରୀରୁ ଯାଇ ନେଳି ରଙ୍ଗର ଗୋଟିଏ ସିସି ଆଣିଲେ । ସେ ଭିତରେ ଥିବ ତରଳ ପଦାର୍ଥରୁ କିଛି ଗୋଟିଏ କ୍ଷୁଦ୍ର ସ୍ପ୍ରେଇଂ ମେସିନ୍‌ରେ ପୂରାଇଲେ ତା’ ପରେ ଉକ୍ତ ସାଙ୍କେତିକ ଲିପି ଲେଖା ହୋଇଥିବା କାଗଜ ଖଣ୍ଡିକ ଉପରେ ସେଇ ତରଳ କେମିକେଲ୍‌କୁ ସ୍ପ୍ରେ କଲେ ।

 

କିଛିକ୍ଷଣ ପରେ କାଗଜଟିର, ନିମ୍ନ ଦେଶରେ ବାଦାମି ରଙ୍ଗର ଗୋଟିଏ ଇଂରାଜୀ ଅକ୍ଷର ଫୁଟି ଉଠିଲା । ଅକ୍ଷରଟି ଅଦୃଶ୍ୟ କାଳିରେ ସେଠାରେ ଲେଖା ହୋଇଥିଲା । ଅକ୍ଷରଟି ହେଉଛି ଗୋଟିଏ ଇଂରାଜୀ ଏଲ୍ ଆଉ କୌଣସି ଲେଖା ନାହିଁ , ଏଥିରେ ମଧ୍ୟ ଲିପିଟି ବୋଧଗମ୍ୟ ହେଲା ନାହିଁ । ଲିପିଟି–ଆହୁରି ଦୁର୍ବୋଧ୍ୟ ହେଲା ।

 

ତା’ ପରେ, କ’ଣ ମନେକରି କେଜାଣି, ଆଉ ଗୋଟିଏ କେମିତି ଲଗାଇ ସିଦ୍ଧାର୍ଥ ଦାସ ସେଇ “ଏଲ୍‌” ଅକ୍ଷରଟିକୁ ସମ୍ପୁର୍ଣ୍ଣ ନିଭାଇ ଦେଲେ ତା’ ପରେ ସେ ଅଦ୍ଭୁତ ଓ ଲିପିଟିକୁ ଜୟନ୍ତକୁ ଫେରାଇ ଦେଇ କହିଲେ–ଏଇ ଅଦ୍ଭୁତ ରହସ୍ୟମୟ ଘଟଣାର ତଦନ୍ତଭାର ମୁଁ ଗ୍ରହଣ କଲି । ଆପଣ ମୋ’ର କେତୋଟି ଉପଦେଶ ମାନି ଚଳିବେ । ଏ ଘଟଣା ନେଇ କାହାରି ସହିତ କିଛି ଚର୍ଚ୍ଚା କରିବେ ନାହିଁ । ମୁଁ ଯେ ଏ ତଦନ୍ତଭାର ଗ୍ରହଣ କରିଛି–ଏ ବିଷୟ କାହାରିକୁ ଜଣାଇବେ ନାହିଁ । ହଁ, ମୁଁ ଆପଣଙ୍କ ସହିତ ମୋର ସୁଯୋଗ୍ୟ ସହକର୍ମୀ ବାରିଷ୍ଟର ବିକ୍ରମ ସାମନ୍ତରାୟକୁ ପରିଚିତ କରାଇ ଦେବାକୁ ଭୁଲି ଯାଇଛି । ଏ ହେଉଛନ୍ତି ଜଣେ ଅତି କରିତକର୍ମୀ ରହସ୍ୟ ସନ୍ଧାନୀ ମୋ’ର ଜଣେ ଅତି ସୁଯୋଗ୍ୟ ସହକର୍ମୀ ।

 

ଜୟନ୍ତ ସାମାନ୍ୟ ହସି ବିକ୍ରମକୁ ନମସ୍କାର କଲା ।

 

ସିଦ୍ଧାର୍ଥ ଦାସ ପୁଣି କହିଲେ–ଆଜି ରାତି ଆସାନ୍‌ସୋଲ ପାସେଞ୍ଜରରେ ଦିଲ୍ଲୀରେ ରହୁଥିବା ଆପଣଙ୍କର ଜଣେ ତରୁଣ ଖେଳୁଆଡ଼୍‍ ବନ୍ଧୁ ଏଠାରେ ଆପଣଙ୍କ ନିକଟରେ କିଛିଦିନ ରହିବା ପାଇଁ ଆସିବେ । ଆପଣ ଓ ଆପଣଙ୍କର ଦରୁଆନ ବସିର ଖାଁ ତାଙ୍କୁ ପାଛୋଟି ଆଣିବା ପାଇଁ ଗାଡ଼ି ନେଇ ରେଲ ଷ୍ଟେସନକୁ ଯିବେ ଓ ତାଙ୍କୁ ନେଇ ଆସିବେ । ସେ ଜଣେ ପଞ୍ଜାବୀ ଶିଖ୍ । ତାଙ୍କର ନାମ ହେଉଛି ଜଗଜିତ୍ ସିଂ ।

 

–କିନ୍ତୁ ମୋ’ର ତ ଏପରି ନାମରେ କୌଣସି ବନ୍ଧୁ ନାହାନ୍ତି ସାର୍ !

 

ସାମାନ୍ୟ ହସି ସିଦ୍ଧାର୍ଥ ଦାସ କହିଲେ–ସେ କଥା ମୁଁ ଜାଣେ । ମୋର ପ୍ରିୟବନ୍ଧୁ ବିକ୍ରମ ସାମନ୍ତରାୟ ଛଦ୍ମବେଶରେ ଆସିବେ । ତାଙ୍କର ପ୍ରକୃତ ପରିଚୟ ଯେପରି କେହି ନ ଜାଣନ୍ତି । ସେ ଆପଣଙ୍କର ପୁରାତନ ବନ୍ଧୁ ଭାବରେ ଆପଣଙ୍କ ଘରେ ରହି ଅତି ଗୋପନରେ ତଦନ୍ତ କରିବେ । ମୋ ସହିତ ସେ ଗୋପନରେ ସମ୍ପର୍କ ରକ୍ଷା କରିବେ । ଆଉ, ଆପଣ ନିଜେ ମଧ୍ୟ ଖୁବ୍‍ ସାବଧାନରେ ଥିବେ । ହାବଡ଼ା ଷ୍ଟେସନରେ ଯେଉଁ ରହସ୍ୟମୟୀ ତରୁଣୀ ବେନାମୀ ପତ୍ର ଦେଇ ଆପଣଙ୍କୁ ଜଣାଇଥିଲା ଯେ ସେ ଘରେ ମୃତ୍ୟୁ ଲୁଚି ରହିଛି–ତାହା ସମ୍ପୁର୍ଣ୍ଣ ଭିତ୍ତିହୀନ ନୁହେଁ । ଏବେ ଆପଣ ଯାଇ ପାରନ୍ତି ଜୟନ୍ତ ବାବୁ, ମୋର ସବୁ ଉପଦେଶ ଯେପରି ମନେ ରଖିବେ ।

 

ଜୟନ୍ତ ଚାଲିଗଲା । ତା’ ପରେ ବିକ୍ରମ ଆଡ଼କୁ ଚାହିଁ ସିଦ୍ଧାର୍ଥ ଦାସ କହିଲେ–ତୁମର ଏଥିରେ ବିଶେଷ କିଛି ଅସୁବିଧା ହେବ ନାହିଁତ ବିକ୍ରମ ।

 

–ନା, ନା, ଆଦୌ ନୁହେଁ । କିନ୍ତୁ ଏହା ଯଦି ଭୌତିକ ଘଟଣା ହୁଏ, ତେବେ ମୁଁ କ’ଣ କରି ପାରେ ଡକ୍ଟର ଦାସ !

 

ଉଚ୍ଚ ଶବ୍ଦରେ ହସିଉଠି ଡକ୍ଟର ସିର୍ଦ୍ଧାର୍ଥ ଦାସ କହିଲେ–ନା, ନା, ତୁମର ଭୟ କରିବାର ଆଦୌ କୌଣସି କାରଣ ନାହିଁ । ଏହା ଭୌତିକ ଘଟଣା ନୁହେଁ । ତା’ ଛଡ଼ା ମୁଁ ଅଦୃଶ୍ୟ ଭାବରେ ତୁମକୁ ସବୁବେଳେ ରକ୍ଷା କବଚ ପରି ରକ୍ଷା କରିବି ।

 

–ତିନ–

 

ଜୟନ୍ତ ଘରକୁ ଫେରିବା ମାତ୍ରେ ଗେଟ୍ ନିକଟରେ ଦରୁଆନ ବସିର ଖାଁ ସଲାମ ଦେଇ ଜଣାଇଲା ଯେ ତଳ ମହଲାର ବୈଠକ ଖାନାରେ ସ୍ଥାନୀୟ ଜଣେ ଭଦ୍ର ଲୋକ ଦେଖା କରିବାକୁ ଆସି ବସିରହିଛନ୍ତି । ତାଙ୍କ ସହିତ ତାଙ୍କ ଝିଅ ମଧ୍ୟ ଅଛନ୍ତି ।

 

ଜୟନ୍ତ ବୈଠକ ଖାନା ଭିତରକୁ ଆସି ଦେଖିଲା ଯେ ଜଣେ ଦୀର୍ଘକାୟ ପ୍ରୌଢ଼ ବ୍ୟକ୍ତି ବସି ଖଣ୍ଡିଏ ପୁରୁଣା ମେଗାଜିନ୍‌ ପଢ଼ୁଛନ୍ତି, ଚେହେରା ଓ ପୋଷାକ ଦେଖିଲେ ଅନାୟାସରେ ଜାଣି ହେବ ଯେ ଆଗନ୍ତୁକ ଜଣେ ରେଭରେଣ୍ଡ ଫାଦର୍ ଦେହରେ ଦାର୍ଘ ଧଳା ଆଲଖାଲ୍ଲା, ମୁହଁରେ ଲମ୍ବା ଦାଢ଼ୀ ଓ ଆଖିରେ ମୋଟା ଲେନ୍‌ସର ଚଶମା । ଦେଖିଲେ ଭକ୍ତି ଓ ସମ୍ଭ୍ରମ ଜାଗେ ।

 

ତାଙ୍କ ନିକଟରେ ବସିଥିବା ତରୁଣୀଟି ଅପୂର୍ବ ରୂପସୀ । ଜୟନ୍ତକୁ ଦେଖି ଆଗନ୍ତୁକ ଆସନଛାଡ଼ି ଜୟନ୍ତ ସହିତ କରମର୍ଦ୍ଦନ କଲେ । ଅମାୟିକ ହସ ହସି କହିଲେ–ମୋର ନାଁ । ‘ରେଭରେଣ୍ଡ ଜନାଥନ୍ ନାୟକ । ଏ’ ମୋର କନ୍ୟା ଜୁଲି । ଆମ୍ଭେମାନେ ଆପଣଙ୍କର ପଡ଼ୋଶୀ । ଆପଣ ନୂଆ ଆସିଛନ୍ତି ଶୁଣି ଥରେ ଆଳାପ କରିବାକୁ ଆସିଲି ।

 

ଜୁଲି ଭୁବନ ମୋହିନୀ ହସ ହସି କହିଲା–ଆପଣତ ଜଣେ ବିଖ୍ୟାତ ଖେଳୁଆଡ଼୍‍ । ବହୁ ପତ୍ର ପତ୍ରିକାରେ ମୁଁ ଆପଣଙ୍କ ଫଟୋ ଦେଖିଛି !

 

ମଧୁକୁ ଡାକି ଜୟନ୍ତ ଚା’ ଆଣିବାକୁ ଆଦେଶ ଦେଲା । ବହୁ ବିଷୟରେ ଗଳ୍ପ ଚାଲିଲା । କଥା ଛଳରେ ରେଭରେଣ୍ଡ ନାୟକ କହିଲେ–ଶତାଧିକ ବର୍ଷ ପୂର୍ବେ ଏ ଘରଟିକୁ ଜଣେ ଆଇରିସ୍ ଧର୍ମଯାଜକ ନିର୍ମାଣ କରିଥିଲେ । ତାଙ୍କର ନାମ ଥିଲା ରେଭରେଣ୍ଡ ବଟ୍‌ଲର । ସେଇ ବଟ୍‌ଲର ସାହେବ ଏଠାକାର ଗୀର୍ଜାଟି ମଧ୍ୟ ସ୍ଥାପନ କରିଥିଲେ । କିନ୍ତୁ ହଠାତ୍ ଦିନେ ବଟ୍‌ଲର ସାହେବ ଆତ୍ମହତ୍ୟା କରି ମଲେ । ନିଜ ମୁଣ୍ଡରେ ନିଜେ ରିଭଲଭର ଚଳାଇ ସେ ଆତ୍ମହତ୍ୟା କଲେ । କାହିଁକି ଯେ ସେ ଏପରି କଲେ ସେ କଥା କେହି ଜାଣିଲେ ନାହିଁ । ତା’ପରେ ବହୁକାଳ ପର୍ଯ୍ୟନ୍ତ ଘରଟା ଖାଲି ପଡ଼ି ରହିଲା । ବହୁବର୍ଷ ପରେ ଆପଣଙ୍କ ମାମୁଁ ଏ ଘରଟି କିଣି ବହୁ ଅର୍ଥ ବ୍ୟୟରେ ମରାମତି କଲେ । ସେ ଥିଲେ ଅତିଶୟ ଗମ୍ଭୀର ଓ ଆତ୍ମା କେନ୍ଦ୍ରିକ ବ୍ୟକ୍ତି । କାହାରି ସହିତ ମିଶନ୍ତି ନାହିଁ ବା ପ୍ରତିବେଶୀ ମାନଙ୍କ ସହିତ କଥାବାର୍ତ୍ତା କରନ୍ତି ନାହିଁ । କିନ୍ତୁ ହଠାତ୍ ଦିନେ ସେ ମଧ୍ୟ ବଟ୍‌ଲର ସାହେବଙ୍କ ପରି ଆତ୍ମହତ୍ୟା କଲେ । ଘରଟାର ଇତିହାସ ସେତେ ଭଲ ନୁହେଁ ।

 

ଜୁଲି ହଠାତ୍‌ କହିଲା–ଡ଼ାଡି, ଜୟନ୍ତ ବାବୁ ସେ କଥା ଜାଣନ୍ତି ତ !

 

–ନା, ନା, ମା ! ସେ କଥା ତାଙ୍କୁ କହିବା ଉଚିତ ନୁହେଁ । ଏତେବଡ଼ ଘରଟାରେ ସେ ଏକା ବାସ କରୁଛନ୍ତି ।

 

ଏକଥା ଶୁଣି ଜୟନ୍ତର ଉତ୍କଣ୍ଠା ବଢ଼ିଲା । ସେ ଜିଦ୍ ଧରିଲା–ନା ଫାଦର୍, ମୁଁ ଆଦୌ ଭୟାଳୁ ନୁହେଁ । ଏ ଘର ସମ୍ବନ୍ଧରେ ଆପଣ ଯାହା ଜାଣନ୍ତି, ମୋତେ କହିବାକୁ ହେବ ।

 

ବହୁକ୍ଷଣ ନୀରବ ରହି ରେଭରେଣ୍ଡ ନାୟକ କଲେ–ଆପଣ ଯଦି ଏପରି ଜିଦ୍ କରୁଛନ୍ତି, ମୁଁ ବାଧ୍ୟ ହୋଇ କହୁଛି । ମୁଁ ଶୁଣିଛି ଯେ ଆପଣ ଧନୀର ସନ୍ତାନ । ଆପଣଙ୍କର ପୈତୃକ ବିଭବ ମଧ୍ୟ ପ୍ରଚୁର ଅଛି । ବିରାଟ ପୈତୃକ ଅଟ୍ଟାଳିକା ରହିଛି । ସେପରି କ୍ଷେତ୍ରରେ ଏ ଅଟ୍ଟାଳିକାରେ ଆପଣ ନ ରହିବା ଭଲ । ଲୋକେ କହନ୍ତି ଯେ ଏ ଘର ଭିତରେ ମୃତ୍ୟୁ ଲୁଚି ରହିଛି ! ବହୁ ଭୌତିକ ଘଟଣାମାନ ଏଠାରେ ଘଟିବାର ଶୁଣାଯାଏ । ଗଭୀର ରାତିରେ ଏଇ ଅଟ୍ଟାଳିକାଟା ଭିତରୁ ବହୁ ବିଚିତ୍ର ଶବ୍ଦ ଶୁଣାଯାଏ । ବଣ ଭିତରେ ବହୁ ଛାୟାମୂର୍ତ୍ତି ମଧ୍ୟ ଦେଖାଯାଏ । ପୁରନ୍ଦର ବାବୁଙ୍କର କନ୍ୟାର ମଧ୍ୟ ମୃତ୍ୟୁ ଏଇ ଘରେ ହୋଇଛି । କେହି କେହି କହନ୍ତି ଯେ ତା’ର ମଧ୍ୟ ସ୍ଵାଭାବିକ ମୃତ୍ୟୁ ହୋଇ ନାହିଁ । ଅପମୃତ୍ୟୁ ହୋଇଛି । ଘରର ଆଉଟ୍ ହାଉସରେ ଯେଉଁ ପ୍ରୌଢ଼ା ସ୍ତ୍ରୀ ଲୋକଟି ଏକା ବାସ କରେ ତା’ର କାର୍ଯ୍ୟ କଳାପ ଅତିଶୟ ରହସ୍ୟମୟ ବୋଲି ଲୋକେ କହନ୍ତି । ସେ କୁଆଡ଼େ କ’ଣ ସବୁ ପ୍ରେତ ସାଧନା କରେ । ମୋଟେ ଉପରେ, ଏ ଘରଟା ଅତିଶୟ ଅଶୁଚି ଓ ଅପୟା । କିନ୍ତୁ ଆପଣ ହେଉଛନ୍ତି ସ୍ଵର୍ଗତ ପୁରନ୍ଦର ବାବୁଙ୍କର ଅତି ନିକଟ ଆତ୍ମୀୟ, ତାଙ୍କର ଉତ୍ତରାଧିକାରୀ । ତାଙ୍କର ନିର୍ଦ୍ଦେଶରେ ଆପଣ ଆମର ପଡ଼ୋଶୀ ହୋଇ ଏଠାକୁ ବାସ କରିବାକୁ ଆସିଛନ୍ତି । ପ୍ରଥମ ସାକ୍ଷାତରେ ଏ ସବୁ କଥା ଆପଣଙ୍କୁ ମୋର କହିବା ଉଚିତ ହୋଇ ନାହିଁ ।

 

–ନା, ନା, ଏଥିପାଇଁ ଆପଣ ଆଦୌ ଦୁଃଖିତ ହେବେ ନାହିଁ । ମୁଁ ଏଠାରେ ଏକା ରହିବାକୁ ଯାଉ ନାହିଁ । ଆଜି ରାତିରେ ଦିଲ୍ଲୀରୁ ମୋର ଜଣେ ବନ୍ଧୁ ଆସିବେ । ମୋ’ର ଜଣେ ଖେଳୁଆଡ଼୍ ବନ୍ଧୁ, ସେ କିଛିଦିନ ମୋ ନିକଟରେ ରହିବେ । ତା’ ଛଡ଼ା ମୁଁ ଆହୁରି କେତେଜଣ ଭୃତ୍ୟ ମଧ୍ୟ ରଖିବି । ଏ ଘରେ ଯଦି ଭୂତ ଥାଏ, ତେବେ ଏତେ ଲୋକ ଭିତରେ ସେ ଆଉ ଶାନ୍ତିରେ ରହି ପାରିବ ନାହିଁ । ଆପେ ଆପେ ପଳାଇ ଯିବ ।

 

ଜୟନ୍ତର କଥା ଶୁଣି ପ୍ରୌଢ଼ ରେଭରେଣ୍ଡ ନାୟକ ଓ ତରୁଣୀ ଜୁଲି ଉଚ୍ଚ ଶବ୍ଦରେ ହସି ଉଠିଲେ । ତା’ ପରେ ଜୟନ୍ତକୁ ତାଙ୍କ ଘରକୁ ବରାବର ଯିବା ପାଇଁ ଅନୁରୋଧ ଜଣାଇ ରେଭରେଣ୍ଡ ଫାଦର ଓ ଜୁଲି ବିଦାୟ ନେଲେ । ଯିବା ସମୟରେ ସାମାନ୍ୟ ହସି ଓ ଆଖିର ଟିକିଏ ବିଚିତ୍ର ଭଙ୍ଗୀ କରି ଜୁଲି ଜଣାଇଲା–ପୁଣି ଦେଖା ହେବ । ଆପଣ ଆମ ଘରକୁ ଯିବେ କିନ୍ତୁ !

 

X X X

 

ନିଜ କୋଠରୀରେ ମଧ୍ୟାହ୍ନ ଭୋଜନ କରୁ କରୁ ଜୟନ୍ତ, ପଚାରିଲା ଆଚ୍ଛା, ତୁମେ ଏଠାରେ କେତେବର୍ଷ ହେଲା ମଧୁ ! ତୁମେ କ’ଣ ଏଇ ଘରେ ରହୁଛ–ନା’ ତୁମ–ରହିବା ପାଇଁ ଅନ୍ୟ ଘର ଅଛି ?

 

–ମୁଁ ଏଠାରେ ଦଶବର୍ଷ ରହିଲିଣି ହଜୁର ! ବଡ଼ ସାହେବ ମୋତେ ଆଣି ରଖିଥିଲେ । ମୋ’ର ରହିବା ପାଇଁ ଦରୁଆନ ଘର ନିକଟରେ ଅନ୍ୟ ଖଣ୍ଡେ କୋଠରୀ ଅଛି । ମୁଁ ସେଇଠାରେ ରହେ ।

 

–ଆଚ୍ଛା, ସୁନାମଣୀ କେଉଁଠାରେ ରହେ ?

 

–ଆପଣ ମାତାଜୀଙ୍କ କଥା କହୁଛନ୍ତି ତ ? ଏ ବଗିଚା ଶେଷ ଆଡ଼କୁ ଜଙ୍ଗଲ ଭିତରେ ତାଙ୍କ ପାଇଁ ଘର ଅଛି । ସେଠାକୁ କେହି ଯା’ନ୍ତି ନାହିଁ । ମଣିଷ ମୁଣ୍ଡ–ଆଉ ହାତ ଜମାକରି ମାତାଜୀ ଦିନରାତି କାଳୀ ପୂଜା କରୁଥା’ନ୍ତି । ବଡ଼ ସାହେବ ବଞ୍ଚିଥିବା ବେଳେ କେବେ କେବେ ରାତିରେ ସେଇ କେବଳ ସେଠାକୁ ଏକା ଯାଉଥିଲେ ।

 

ଏଥର କ’ଣ ମନେକରି କେଜାଣି, ଜୟନ୍ତ ହଠାତ୍ ପ୍ରଶ୍ନକଲା–ଆଚ୍ଛା ମଧୁ ଏଘରେ ତମେ କେବେ ହେଲେ ଭୂତ ଦେଖିଛ ?

 

ଅତିଶୟ କୁଣ୍ଠିତ କଣ୍ଠରେ ମଧୁ କହିଲା–ଏ ଘରେ ଭୂତ ଅଛନ୍ତି ହଜୁର । କେବଳ ମୁଁ ନୁହେଁ, ଆଉମାନେ ମଧ୍ୟ କେତେଥର ଦେଖିଛନ୍ତି । ଏଇ କେତେକ ଦିନ ହେଲା ଉତ୍ପାତ ଟିକିଏ ବଢ଼ିଛି । ରାତି ସାରା ଘର ଭିତରେ ନାନା ରକମ ଶବ୍ଦ ହୁଏ । କୌଣସି ଜିନିଷ ପିଟି ଭାଙ୍ଗିବା ଶବ୍ଦ । ବଡ଼ ସାହେବ ବଞ୍ଚିଥିବା ବେଳେ ଘରସାରା କେତେ ଦେଶର କେତେ ବଡ଼ ବଡ଼ ମୂର୍ତ୍ତି ରଖା ହୋଇଥିଲା । ଚିନା ମାଟି ମୂର୍ତ୍ତି–ବଡ଼ ବଡ଼ ବ୍ରୋଞ୍ଜ ମୂର୍ତ୍ତି–କେତେ ମୂର୍ତ୍ତି । ସେଗୁଡ଼ିକ ସବୁ ଏଇ ଭୂତ ପିଟି ଭାଙ୍ଗି ଦେଲାଣି ସିନ୍ଦୁକ, ଆଲମାରୀ ପ୍ରଭୃତି ମେଲାଇ ଜିନଷପତ୍ର ବାହାରେ ପକାଇ ଦିଏ । ଏମିତି ସବୁ କେତେ ଉତ୍ପାତ ସେ ରାତିରେ ଆଜିକାଲି କରୁଛି ।

 

–ଆଚ୍ଛା, ତୁମେ ରାତିରେ କୌଣସି ସ୍ତ୍ରୀ ଲୋକର ମୂର୍ତ୍ତି ଦେଖିଛ ?

 

–ସେ କିଛି ଅନିଷ୍ଟ କରିବେ ନାହିଁ ହଜୁର । ସେ ବଡ଼ ଭଲ ଭୂତ । ଆମେ ତାଙ୍କୁ କେତେଥର ଦେଖିଛୁ । ସେ ହେଉଛନ୍ତି ଆମର କଳାବତୀ ଦେଈ । ସେଇ ବଣ ଭିତରେ ତାଙ୍କର ସମାଧି ଅଛି କିନା’ ! ସେ ସେଇଠୁ ବାହାରି ରାତିରେ ବୁଲନ୍ତି ।

 

ତା’ ପରେ କଥାର ବାଙ୍କ ବୁଲାଇ ଜୟନ୍ତ କହିଲା–ମଧୁ, ଆଜି ରାତିରେ ମୋର ଜଣେ ବନ୍ଧୁ ଦିଲ୍ଲୀରୁ ଆସିବେ । ସେ ଏଇଠାରେ ମୋ ନିକଟରେ ରହିବେ । ପାଖ କୋଠରୀଟା । ତାଙ୍କର ରହିବା ପାଇଁ ଠିକ୍ କରି ରଖିବ । ମୁଁ ବୁଝି ପାରୁଛି ଯେ ତୁମର ପରିଶ୍ରମ ଅଧିକ ହେବ । ଆଉ କେତେଜଣ ଲୋକ ମୁଁ ଶୀଘ୍ର ରଖିବି ।

 

ମଧ୍ୟାହ୍ନ ଭୋଜନ ପରେ ଜୟନ୍ତ ନିଜ କୋଠରୀରେ ଏକା ବସି ରହିଲା । ଚାରିଆଡ଼ ନିର୍ଜନ । କିପରି ଏକ ପ୍ରେତାୟିତ ପରିବେଶ । କି ରହସ୍ୟ ଯେ ଏଇ ଘରଭିତରେ ଲୁଚି ରହିଛି, ତାହା କିଏ କହିବ ! ଡକ୍ଟର ସିଦ୍ଧାର୍ଥ ଦାସ ନିଶ୍ଚୟ ତାହା ବାହାର କରିବେ । ସେ ଜଣେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବ୍ୟକ୍ତି । ସାରା ଭାରତବର୍ଷରେ ଜୟନ୍ତ ତାଙ୍କର ସୁନାମ ଶୁଣିଛି ।

 

ରେଭରେଣ୍ଡ ନାୟକଙ୍କ ଠାରୁ ଏବଂ ପୁରାତନ ଭୃତ୍ୟ ମଧୁସୂଦନ ଠାରୁ ଏ ଘର ବିଷୟରେ ସେ ଯାହା ଶୁଣିଲା ତାହା ଯେପରି ରହସ୍ୟପୂର୍ଣ୍ଣ–ସେହିପରି ଭୟାବହ । ଏଇ ଘରଟା ଲୋଭରେ ସେ କଦାପି ଏ ପ୍ରେତପୁରୀରେ ପଡ଼ି ରହିନାହିଁ । ଏଠାରେ ଲୁଚି ରହିଥିବା ଅଦୃଶ୍ୟ ଆତଙ୍କର ମୋହ ତା’କୁ ଏଠାରେ ଅଟକାଇ ରଖିଛି । ଏ ରହସ୍ୟର ସମାଧାନ ନକରି ସେ କଦାପି ଏଠାରୁ ଯିବନାହିଁ ।

 

ହାବଡ଼ା ଷ୍ଟେସନରେ ସେ ରହସ୍ୟମୟୀ ତରୁଣୀ କେବଳ ନୁହେଁ, ରେଭରେଣ୍ଡ ନାୟକଙ୍କ ପରି ଜଣେ ଆଧ୍ୟାତ୍ମିକ ବାଦୀ ପ୍ରାଚୀନ ବ୍ୟକ୍ତି ମଧ୍ୟ କହିଛନ୍ତି ଯେ ଘରର ବାୟୁ ତରଙ୍ଗରେ ଅଦୃଶ୍ୟ ମୃତ୍ୟୁ, ଲୁଚି ରହିଛି । କ’ଣ ସେ ମୃତ୍ୟୁ ! କିପରି ବା ତା’ର ସ୍ଵରୂପ ! ! ଜୟନ୍ତ ନିଶ୍ଚୟ ତାହା ଥରେ ଦେଖିବ ।

 

ପୁରନ୍ଦର ବାବୁଙ୍କର ଜୀବନ ଅତିଶୟ ରହସ୍ୟମୟ ଥିଲା । କେତେ ଦେଶରେ ଯେ ସେ ଥିଲେ–କିପରି ଭାବରେ ଯେ ସେ ଏତେ ବିପୁଳ ଅର୍ଥର ଅଧିକାରୀ ହୋଇ ପାରିଲେ ତାହା କେହି ଜାଣନ୍ତି ନାହିଁ । ଏଠାରେ ତାଙ୍କର ଆବିର୍ଭାବ ଯେପରି ରହସ୍ୟମୟ ତିରୋଧାନ ମଧ୍ୟ ସେହିପରି ଓକିଲ ଅଶୋକ ମହାପାତ୍ର ବିଶ୍ୱାସ କରନ୍ତି ଯେ ପୁରନ୍ଦର ବାବୁ ଆତ୍ମହତ୍ୟା କରି ନାହାନ୍ତି । ତାଙ୍କୁ କେହି ହତ୍ୟା କରିଛି । ତାହା ଯଦି ସତ ହୁଏ ତେବେ ତାଙ୍କୁ ଯେ ହତ୍ୟା କରା ହେବ, ଏ କଥା ସେ କିଛି କାଳ ପୂର୍ବ ଜାଣି ପାରିଥିଲେ ।

 

ଆଉ, ଏହାଯଦି ଠିକ୍ ହୁଏ, ତେବେ ପୁରନ୍ଦର ବାବୁଙ୍କର ହତ୍ୟାକାରୀ କିଏ, ତାହା ମଧ୍ୟ ତାଙ୍କୁ ଜଣାଥିଲା । କିଏ ସେ ହତ୍ୟାକାରୀ ! ସେ କ’ଣ ଏତେ ଶକ୍ତିଶାଳୀ ଯେ ପୁରନ୍ଦର ବାବୁ ବୁଝି ପାରିଥିଲେ–ରାଜଶକ୍ତ (…..) ତାଙ୍କୁ ତା’ ହାତରୁ ବଞ୍ଚାଇ ପାରିବ ନାହିଁ ! ସେଥି ଯୋଗୁ ସେ ପୋଲିସ ସାହାଜ୍ୟ ନେଲେ ନାହିଁ ! ଅଥବା ସେ ଆତତାୟୀ ଜୀବିତ ମଣିଷ ନୁହେଁ କୌଣସି ବିଦେହୀ ପ୍ରେତ !

 

କିଏ ବା ଏଇ କଳାବତୀ–ଦେହାନ୍ତ ପରେ ମଧ୍ୟ ଯେ ଜୀବନ୍ତ ମଣିଷ ପରି ଏ ଘରେ ଚଲାବୁଲା କରୁଛି ! କେବଳ ଭୃତ୍ୟ ମଧୁସୂଦନ ନୁହେଁ–ଗତ ରାତ୍ରିରେ ସେ ନିଜେ ମଧ୍ୟ ତାକୁ ଦେଖିଛି । ଏ ଘରଟି ଯେପରି ଏକ ଗଭୀର ରହସ୍ୟର ରଙ୍ଗ ମହଲ ।

 

ହଠାତ୍ ଜୟନ୍ତ ଘର ଛାଡ଼ି ତଳ ମହଲାକୁ ଚାଲିଲା । ଦିନ ବେଳେ ଓ ବଣ ଭିତରେ ବୁଲି ସ୍ଥାନଟିକୁ ଥରେ ଭଲକରି ଦେଖିବାକୁ ଚାହେଁ ।

 

ଘରଟାରେ ଅସଂଖ୍ୟ କୋଠରୀ । ମଧୁସୂଦନ ଠିକ୍ କଥା କହୁଥିଲା । ପୁରନ୍ଦର ବାବୁ ବିଭିନ୍ନ କୋଠରୀରେ ବହୁ ମୂଲ୍ୟବାନ ମୂର୍ତ୍ତି ସଜାଇ ରଖି ଥିଲେ । ସେଗୁଡ଼ିକ ସବୁ ଭାଙ୍ଗି ଦିଆ ହୋଇଛି । ସିନ୍ଦୁକ ଓ ଆଲମାରୀମାନ ମଧ୍ୟ ଭଙ୍ଗା ହୋଇଛି । କେତେ ପଲଙ୍କ ଉପରେ ପଡ଼ିଥିବା ଗଦି ତକିଆମାନ ମଧ୍ୟ ଚିରା ହୋଇଛି । ରାତି ପରେ ରାତି–ଏ ଘରଟା ଭିତରେ ଯେପରି ଦକ୍ଷ ଯଜ୍ଞ ଚାଲିଛି । କିନ୍ତୁ କିଏ ଏପରି କରୁଛି ! କାହିଁକି ବା କରୁଛି ! ! ସେ ଭୂତ ହେଉ ବା ଜୀବିତ ମଣିଷ ହେଉ–ସେ କ’ଣ କିଛି ଖୋଜୁଛି !

 

ଅଟ୍ଟାଳିକା ସଂଲଗ୍ନ ବିସ୍ତୀର୍ଣ୍ଣ ବନଭୂମି । ଅରମା ବଣ ଭରି ରହିଛି । ଜୟନ୍ତ ଖରାବେଳେ ସେ ବଣ ଭିତରେ ବୁଲି ବୁଲି ଦେଖିବାକୁ ଲାଗିଲା । ଆତିଶୟ ନିର୍ଜନ ଓ ଛାୟାଚ୍ଛନ୍ନ ସ୍ଥାନଟି । ଅଦୂରରେ ସେ ଗୋଟିଏ ପକା ବେଦୀ ଦେଖି ପାରି ସେଠାକୁ ଗଲା । ନବନିର୍ମିତ ମାର୍ବଲ ପଥରର ଗୋଟିଏ ସୁନ୍ଦର ବେଦୀ ଓ ସ୍ମୃତି ସ୍ତମ୍ଭ । କଳାବତୀର ସମାଧି । ଖଣ୍ଡିଏ ମାର୍ବଲ ଫଳକରେ ଲେଖାଅଛି–“ପ୍ରଦୀପ ଶିଖା ପରି ସେ କିଛିକାଳ ପାଇଁ ମୋର ଅନ୍ତରର ଅନ୍ଧକାରରୁ ଆଲୋକିତ କରିଥିଲା । ଦୁର୍ଦ୍ଦିନର ଝଡ଼ରେ ହଠାତ୍ ପୁଣି ସେ ଶିଖା ନିଭିଗଲା । ମୋର, ମୋର ସ୍ନେହର କଳାବତୀ ଏଠାରେ ଚିରିଦିନ ପାଇଁ ବିଶ୍ରାମ କରୁଛି ।”

 

ଜୟନ୍ତ ସେଇ ନିର୍ଜନ ସମାଧି ଚତ୍ଵର ଉପରେ ନୀରବରେ ବସି ରହିଲା । କେତେ କାଳ୍ପନିକ ଦୃଶ୍ୟ ତା’ ଆଖି ଆଗରେ ଭାସି ଉଠିଲା । କେଉଁ ଦେଶରେ ଏ ଝିଅଟି ଜନ୍ମଲାଭ କରିଥିଲା, କିଏ ଥିଲେ ତା’ର ପିତାମାତା, କିପରି ଭାବରେ ଯେ ସେ ପୁରନ୍ଦର ବାବୁଙ୍କ କୋଳକୁ ଆସିଲା, ସେକଥା କେହି ଜାଣନ୍ତି ନାହିଁ । ତା’ ପରେ ଏଇ ଘରେ ସେ କେତେ ଖେଳିଛି, ବୁଲିଛି । ଖରାବେଳେ ଏଇ ବଣ ଭିତରେ ହୁଏତ ପିଜୁଳି, ଜାମୁ, ଆମ୍ବ କେତେଥର ତୋଳି ଖାଇଛି । କିପରି ଥିଲା ତା’ର ବାଲ୍ୟର କ୍ରୀଡ଼ା ବା ପ୍ରଥମ ଯୌବନର ଆକାଶଚୁମ୍ବୀ ଅଭିଳାଷ, ସେ କଥା ଜୟନ୍ତ ଜାଣି ପାରିବ ନାହିଁ । କେବଳ ତା’ର ନିର୍ଜୀବ ସୌନ୍ଦର୍ଯ୍ୟ ଖଣ୍ଡିଏ ତୈଳ ଚିତ୍ର ଆକାରରେ ଘର କାନ୍ଥରେ ଝୁଲୁଛି ।

 

ତା’ ନିକଟକୁ ପୁରନ୍ଦର କାନନଗୋଙ୍କର ସମାଧି । ଜୟନ୍ତ କେତେଗୁଡ଼ିଏ ତଟକା ଫୁଲ ସଂଗ୍ରହ କରି ପୁରନ୍ଦରଙ୍କର ସମାଧି ଉପରେ ରଖି ଗୋଟିଏ ପ୍ରଣାମ କଲା । ତା’ ପରେ ଗୋଟିଏ ଦୀର୍ଘ ନିଶ୍ୱାସ ତ୍ୟାଗ କରି ସେ ସ୍ଥାନ ପରିତ୍ୟାଗ କଲା ।

 

କିଛିଦୂରରେ ସୁନାମଣୀର ରହିବା ଘର । ଏ ସ୍ତ୍ରୀ ଲୋକଟିକୁ ଜୟନ୍ତ ଏ ପର୍ଯ୍ୟନ୍ତ ଦେଖି ନାହିଁ । ମଧୁସୂଦନ ତା’କୁ ‘ମାତାଜୀ’ ବୋଲି କହିଲା । ସେ କୁଆଡ଼େ ମଣିଷ ମୁଣ୍ଡ ଓ ହାଡ଼ ଗଦାକରି ଦିନରାତି ଘର ଭିତରେ କ’ଣ ସବୁ ପୂଜା କରୁଥାଏ ।

 

ତା’ ଛଡ଼ା, ସ୍ଵୟଂ ପୁରନ୍ଦର ବାବୁ ମଧ୍ୟ ଏଇ ସ୍ତ୍ରୀ ଲୋକଟିକୁ ତାଙ୍କ ଉଇଲରେ ବହୁ ଅର୍ଥ ଦେଇ ଯାଇଛନ୍ତି । ତାଙ୍କ ପତ୍ରରେ ମଧ୍ୟ ଜୟନ୍ତକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ସେ ଯେପରି ସୁନାମଣୀକୁ ସାମାନ୍ୟ ପରିଚାରିକା ବୋଲି ଜ୍ଞାନ ନକରେ ।

 

ଜୟନ୍ତ ଯାଇ ସୁନାମଣୀର କୁଟୀର ନିକଟରେ ପହଞ୍ଚିଲା । ଘର ଭିତରେ ଗୋଟିଏ ବେଦୀ ଉପରେ ଲୋକ ଜିହ୍ଵା କାଳୀ ମୂର୍ତ୍ତି ବିଦ୍ୟମାନ । ଅଜସ୍ର ଅସ୍ଥି ଓ ନରମୁଣ୍ଡ ଗଦା ହୋଇଛି । ଘର ମଝିରେ ଗୋଟିଏ ଯଜ୍ଞକୁଣ୍ଡ । ବଡ଼ ଖଣ୍ଡେ କାଠ ଗରିଣ୍ଡାରେ ନିଆଁ ଜକ୍ ଜକ୍ ହେଉଛି ! କାଳୀ ପ୍ରତିମା ଯେପରି ଜୀବନ୍ତ । ପ୍ରତିମା ସାମନାରେ ଗୋଟିଏ ମଧ୍ୟ ବୟସ୍କା ସ୍ତ୍ରୀ ଲୋକ ପଦ୍ମାସନରେ ଧ୍ୟାନମଗ୍ନା ହୋଇ ବସି ରହିଛି । ଅଙ୍ଗରେ ଗେରୁଆ ବସ୍ତ୍ର । ନିକଟରେ ଗୋଟିଏ ତ୍ରିଶୂଳ ଭୂଇଁରେ ପୋତା ହୋଇଛି । ଜୟନ୍ତ କାଳୀ ବିଗ୍ରହ ଉଦ୍ଦେଶ୍ୟରେ ଭୁଇଁରେ ମୁଁଣ୍ଡ ଲଗାଇ ପ୍ରଣାମ କଲା । ସ୍ତ୍ରୀ ଲୋକଟି ହଠାତ୍ ଆଖି ମେଲାଇ ଜୟନ୍ତକୁ ଚାହିଁଲା । ଅତି ତୀବ୍ର ଓ ଅନ୍ତର୍ଭେଦୀ ଦୃଷ୍ଟି । ସେ ଦୃଷ୍ଟି ସାମନାରେ ଜୟନ୍ତର ସର୍ବ ସତ୍ତା ଯେପରି ସମ୍ମୋହିତ ହୋଇଗଲା । ଗୁରୁଗମ୍ଭୀର କଣ୍ଠରେ ସ୍ତ୍ରୀ ଲୋକଟି କହିଲା–ମୁଁ ତୁମକୁ ଚିହ୍ନି ପାରିଛି । ତୁମେ ପୁରନ୍ଦର କାନନଗୋଙ୍କର ଭଣଜା । ଏ ଘର ତୁମେ ବର୍ତ୍ତମାନ ଦଖଲ କରିଛ । ବର୍ତ୍ତମାନ ତୁମେ ଏଠାରୁ ଚାଲି ଯାଅ । ମୁଁ ପୂଜା କରିବି ।

 

ଜୟନ୍ତ ଚମକି ପଡ଼ିଲା । ଏହା ତ ଆଦୌ ସ୍ତ୍ରୀ ଲୋକର କଣ୍ଠସ୍ଵର ନୁହେଁ । ତେବେ କ’ଣ କୌଣସି କାପାଳିକ ସ୍ତ୍ରୀ ଲୋକର ଛଦ୍ମବେଶରେ ଏଠାରେ ରହି ତନ୍ତ୍ର ସାଧନା କରୁଛି ! ଏଇ କ’ଣ ସୁନାମଣୀ !

 

ନିର୍ମମ କାପାଳିକମାନଙ୍କର ଅମାନୁଷିକ କାର୍ଯ୍ୟକଳାପ ବିଷୟରେ ଜୟନ୍ତ ବହୁ ଗଳ୍ପ ଶୁଣିଛି । ତନ୍ତ୍ରର ଅଦ୍ଭୁତ ଶକ୍ତିବଳରେ ସେମାନେ ଜୀବନ୍ତ ମଣିଷଙ୍କୁ ପଶୁରେ ରୂପାନ୍ତରିନ୍ତ କରି କାଳୀଙ୍କ ନିକଟରେ ବଳି ଦିଅନ୍ତି । ଭୂତ ପ୍ରେତମାନେ ସେମାନଙ୍କର କିଣା କିଙ୍କର, ସେ ଭୟାବହ ସ୍ଥାନରୁ ଜୟନ୍ତ ପଳାଇ ଆସିଲା ।

 

X X X

 

ସନ୍ଧ୍ୟାର କିଛିକ୍ଷଣ ପୂର୍ବରୁ ଓକିଲ ଅଶୋକ ମହାପାତ୍ର ଆସି ପହଞ୍ଚିଲେ । –ମୁଁ ଆଶଙ୍କା କରିଥିଲି ଯେ ହୁଏତ ଆପଣ ଏତେବେଳେ ଘରେ ନ ଥିବେ । ଆପଣ ନୂଆ ଆସି ଏ ସମ୍ପତ୍ତି ଦଖଲ କଲେ । କୌଣସି ଅସୁବିଧା ନାହିଁତ ? ମୁଁ କୋର୍ଟରୁ ସିଧା ଆସିଛି । ଆପଣଙ୍କର ସୁବିଧା ଅସୁବିଧା ବୁଝିବାଟା ମୋର କର୍ତ୍ତବ୍ୟ ତ ?

 

ଜୟନ୍ତ ସାମନ୍ୟ ହସି କହିଳା–ନା, ନା, ମୋର କୌଣସି ଅସୁବିଧା ନାହିଁ । କିଛି ପ୍ରୟୋଜନ ହେଲେ ମୁଁ ଆପଣଙ୍କୁ କହିବି । ଆଜି ରାତିରେ ଦିଲ୍ଲୀରୁ ମୋର ଜଣେ ଶିଖ୍‌ବନ୍ଧୁ ଆସିବେ-। ସେ ମୋ ନିକଟରେ କିଛିଦିନ ରହିବେ ।

 

ଅମାୟିକ ହସ ହସି ଅଶୋକ ବାବୁ କହିଲେ–ଖୁବ ଭଲ କଥା । ହଁ, ପୁରନ୍ଦର ବାବୁ ଆପଣଙ୍କ ନାମରେ ବ୍ୟାଙ୍କରେ ଯେଉଁ ଲଫାପାଟି ଗଚ୍ଛିତ କରି ଯାଇଥିଲେ, ତା’ ଭିତରେ କ’ଣ ଥିଲା-?

 

–ଅତି ବିଚିତ୍ର ଓ ଅର୍ଥହୀନ ଗୋଟିଏ ଲେଖା ସେଥିରେ ଥିଲା । ମୁଁ ସେଥିରୁ କିଛି ବୁଝି ପାରିଲି ନାହିଁ ।

 

–ସତେ ନା ! ମୋତେ ଥରେ ସେ ଲେଖାଟି ଦେଖାଅ ତ ! ଚେଷ୍ଟାକରି ଦେଖିବି, ମୁଁ ଯଦି ସେ ଲେଖାଟିର ଅର୍ଥ ଆବିଷ୍କାର କରି ପାରେ !

 

ଜୟନ୍ତ ବ୍ୟାଗରୁ ଲଫାପାଟି ଆଣି ଅଶୋକ ବାବୁଙ୍କ ହାତରେ ଦେଲା । ଅଶୋକ ମହାପାତ୍ର ଲଫାପା ଭିତରୁ କାଗଜ ଖଣ୍ଡିକ କାଢ଼ି ବହୁକ୍ଷଣ ପର୍ଯ୍ୟନ୍ତ ଦେଖିଲେ । ତା’ ପରେ କହିଲେ–ନା, କିଛି ବୁଝି ହେଉ ନାହିଁ । ନିଶ୍ଚୟ ଏହା ଏକ ଗଭୀର ଅର୍ଥପୂର୍ଣ୍ଣ ସାଙ୍କେତିକ ଲିପି ।

 

ଏହା କହି ନିଜର ନୋଟ ବହିରେ ଲେଖାଟିର ଗୋଟିଏ ଅବିକଳ ନକଲ କରି ନେଇ କାଗଜ ଖଣ୍ଡିକ ଜୟନ୍ତକୁ ଫେରାଇ ଦେଲେ । ତା’ପରେ କହିଲେ–ଏଠାରେ କୌଣସି ପଡ଼ୋଶୀ ସହିତ ଆପଣଙ୍କର ଆଳାପ ହେଲାଣି କି ? ଅବଶ୍ୟ ଏ ନିର୍ଜନ ସ୍ଥାନଟିରେ ଅଧିକ ଲୋକ ନାହାନ୍ତି ।

 

–କେବଳ ନିକଟରେ ବାସ କରୁଥିବା ରେଭରେଣ୍ଡ ନାୟକ ଓ ତାଙ୍କ କନ୍ୟା ଜୁଲି ସହିତ ମୋର ଆଳାପ ହୋଇଛି । ଖୁବ ଭଲ ଲୋକ ସେମାନେ ।

 

–ଓ ! ହଁ, ହଁ । ଅଳ୍ପ କିଛିଦିନ ହେଳା ଜଣେ ଖ୍ରୀଷ୍ଟିଆନ ପାଦ୍ରୀ ଓ ତାଙ୍କର କନ୍ୟା ଗୀର୍ଜା ନିକଟରେ ଆସି ରହିଛନ୍ତି । ପୁରନ୍ଦର ବାବୁ ବଞ୍ଚିଥିବା ବେଳେ ଏଇ ଘରେ ତାଙ୍କ ସହିତ ମୋର ଥରେ ବା ଦୁଇ ଥର ସାକ୍ଷାତ ହୋଇଛି । ହଁ, ପ୍ରକୃତରେ ସେ ଖୁବ ଭଲ ମଣିଷ । ଆଚ୍ଛା, ମୁଁ ଏବେ ଯାଉଛି । ପ୍ରୟୋଜନ ବୋଧ କଲେ ମୋତେ ଖବର ଦେବେ ।

 

ସେତେବେଳକୁ ସଞ୍ଜ ହୋଇ ଯାଇଥିଲା । ଅଶୋକ ବାବୁ ବାହାରି ଗଲେ । କିଛିକ୍ଷଣ ପରେ ଜୟନ୍ତ ଆସି ବରନ୍ଦାର ରେଲିଂ ଧରି ଛିଡ଼ା ହେଲା ତଳେ ବଣ ଜଙ୍ଗଲ ସବୁ ଅନ୍ଧକାର କୋଳରେ ଲୀନ ହୋଇଗଲାଣି ସେଇ ଅନ୍ଧାକାରର ପ୍ରଚ୍ଛଦପଟରେ ଦୂରରେ କଳାବତୀର ମାର୍ବଲ ପଥରରେ ସମାଧି ସ୍ତମ୍ଭଟି ଅସ୍ପଷ୍ଟ ଭାବରେ ଦେଖା ଯାଉଛି । ସେଇ ବଣ ଭିତରେ ହଠାତ୍ ଗୋଟିଏ ଚଳମାନ ମଣିଷ ମୂର୍ତ୍ତି ଉପରେ ଜୟନ୍ତର ଦୃଷ୍ଟି ପଡ଼ିଲା ଲୋକଟିକୁ ଜୟନ୍ତ ଚିହ୍ନିପାରି ଆଶ୍ଚର୍ଯ୍ୟ ହୋଇଗଲା । –ଆରେ, ଇଏ କ’ଣ ! ଓକିଲ ଅଶୋକ ମହାପାତ୍ର କୁଆଡ଼େ ଯାଉଛନ୍ତି !

 

ଜୟନ୍ତ ଚାହିଁ ରହିଲା । ଧୀରେ ଧୀରେ ଅଶୋକ ବାବୁ ସୁନାମଣୀର କୁଟୀର ଆଡ଼େ ଚାଲିଛନ୍ତି ! କିନ୍ତୁ କାହିଁକି !

 

ମଧୁସୂଦନର କଣ୍ଠସ୍ଵରରେ ଜୟନ୍ତର ଧ୍ୟାନ ଭଙ୍ଗ ହେଲା । –ହଜୁର ପାଦ୍ରୀ ସାହେବଙ୍କ ଝିଅ ତଳର ବୈଠକ ଖାନାରେ ବସିଛନ୍ତି । ସେ କହିଲେ ଯେ ଆପଣ ଆଜି ରାତିରେ ତାଙ୍କ ଘରେ ଖାଇବେ । ମୋତେ ଆପଣଙ୍କ ପାଇଁ ରାନ୍ଧିବାକୁ ମନା କଲେ ।

 

କାହିଁକି କେଜାଣି, ଜୁଲି ତା’ ପାଇଁ ଅପେକ୍ଷାକରି ବସିଛି ଶୁଣି ଗୋଟିଏ ଅପୂର୍ବ ପୁଲକରେ ଜୟନ୍ତର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ସାଙ୍ଗେ ସାଙ୍ଗେ ସେ ତଳ ମହଲାର ବୈଠକ ଖାନାକୁ ଚାଲିଗଲା । ବୈଠକ ଖାନାର ଗୋଟିଏ କୋମଳ ସୋଫା ଉପରେ ଘରର ଉଜ୍ଜ୍ୱଳ ବିଜୁଳି ଆଲୁଅକୁ ନିଜର ରୂପ ଜ୍ୟୋତିରେ ନିଷ୍ପ୍ରଭକରି ସୁନ୍ଦରୀ ଜୁଲି ବସିଥିଲା । ଭୂବନ ମୋହିନୀ ହସ ହସି ସେ ଜୟନ୍ତକୁ ସ୍ଵାଗତ କଲା । –ମୁଁ ଆପଣଙ୍କୁ ନିମନ୍ତ୍ରଣ କରିବାକୁ ଆସିଛି । ଆଜି ରାତିରେ ଆପଣ ଆମ ଘରେ ଖାଇବେ ।

 

–କିନ୍ତୁ ମୁଁ ତ ଆଜି.....

 

ଜୟନ୍ତକୁ କଥା ଶେଷ କରିବାକୁ ନ ଦେଇ ସାନ ଝିଅଟି ପରି ଜୁଲି ଗୋଡ଼ କଚାଡ଼ି ଜିଦ୍ କରି କହିଲା–ନା, ନା, କୌଣସି “କିନ୍ତୁ” ମୁଁ ଶୁଣିବି ନାହିଁ । ଅଜି ଖରାବେଳ ଯାକ ଲାଗି ମୁଁ ନିଜେ ସବୁ ରାନ୍ଧିଛି, ଆପଣ ନ ଖାଇଲେ ମୁଁ ମଧ୍ୟ ଖାଇବି ନାଇଁ । ସବୁ ଖାଦ୍ୟ ନେଇ ବାହାରେ ଢାଳି ଦେଇ ଆସିବି ।

 

ସୁତରାଂ ଜୁଲିର ନିମନ୍ତ୍ରଣ ଜୟନ୍ତ ଗ୍ରହଣ କଲା । କହିଲା–ଆଜି ରାତିରେ ମୋର ଜଣେ ବନ୍ଧୁ ଦିଲ୍ଲୀରୁ ଆସିବେ । ତାଙ୍କୁ ଆଣିବା ପାଇଁ ମୋତେ ରେଲ ଷ୍ଟେସନକୁ ଯିବାକୁ ହେବ ।

 

–ହଁ, ହଁ, ସେ କଥା ମୁଁ ଜାଣେ । ଡାଡି ମୋତେ କହିଛନ୍ତି । ଆପଣଙ୍କ ବନ୍ଧୁ ଆସୁଛନ୍ତି ବୋଲି ଗାଡ଼ିତ ଆଉ ରାତି ବାରଟା ପୂର୍ବରୁ ପଳାଇ ଆସିବ ନାହିଁ ! ତା’ର ବହୁ ପୂର୍ବରୁ ମୁଁ ଆପଣଙ୍କୁ ଛାଡ଼ି ଦେବି ।

 

ତା’ ପରେ ସୁନ୍ଦରୀ ତରୁଣୀର ଉଷ୍ମ ସାନ୍ନିଧ୍ୟରେ କେତୋଟି ଘଣ୍ଟା କଟିଗଲା । ଜୟନ୍ତ ଅନ୍ତରରୁ ସବୁ ଗ୍ଳାନ୍ନି-ସବୁ ଦୁର୍ଭାବନା ଅଦ୍ଭୁତ ଏକ କାଉଁରୀ ସ୍ପର୍ଶରେ କେଉଁ ଆଡ଼େ ଯେପରି ଉଭାଇ ଗଲା । ସହସା ଏକ ଦୁର୍ବଳ ମୂହୁର୍ତ୍ତରେ ଜୟନ୍ତ ଆବିଷ୍କାର କଲା ଯେ ଜୁଲି ପରମା ସୁନ୍ଦରୀ । ସେ ଏକାବେଳକେ ଅପୂର୍ବ ଓ ଅନନ୍ୟା । ଦୀର୍ଘ ଗୋଟିଏ ଚୁମ୍ବନ ପରି ସେଦିନ ସଞ୍ଜର କେତୋଟି ଘଣ୍ଟା କଟିଗଲା । ବହୁ ଯତ୍ନରେ ଜୟନ୍ତକୁ ଜୁଲି ଖୁଆଇଲା । ଅବଶେଷରେ ରାତି ଏଗାରଟା ବାଜିଲା । ରେଭରେଣ୍ଡ ନାୟକଙ୍କ ଠାରୁ ବିଦାୟ ନେଇ ଜୟନ୍ତ ନିଜ ଘରକୁ ଫେରି ଆସିଲା ।

 

ଦରୁଆନ ବସିର ଖାଁ ପ୍ରସ୍ତୁତ ହୋଇଥିଲା । ତା’ର ପୁରୁଣା ଖାକି ଜାମା ଦେହରେ ଫୌଜି ପଦକଗୁଡ଼ିକ ଝୁଲାଇ ଫୌଜି କାଇଦାରେ ସେ ଜୟନ୍ତକୁ ଗୋଟାଏ ସେଲ୍ୟୁଟ୍ କଲା । –ହଜୁର, ଆହୁରି ବହୁତ ବିଳମ୍ବ ଅଛି । ମୁଁ ଗୋଟାଏ ଟ୍ୟାକ୍‌ସିକୁ ବଇନା ଦେଇ ରଖିଛି । ସେ ଠିକ୍ ସମୟରେ ଆସି ପହଞ୍ଚିବ । ଆପଣ କିଛିକ୍ଷଣ ବସନ୍ତୁ ।

 

ଜୟନ୍ତ ଖଣ୍ଡିଏ ଚୌକିରେ ବସି ଗଳ୍ପ ଆରମ୍ଭ କଲା । –ଆଚ୍ଛା, ବସିର ମିଆଁ, ତୁମେ ପଲ୍‌ଟନ୍‌ ରେ କେତେବର୍ଷ ଥିଲ ?

 

–ଦଶ ବର୍ଷ ଥିଲି ହଜୁରୁ । ପ୍ରଥମେ ଜର୍ମାନୀ ଯୁଦ୍ଧରେ ମୁଁ ବସୋରାରେ, ଇଜିପ୍‌ଟରେ, ମେସୋପଟେମିଆଁରେ ଲଢ଼ାଇ କରିଛି । ଏଇ ହାତରେ ଶହ ଶହ ଦୁଷମନ୍‌ଙ୍କର ଜାନ୍‌ ନେଇଛି । ମରୁଭୂମି ଭିତରେ ମୁଁ ତିନିବର୍ଷ କଟାଇଛି ହଜୁର । ସେ ଦୁଃଖ କହି ମୁଁ ବୁଝାଇ ପାଇବି ନାଇଁ ହଜୁର-। ରେସନ ନାହିଁ, ଟୋପାଏ ହେଲେ ପାଣି ନାହିଁ, ଟ୍ରେଞ୍ଚ ଭିତରେ ଦିନ ଦିନ ଧରି ଆମେ କଟାଇଛୁ । ଦୁଷମନ ମୁଣ୍ଡ ଉପରେ ହାଓ୍ୱାଇ ଜାହାଜରୁ ଗୁଳି ଚଲାଉଛନ୍ତି । ଟ୍ରେଞ୍ଚ ଭିତରେ ବି ବହୁ ଜଓ୍ୟାନ୍ ମୋ’ରି ଆଖି ଆଗରେ ମଲେ । ହେଲେ ହଜୁର, ମୁଁ ବଞ୍ଚିଗଲି । ଲଢ଼ାଇରେ ବହୁ ମୃତ୍ୟୁ ମୁଁ ଦେଖିଛି-

 

–ତୁମର ଘର କେଉଁ ସ୍ଥାନରେ ? ଜୟନ୍ତ ପଚାରିଲା ।

 

–ଇଉ. ପି. ର ବାଲିଆ ଜିଲ୍ଲାର ଦେହାତ୍‌ରେ ମୋର ଘର ହଜୁର । ହେଲେ ସେଠାରେ ମୋ’ର ଆଉ ନିଜର ହୋଇ କେହି ନାହାନ୍ତି । ପ୍ଲେଗ୍‌ରେ ମୋର ସ୍ତ୍ରୀ ଆଉ ଚାରୋଟି ପିଲା ଆଗ ପଛ ହୋଇ ମରିଗଲେ । ନିଜ ହାତରେ ମୁଁ ସେମାନଙ୍କୁ ଗୋର୍ ଦେଇ ଗାଁ ଛାଡ଼ି ଚାଲି ଆସିଲି । ସେଇ ଦିନଠାରୁ ମୁଁ ଆଉ ଯାଇ ନାହିଁ ।

 

କିଛିକ୍ଷଣ ନୀରବ ରହି ହଠାତ୍ ଜୟନ୍ତ ପଚାରିଲା–ଆଚ୍ଛା, ବସିର ଏ ଘରେ କ’ଣ ଭୂତ ଅଛନ୍ତି ?

 

ପରମ ଦାର୍ଶନିକ ପରି ବସିର କହିଲା–ସେମାନେ କେଉଁଠାରେ ବା ନାହାନ୍ତି ହଜୁର ! ମରୁଭୂମି ଭିତରେ ମୋ ନିଜ ଆଖିରେ ସେମାନଙ୍କୁ କେତେଥର ଦେଖିଛି । ଯେଉଁ ମାନଙ୍କର ମୁର୍ଦ୍ଦାରକୁ ମୁଁ ନିଜ ହାତରେ ଗୋର୍‌ ଦେଇଛି, ରାତିରେ ତାରା ଆଲୁଅରେ ମୁଁ ପୁଣି ସେଇମାନଙ୍କୁ ବାଲି ଉପରେ ବୁଲୁଥିବାର ଦେଖିଛି । କେବଳ ମୁଁ ନୁହେଁ, ବହୁ ଫୌଜି ଜଓ୍ୱାନ୍ ଏପରି ଦେଖିଛନ୍ତି ।

Unknown

 

–କିନ୍ତୁ ଏ ଘରେ ତୁମେ କେବେ ଭୂତ ଦେଖିଛ ?

 

–ଦେଖିଛ ହଜୁର । ବହୁତ ଥର ଦେଖିଛି । ପୂର୍ବେ ଏଠାରେ ବେଶୀ ଭୂତ ନଥିଲେ । ବଡ଼ ସାହେବଙ୍କ ମୃତ୍ୟୁ ପରେ ଅନେକ ଭୂତ ଦେଖା ଯାଉଛନ୍ତି । କିନ୍ତୁ କିଛି ଫିକର କରନ୍ତ ନାହିଁ ହଜୁର । ଜଣେ ଫକୀରଙ୍କ ସଙ୍ଗେ ମୋର ପରିଚୟ ଅଛି । ସେ ସିଦ୍ଧ ପୁରୁଷ । ତିନିଥର ହଜ୍ କରି ଆସିଛନ୍ତି । କାଇପଦାରରେ ଯେଉଁ ବୁଖାରୀ ସାହେବ ଅଛନ୍ତି ସେଇଠାରେ ତାଙ୍କର ଆସ୍ତାନ୍ । ମୁଁ ତାଙ୍କଠାରୁ ଆପଣଙ୍କ ପାଇଁ ଗୋଟିଏ ତାବିଜ୍ ଆଣି ଦେବି । ସେ ତାବିଜ୍ ଦେହରେ ଥିଲେ ସେମାନେ କିଛି ଅନିଷ୍ଟ କରି ପାରିବେ ନାହିଁ ।

 

ଯଥା ସମୟରେ ଜୟନ୍ତ ଯାଇ ରେଲ ଷ୍ଟେସନରେ ପହଞ୍ଚିଲା । କିଛିକ୍ଷଣ ପରେ ଆସାନସୋଲ ଟ୍ରେନ ଆସି ପହଞ୍ଚିଲା । ଖଣ୍ଡିଏ ପ୍ରଥମ ଶ୍ରେଣୀର କୁପେ ଭିତରୁ ଜଣେ ପ୍ରିୟଦର୍ଶନ ଶିଖ ଯୁବକ ଡେଇଁ ପଡ଼ି ଜୟନ୍ତକୁ ଆନନ୍ଦରେ କୁଣ୍ଡାଇ ପକାଇଲା । ଯେପରି ବହୁଦିନ ପରେ ପ୍ରିୟବନ୍ଧୁକୁ ସେ ଦେଖି ପାରିଛି । ଜୟନ୍ତ ଆଶ୍ଚର୍ଯ୍ୟ ହୋଇଗଲା । ଅତି ନିର୍ଭୁଲ ଛଦ୍ମବେଶ । ଏଇ ଶିଖ ଯୁବକଟି ଯେ ପ୍ରକୃତରେ ଛଦ୍ମବେଶୀ ବାରିଷ୍ଟର ବିକ୍ରମ ସାମନ୍ତରାୟ ଏକଥା ଜାଣିବା ଅସମ୍ଭବ-। କେବଳ ଚେହେରାରେ ନୁହେଁ କଣ୍ଠ ସ୍ଵର ମଧ୍ୟ ବିକ୍ରମ ସମ୍ପୂର୍ଣ୍ଣ ବଦଳାଇ ଦେଇ ପାରିଛି ।

 

ସେଦିନ ରାତିରେ ଗୋଟି ଗୋଟି କରି ଛଦ୍ମବେଶୀ ଜଗଜିତ୍ ସିଂକୁ ଜୟନ୍ତ ସବୁ କଥା ଜଣାଇଲା । ଓକିଲ ଅଶୋକ ବାବୁଙ୍କ କଥା ମଧ୍ୟ କହିଲା । କି ଉଦ୍ଦେଶ୍ୟରେ କେଜାଣି, ଅଶୋକ ମହାପାତ୍ର ସେ ସାଙ୍କେତିକ ଲିପିଟିକୁ ଦେଖିବାକୁ ଚାହିଁଲେ । ତା’ପରେ ନିଜର ନୋଟ ବହିରେ ତା’ର ଗୋଟିଏ ନକଲ ନେଇଗଲେ । ତା’ ପରେ ବଣ ଭିତର ଦେଇ ସେ ସୁନାମଣୀର ଘର ଆଡ଼କୁ ଯିବାର ଦେଖାଗଲା । କ’ଣ ଯେ ତାଙ୍କର ଉଦ୍ଦେଶ୍ୟ ସେ କଥା କେବଳ ସେଇ ଜାଣନ୍ତି ।

 

ତା’ ପରେ ସୁନାମଣୀ କଥା କହିବାକୁ ଯାଇ ଜୟନ୍ତ କହିଲା–ବିକ୍ରମ ବାବୁ, ମୋର ଦୃଢ଼ ବିଶ୍ୱାସ ଯେ ସେ ଆଦୌ ସ୍ତ୍ରୀଲୋକ ନୁହେଁ । ସ୍ତ୍ରୀ ଲୋକର ଛଦ୍ମବେଶରେ ସେ ଗୋଟାଏ ଭୀଷଣ ପ୍ରକୃତି କାପାଳିକ ।

 

ତା’ ପରେ ବିକ୍ରମ ଓ ଜୟନ୍ତ ଠିକ୍ କଲେ ଯେ, ଗଭୀର ରାତିରେ ସେମାନେ ସୁନାମଣୀର କୁଟୀର ନିକଟକୁ ଯିବେ । କି ରହସ୍ୟ ଓ ବିଭୀଷିକା ସେଠାରେ ଲୁଚି ରହିଛି, ତାହା ସେମାନେ ସ୍ଵଚକ୍ଷୁରେ ଦେଖିବେ ।

 

ଗୋଟିଏ ଶକ୍ତିଶାଳୀ ଟର୍ଚ୍ଚ ଓ ରିଭଲ୍‌ଭର ନେଇ ଜୟନ୍ତ ଓ ବିକ୍ରମ ଜଙ୍ଗଲ ଭିତରେ ଚାଲିଲେ । ମଧୁସୂଦନ ଓ ବସିର ଖାଁ ଗେଟ ନିକଟରେ ଥିବା ନିଜ ନିଜର କୋଠରୀରେ ସୁସୁପ୍ତ । କିପରି ଏକ ଭୟାଳ ପରିବେଶ । ବାୟୁ ସ୍ତରରେ ଯେପରି ଏକ ଅଦୃଶ୍ୟ ବିଭୀଷିକା ଭାସି ବୁଲୁଛି । ଅନ୍ଧାରୁଆ ଗଛ ଡାଳରୁ ଗୋଟାଏ ରାତ୍ରିଚର ପକ୍ଷୀ ଫଡ଼୍‍ ଫଡ଼୍‍ ହୋଇ ଉଡ଼ିଗଲା । ଜୟନ୍ତ ଓ ବିକ୍ରମ ଚମକି ଉଠିଲେ । ତା’ ପରେ ନିଜକୁ ସମ୍ଭାଳି ନେଇ ଆଗେଇ ଚାଲିଲେ ।

 

ଅଦୂରରେ କଳାବତୀର ସମାଧି ସ୍ତମ୍ଭ । ହଠାତ୍ କ’ଣ ଦେଖି ଜୟନ୍ତ ଛିଡ଼ା ହୋଇଗଲା । ତା’ ବିକ୍ରମର ମଧ୍ୟ ଦୃଷ୍ଟି ଆକର୍ଷଣ କଲା । ଉଭୟେ ଦେଖିଲେ ପୁଞ୍ଜିଭୂତ ଅନ୍ଧକାର ପରି ଗୋଟିଏ ମଣିଷ ମୂର୍ତ୍ତି ସମାଧି ଚତ୍ୱର ଉପରେ ଠିଆ ହୋଇଛି । ଭୟରେ ଦୁହିଁଙ୍କର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ମୂର୍ତ୍ତିଟା ଉପରକୁ ଟର୍ଚ୍ଚ ଆଲୁଅ ପକାଇବ ନାହିଁ ଜୟନ୍ତ ଭାବୁଛି, ଏହି ସମୟରେ ଧୀରେ ଧୀରେ ମୂର୍ତ୍ତିଟି ଦୂରକୁ ଚାଲି ଯାଇ ଅନ୍ଧକାର ଭିତରେ ମିଳାଇ ଗଲା ।

 

ଅନ୍ତରରେ ନୂତନ ସାହସ ସଞ୍ଚୟ କରି ଦୁଇଜଣଯାକ ଆଗେଇ ଚାଲିଲେ । ଅଦୂରରେ ବଡ଼ ଗୋଟାଏ ତେନ୍ତୁଳି ଗଛ ମୂଳେ ସୁନାମଣୀର କୁଟୀର । କବାଟ ବନ୍ଦ ହୋଇଛି । କିନ୍ତୁ ଦୁଆରର ଛିଦ୍ର ପଥ ଦେଇ ଆଲୋକ ଦେଖା ଯାଉଛି । ଅତି ସନ୍ତର୍ପଣରେ ଦୁଇଜଣ ଯାକ ଆସି ବାହାରେ ଛିଡ଼ା ହେଲେ । ଗୁରୁ ଗମ୍ଭୀର କଣ୍ଠରେ ଭିତରୁ ମନ୍ତ୍ର ପାଠ ଶୁଣା ଯାଉଛି । ନିମ୍ନ ସ୍ଵର ହେଲେ ମଧ୍ୟ କର୍କଶ ପୁରୁଷ କଣ୍ଠର ଧ୍ୱନି । କବାଟର ଛିଦ୍ର ପଥ ଦେଇ ସେମାନେ ଭିତରକୁ ଚାହିଁଲେ । କିନ୍ତୁ ଯାହା ଦେଖିଲେ ସେଥିରେ ଦୁଇଜଣଯାକ ଭୟରେ ସ୍ତମ୍ଭିତ ହୋଇଗଲେ । ସେମାନଙ୍କର ରକ୍ତ ପ୍ରବାହ ଶୀତଳ ହୋଇଗଲା । ଭୟରେ ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା ।

 

ଘର ଭିତରେ ଗୋଟିଏ ପ୍ରଦୀପ ଜଳୁଛି । ବେଦୀ ଉପରେ କାଳୀଙ୍କ ପ୍ରତିମା ଯେପରି ଜୀବନ୍ତ । ଆଖିରୁ ନିଆଁ ବାହାରୁଛି । ଧୂପ ଧୂଆଁରେ କୋଠରୀଟି ପ୍ରୟାନ୍ଧକାର । ପ୍ରତିମା ସାମନାରେ ସୁନାମଣୀ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ପଦ୍ମାସନରେ ବସି ମନ୍ତ୍ର ପାଠ କରୁଛି । ଆଉ କେତୋଟି ଅସ୍ଥିମୟ ନରମୁଣ୍ଡ ଶୂନ୍ୟରେ ଭାସି ଭାସି ଘର ଭିତରେ ବୁଲୁଛନ୍ତି ।

 

ତା’ ପରେ କିପରି ଭାବରେ ଯେ ସେମାନେ ସେଠାରୁ ପଳାଇ ଆସିଛନ୍ତି ତାହା ତାଙ୍କୁ ଜଣା ନାହିଁ । ସମ୍ପୂର୍ଣ୍ଣ ବାହ୍ୟଜ୍ଞାନ ଶୂନ୍ୟ ଅବସ୍ଥାରେ ସେମାନେ ଦୌଡ଼ିଛନ୍ତି । ଅବଶେଷରେ ବିନା ଦୁର୍ଘଟଣାରେ ସେମାନେ ନିଜ ନିଜର କୋଠରୀ ଭିତରେ ପଶି ଦୁଆର କିଳି ଦେଇଛନ୍ତି । ତା’ପରେ ଚୈତନ୍ୟ ହୀନ ଅବସ୍ଥାରେ ବିଛଣାରେ ପଡ଼ି ଯାଇଛନ୍ତି ।

 

–ଚାର–

 

ଘଟଣାବହୁଳ ଦୁଇଟି ଦିନ ଓ ଦୁଇଟି ରାତି କଟି ଯାଇଛି ।

 

ପ୍ରତି ରାତିରେ ସେହିପରି ବିଚିତ୍ର ଶବ୍ଦ ଶୁଣା ଯାଉଛି । ସିନ୍ଦୁକ, ଆଲମାରୀ ଓ ଘରର କପ୍ ବୋର୍ଡ଼ ପ୍ରଭୃତି କେଉଁ ଅଦୃଶ୍ୟ ହାତର ଆଘାତରେ ଭାଙ୍ଗି ଧ୍ଵଂସ ହୋଇ ଯାଇଛି । ଜଙ୍ଗଲ ଭିତରେ କେତେ ଛାୟା ମୂର୍ତ୍ତି ଦେଖା ଯାଉଛନ୍ତି । ଏହିପରି ଭୟାବହ କାଣ୍ଡମାନ ପ୍ରତିଦିନ ଚାଲିଛି ।

 

ଏପରି ଭୟାବହ ପରିବେଶରେ ମଧ୍ୟ ଜୟନ୍ତ ଓ ଜୁଲି ମଧ୍ୟରେ ଏକ ମଧୁର ସମ୍ପର୍କ ସୃଷ୍ଟି ହୋଇଛି । ରେଭରେଣ୍ଡ ନାୟକ ଏକ ଆଧ୍ୟାତ୍ମିକବାଦୀ ଉଦାସୀ ବ୍ୟକ୍ତି । କନ୍ୟାର ସ୍ଵାଧୀନତା ଉପରେ ସେ ଆଦୌ ହସ୍ତକ୍ଷେପ କରନ୍ତି ନାହିଁ । ଏପରି କ୍ଷେତ୍ରରେ ଯାହା ଅନିବାର୍ଯ୍ୟ, ତାହାହିଁ ଘଟିଛି । ଜୟନ୍ତ ଓ ଜୁଲି ମଧ୍ୟରେ ପରିଚୟଟି ଅତି ଅଳ୍ପକାଳ ଭିତରେ ଗଭୀର ପ୍ରଣୟରେ ପରିଣତ ହୋଇଛି । ଜଣକୁ ଛାଡ଼ି ଆଉ ଜଣେ ରହି ପାରୁନାହିଁ । ଗୀର୍ଜ ପଛପଟ ନିର୍ଜନ କବର ସ୍ଥାନରେ ଦୁଇଜଣ ଯାକ ଘଣ୍ଟା ଘଣ୍ଟା ଧରି ଗଳ୍ପକରି କଟାଇ ଦିଅନ୍ତି । ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଓ ଅର୍ଥହୀନ ସେ ଗଳ୍ପ । ପ୍ରଥମ ପ୍ରେମର ଉଷ୍ମସ୍ପର୍ଶରେ ଜୟନ୍ତ ସବୁ ଭୁଲି ଯାଇଛି । ବିକ୍ରମ ତା’ ଘରେ ଅତିଥି । ତା’ରି ଅନୁରୋଧ କ୍ରମେ ସେ ଏଠାରେ ଛଦ୍ମବେଶରେ ରହି ଏଇ ଭୌତିକ ରହସ୍ୟର ତଦନ୍ତ କରୁଛି । ତାର ଯେପରି କୌଣସି ଅସୁବିଧା ନହୁଏ, ଏକଥା ବୁଝିବା ଜୟନ୍ତର କର୍ତ୍ତବ୍ୟ । କିନ୍ତୁ ତାହା ମଧ୍ୟ ସେ ସମ୍ପୂର୍ଣ୍ଣ ରୂପେ ଭୁଲି ଯାଇଛି ।

 

ଏଇ ଦୁଇଦିନ ଭିତରେ କେତେ ଅଦ୍ଭୁତ ଘଟଣା ଘଟି ଯାଇଛି । ଜୟନ୍ତ ରାତିରେ ଶୋଇଥିଲା । କୋମଳ ଶଯ୍ୟା ଉପରେ ଶୋଇ ସେ ଗୋଟିଏ ସୁନ୍ଦର ସ୍ଵପ୍ନ ଦେଖିଛି । ମହାଶୂନ୍ୟ ଭିତର ଦେଇ ସେ ଓ ଜୁଲି ଉଡ଼ି ଯାଉଛନ୍ତି । ଜୟନ୍ତ ଛାତି ଉପରେ ଜୁଲିର ମୁଣ୍ଡ । ତା’ର କୋମଳ ସ୍ପର୍ଶରେ ଜୟନ୍ତର ସର୍ବାଙ୍ଗ ରୋମାଞ୍ଚିତ । ନୀଳ ଆକାଶରେ ଜ୍ୟୋଛନାର ତରଙ୍ଗ ବୋହୁଛି । ସେଇ ତରଙ୍ଗରେ ଉଭୟେ ଭାସି ଚାଲିଛନ୍ତି । ମହାକାଶ ବକ୍ଷରୁ ପୃଥିବୀର ଓ ଅନ୍ୟାନ୍ୟ ଗ୍ରହ ନକ୍ଷତ୍ରମାନ ସମ୍ପୂର୍ଣ୍ଣ ଲୋପ ପାଇଛନ୍ତି । ସେ ଅନନ୍ତ ମହାଶୂନ୍ୟରେ କେବଳ ଦୁଇଟି ପ୍ରାଣୀ ଭାସି ବୁଲୁଛନ୍ତି । ଜୟନ୍ତ ଆଉ ଜୁଲି...

 

ହଠାତ୍ କ’ଣ ହେଲା କେଜାଣି । ଆକାଶ ବୁକୁରେ ଏକ ଭୀଷଣ ବିସ୍ଫୋରଣ ଘଟିଲା । ଚାରିଆଡ଼ ଅନ୍ଧକାର କରି ମହାଶୂନ୍ୟରୁ ଗୋଟାଏ ଭୀଷଣ ରାକ୍ଷସ ସେମାନଙ୍କୁ ଗିଳି ପକାଇବ ବୋଲି ହାଁ କରି ଧାଇଁ ଆସିଲା । ଗୋଟାଏ ଭୀଷଣ ଶବ୍ଦ ହେଲା । କ୍ଷଣକ ଭିତରେ ଜୟନ୍ତର ସୁଖ ସ୍ଵପ୍ନ ମିଳାଇ ଗଲା । ଚମକି ପଡ଼ି ସେ ବିଛଣା ଉପରେ ଉଠି ବସିଲା । ଘର ଭିତରଟା ଅନ୍ଧାର ହୋଇଛି । ସେ ଦେଖିଲା ଯେ ଅଗ୍ନି ପିଣ୍ଡ ପରି ଗୋଟାଏ ଉଜ୍ଜ୍ୱଳବସ୍ତୁ ଘର ଭିତରୁ ଡେଇଁ ଡେଇଁ ପଳାଇ ଯାଉଛି । ଶୋଇବା ପୂର୍ବରୁ ସେ କବାଟଟା ଭିତରୁ ବନ୍ଦ କରି ଦେଇଥିଲା । କିପରି କେଜାଣି, ଦୁଆରଟା ଖୋଲା ହୋଇଛି । ସେଇ ଖୋଲା ଦୁଆର ବାଟେ ଅଗ୍ନିପିଣ୍ଡଟା ବାହାରି ଗଲା-

 

ଜୟନ୍ତର ସର୍ବାଙ୍ଗ ଭୟରେ ଶୀତେଇ ଉଠିଲା । ଦେହର ସବୁ ଶକ୍ତି ଏକତ୍ରିତ କରି ସେ ଖଟ ଉପରୁ ଓହ୍ଳାଇ ପଡ଼ି ବିଜୁଳି ବତୀ ଜଳାଇ ଦେଲା । ଘର ଭିତରେ ଥିବା ସବୁ ପଦାର୍ଥ ଠିକ୍‍ ଅଛି-। କେବଳ ଟେବୁଲ ଉପରେ ରଖାହୋଇଥିବା ତା’ର ହାତ ବ୍ୟାଗଟି ନାହିଁ । ସେ ବ୍ୟାଗଟି ଭିତରେ ଜୟନ୍ତ ଦୁଇ ହଜାର ଟଙ୍କାର ନୋଟ ରଖିଥିଲା । ଆଉ ସେଥିରେ ଥିଲା ପୁରନ୍ଦର ବାବୁଙ୍କର ଚିଠି ଓ ତାଙ୍କର ସେଇ ସାଙ୍କେତିକ ଲିପି ଖଣ୍ଡିକ । ଟର୍ଚ୍ଚ ଓ ରିଭଲଭର ଧରି ଜୟନ୍ତ ବାହାରକୁ ବାହାରି ଆସିଲା ।

 

ପୁଞ୍ଜିଭୂତ ଅନ୍ଧକାର ପରି ବଣ ଭିତରେ ଗୋଟିଏ ମଣିଷ ମୂର୍ତ୍ତି ଦେଖା ଯାଉଛି । ଅତିଶୟ ସନ୍ତର୍ପଣରେ ଜୟନ୍ତ ସିଡ଼ିବାଟେ ତଳକୁ ଓହ୍ଳାଇ ଆସିଲା । ଲୋକଟା ସେହିପରି ଛିଡ଼ା ହୋଇଛି । ଦୃଢ଼ ମୁଷ୍ଟିରେ ରିଭଲଭର ଧରି ଜୟନ୍ତ ଆଗେଇ ଗଲା । ତା’ ହାତରେ ଉଜ୍ଜ୍ୱଳ ଟର୍ଚ୍ଚ ଆଲୁଅ ହଠାତ୍ ଝଲସି ଉଠିଲା ।

 

ତା’ ପରେ ଜୟନ୍ତ ହସି ଉଠିଲା । –ଆରେ, ଆପଣ ! ମୁଁ ମନେକରିଥିଲି ସେଇ ଅଶରୀରୀ ବିଭୀଷିକା । ଆଚ୍ଛା ବିକ୍ରମ ବାବୁ, ଆପଣ ସେ ଚଳନ୍ତା ଅଗ୍ନି ଗୋଲକଟାକୁ ଦେଖିଛନ୍ତି ତ-? ସେ ମୋ ଘରେ ପଶିଥିଲା । ମୋ’ର ହାତ ବ୍ୟାଗଟି ଉଠାଇ ନେଇଛି ।

 

ନିମ୍ନ କଣ୍ଠରେ ବିକ୍ରମ କହିଲା–ହଁ, ମୁଁ ଦେଖିଛି । ଆହୁରି ଅଧିକ କିଛି ମଧ୍ୟ ମୁଁ ଦେଖିଛି । ତଳ ମହଲାରେ କ’ଣ ଗୋଟାଏ ଭାଙ୍ଗିବା ଶବ୍ଦରେ ମୋ’ର ନିଦ ଭାଙ୍ଗିଗଲା । ଚାଲନ୍ତୁ, ଆମେ ବଣ ଭିତରେ ବୁଲି ଦେଖିବା ।

 

ଦୁଇଟି ଟର୍ଚ୍ଚ ଜଳାଇ ଓ ହାତରେ ରିଭଲଭର ଧରି ଜୟନ୍ତ ଓ ବିକ୍ରମ ବଣ ଭିତରେ ବୁଲିବାକୁ ଲାଗିଲେ । ଖୋଜୁ ଖୋଜୁ ଅବଶେଷରେ ଜୟନ୍ତ ହାତ ବ୍ୟାଗଟି ପଡ଼ିଥିବାର ଦେଖାଗଲା-। ଖୁସି ହୋଇ ଜୟନ୍ତ ବ୍ୟାଗଟି ଉଠାଇ ନେଇ ଖୋଲି ଦେଖିଲା । ଦୁଇ ହଜାର ଟଙ୍କାର ନୋଟ ଠିକ୍ ଅଛି । କିନ୍ତୁ ପୁରନ୍ଦର ବାବୁଙ୍କର ଚିଠି ଖଣ୍ଡି ଓ ତାଙ୍କର ସାଙ୍କେତିକ ଲିପିଟି ଅଦୃଶ୍ୟ ହୋଇ ଯାଇଛି । ତା’ପରେ ସେମାନେ ତଳ ମହଲାର ଯେଉଁ ଘର ଭିତରୁ ଶବ୍ଦ ଶୁଣା ଯାଇଥିଲା, ସେଠାରେ ଯାଇ ପହଞ୍ଚିଲେ । ବଡ଼ ଗୋଟାଏ କପ୍ ବୋର୍ଡ଼ ଭଙ୍ଗା ହୋଇଛି ଓ ତା’ ଭିତରେ ଥିବା ଜିନିଷପତ୍ରମାନ ଖେଳେଇ ହୋଇ ପଡ଼ିଛି । କେହି ଯେ କପ୍ ବୋର୍ଡ଼ଟିକୁ ଭାଙ୍ଗି ତା’ ଭିତରେ କିଛି ଖୋଜୁଥିଲା, ଏହା ଅତି ସୁସ୍ପଷ୍ଟ ।

 

ଶେଷ ରାତିକୁ ଜୟନ୍ତ ଆସି ନିଜ ଘରେ ଶୋଇଲା । ଦେହ ଓ ମନରେ ସେ ଅତିଶୟ କ୍ଲାନ୍ତ ହୋଇ ପଡ଼ିଥିଲା । ଅଳ୍ପକ୍ଷଣ ଭିତରେ ସେ ଗଭୀର ନିଦରେ ଶୋଇ ପଡ଼ିଲା ।

 

କପାଳ ଉପରେ ଗୋଟିଏ ଉଷ୍ମ ଓ କୋମଳ କରସ୍ପର୍ଶରେ ଜୟନ୍ତର ନିଦ ଭାଙ୍ଗି ଗଲା । ଆଖି ମେଲାଇ ସେ ଦେଖିଲା ଯେ ଜୁଲି ତା ଖଟ ଉପରେ ବସି ତା’ ମୁଣ୍ଡରେ ହାତ ବୁଲାଇ ଦେଉଛି-। ଅପୂର୍ବ ପୁଲକରେ ଜୟନ୍ତର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ପୁଣି ଆଖି ବୁଜି ଦେଇ ସେ ଜୁଲିର କରସ୍ପର୍ଶ ସର୍ବସତ୍ତା ଦେଇ ଉପଭୋଗ କରିବାକୁ ଲାଗିଲା ।

 

ସାମାନ୍ୟ ହସି ଜୁଲି କହିଲା–ତୁମ ଫିସାଦ ମୁଁ ବୁଝି ପାରୁଛି । ଏବେ ବିଛଣା ଛାଡ଼ି ଉଠି ପଡ଼ । ଆଠଟା ବାଜିଲାଣି ।

 

ଜୟନ୍ତ ଏଥର ଆଖି ମେଲାଇ ଚାହିଁଲା । ଟିକିଏ ଦୁଷ୍ଟାମୀର ହସ ହସି ଜୁଲିକୁ ଆହୁରି ପାଖକୁ ଟାଣିନେଲା । ଜୁଲି ବିଶେଷ ଆପତ୍ତି କଲା ନାହିଁ । କିଛିକ୍ଷଣ ପର୍ଯ୍ୟନ୍ତ ସେଇ ଅବସ୍ଥାରେ କଟାଇ ଜୁଲି କହିଲା–ଏବେ ଉଠିପଡ଼ । ଆଉ ବିଳମ୍ବ କର ନାହିଁ । ତୁମର ବନ୍ଧୁ ସର୍ଦ୍ଦାର ଜୀ କେତେ ସକାଳୁ ଉଠି ବଣ ଭିତରେ କ’ଣ ଖୋଜି ବୁଲୁଛନ୍ତି ।

 

ଜୟନ୍ତ ଉଠିପଡ଼ି ବାଥ ରୁମ ଭିତରକୁ ଚାଲିଗଲା ।

 

ବିକ୍ରମ କିନ୍ତୁ ରାତିରେ ଆଦୌ ଶୋଇନାହିଁ । କଳାବତୀର ସମାଧି ନିକଟରେ ଗୋଟିଏ ଲୋକକୁ ସେ ଛିଡ଼ା ହୋଇଥିବାର ଦେଖିଛି । ଅନାୟାସରେ ସେ ତାକୁ ଗୁଳିକରି ପାରି ଥା’ନ୍ତା । କିନ୍ତୁ ସେ ତାହା କରିନାହିଁ । ସିଦ୍ଧାର୍ଥ ଦାସ ଉପଦେଶ ଦେଇଛନ୍ତି ଯେ ନିଜେ ଆକ୍ରାନ୍ତ ନହେଲେ ଗୁଳି ଚଳାଇବ ନାହିଁ ।

 

କିନ୍ତୁ ସିଦ୍ଧାର୍ଥ ଦାସ କାହାନ୍ତି ! ଗୋଟିଏ ପବ୍ଲିକ୍ କଲ ଅଫିସରୁ ସେ ତାଙ୍କ ସହିତ ଟେଲିଫୋନ ଯୋଗେ ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ । ବାହାଦୂର ଠାରୁ ଶୁଣିଲା ଯେ ଡକ୍ଟର୍ ଦାସ ନାହାନ୍ତି । ଦୁଇଦିନ ହେଲା ସେ କେଉଁ ଆଡ଼େ ଚାଲି ଯାଇଛନ୍ତି । କେବେ ଫେରିବେ–ସେ କଥା କେହି ଜାଣନ୍ତି ନାହିଁ ।

 

ଡକ୍ଟର୍ ଦାସ କହିଥିଲେ ଯେ ଯଥା ସମୟରେ ମୁଁ ଯାଇ ପହଞ୍ଚିବି । କିନ୍ତୁ ଆଉ କେବେ ଆସିବେ ! ଏ ସ୍ଥାନରେ ମୃତ୍ୟୁ ଯେପରି ବାୟୁ ସ୍ତରରେ ଲୁଚି ରହିଛି । ଯେଉଁ ଭୟାବହ ଦୃଶ୍ୟ ସେ ସୁନାମଣୀ ଘର ଭିତରେ ଦେଖିଛି, ସେଥିରେ ତାର ଦୃଢ଼ ବିଶ୍ୱାସ ହୋଇଛି ଯେ ଏ ଘରଟା ଗୋଟାଏ ପ୍ରେତପୁରୀ । ପ୍ରେତ ସହିତ ଯୁଦ୍ଧ କରିବା ଆଦୌ ସମ୍ଭବ ନୁହେଁ ।

 

ସାମନାର ଗୋଟାଏ ବୁଦା ଭିତରେ କ’ଣ ଗୋଟାଏ ଚକ୍ ଚକ୍ ଦେଖା ଯାଉଛି । ବିକ୍ରମ ସେ ଅରମା ବଣ ଭିତରେ ପଶି ସେ ବସ୍ତୁଟି ଉଠାଇ ଆଣିଲା । ଗୋଟିଏ ଫାଉଣ୍ଟେନ୍ ପେନ୍ । କିନ୍ତୁ କଲମଟି ଦେଖି ବିକ୍ରମ ଏକ ବେଳକେ ଆଶ୍ଚର୍ଯ୍ୟ ହୋଇଗଲା । ଏଇଟି ତାର ଅତି ପରିଚୟ ବସ୍ତୁ । କଲମଟି ହେଉଛି ଡକ୍ଟର୍ ସିଦ୍ଧାର୍ଥ ଦାସଙ୍କର । ତେବେ ସେ କ’ଣ ଗୋପନରେ ଏଠାକୁ ଆସିଥିଲେ ! ତାହାହିଁ ସମ୍ଭବ । ଏଥିରେ କୌଣସି ସନ୍ଦେହ ନାହିଁ । ଅଦୃଶ୍ୟ ଭାବରେ ସେ ନିଶ୍ଚୟ ତାଙ୍କୁ ଜଗି ରହିଛନ୍ତି । ଆଉ ଭୟର କୌଣସି କାରଣ ନାହିଁ ।

 

“ବ୍ରେକ୍‍ ଫାଷ୍ଟ” ଖାଇବା ପାଇଁ ବିକ୍ରମ ଫେରି ଆସିଲା । ସେ ଯେପରି ସିଦ୍ଧାର୍ଥ ଦାସଙ୍କର ଉପସ୍ଥିତି ଅନୁଭବ କରୁଛି । ନୂତନ ଏକ ସାହସର ଜ୍ୟୋତି ତା’ ଆଖି ଦୁଇଟିରେ ଫୁଟି ଉଠିଛି । ବ୍ରେକ୍ ଫାଷ୍ଟ ଟେବୁଲରେ କେବଳ ଜୟନ୍ତ ନୁହେଁ–ରେଭରେଣ୍ଡ ନାୟକ ଓ ତାଙ୍କର ସୁନ୍ଦରୀ କନ୍ୟା ଜୁଲିକୁ ମଧ୍ୟ ସେ ଦେଖିଲା । ଜୁଲି ଓ ଜୟନ୍ତର ସମ୍ପର୍କ ଯେ କ୍ରମେ ମଧୁରତର ହୋଇ ଉଠୁଛି ଏ କଥା ବିକ୍ରମ ଲକ୍ଷ୍ୟ କରିଛି । ବିକ୍ରମକୁ ଦେଖି ରେଭରେଣ୍ଡ ନାୟକ, ସାମାନ୍ୟ ହସି କହିଲେ–ସତ୍–ଶ୍ରୀ–ଅକାଳ ଜଗଜିତ୍ ସିଂ ଜୀ !

 

ସାମାନ୍ୟ ହସି ବିକ୍ରମ କହିଲା–ସତ୍–ଶ୍ରୀ–ଅକାଳ ଫାଦର । ସୁପ୍ରଭାତ ମିସ୍ ଜୁଲି । ଜୁଲି ମଧ୍ୟ ମଧୁର ହସ ହସି ବିକ୍ରମକୁ ସ୍ଵାଗତ କଲା । ଏଇ ଖ୍ରୀଷ୍ଟିଆନ୍‍ ପାଦ୍ରୀଟି ବିକ୍ରମକୁ ଖୁବ ଭଲ ଲାଗେ । ଦୀର୍ଘ ଦେହ, ପ୍ରୌଢ଼ । ମୁହଁରେ ଅମାୟିକ ଗୋଟିଏ ହସ ଲାଗି ରହିଛି । ବ୍ରେକ୍ ଫାଷ୍ଟ ଟେବୁଲରେ ବହୁ ଗଳ୍ପ ଉଠିଲା । ଜଗଜିତ୍ ସିଂ ଦିଲ୍ଲୀରୁ ଆସିଛନ୍ତି ଜାଣି ରେଭରେଣ୍ଡ ନାୟକ ଦିଲ୍ଲୀର ବହୁ କଥା କହିଲେ । ବହୁ ଅଭିଜ୍ଞ ଓ ଜ୍ଞାନୀ ବ୍ୟକ୍ତି । ନାନା ବିଷୟରେ ଆଲୋଚନା ଚାଲିଲା । ରାଜନୀତି,ସମାଜବାଦ, ଅର୍ଥନୀତି–ବହୁ ବିଷୟରେ ଜ୍ଞାନ ଗର୍ଭକ ଆଲୋଚନା ହେଲା । ତା’ ପରେ ରେଭରେଣ୍ଡ ନାୟକ ବିଦାୟ ନେଲେ । ଜୟନ୍ତ ଓ ଜୁଲି ମଧ୍ୟ ବାହାରକୁ ଚାଲିଗଲେ । ବିକ୍ରମ ଘର ଭିତରେ ଏକା ରହିଲା ।

 

ସେଦିନ ଜୟନ୍ତ ଓ ଜୁଲି ସଞ୍ଜପରେ ଫେରିବେ ବୋଲି ବିକ୍ରମକୁ କହିଗଲେ । ଜୀବନରେ ସେମାନେ ନବ–ବସନ୍ତର ସ୍ପର୍ଶ ପାଇଛନ୍ତି । ଲଘୁ–ପ୍ରଜାପତି ପରି ସେମାନେ ଉଡ଼ି ବୁଲୁଛନ୍ତି । ବିକ୍ରମ ଏକଥା ଭଲ ଭାବରେ ଜାଣେ ।

 

ଖରାବେଳେ ଘରଟା କିପରି ଭୟାବହ ଭାବରେ ନିର୍ଜନ ମନେହେଲା । ବିକ୍ରମ ନିଜ କୋଠରୀରେ ବସି ଘଟଣାଟିକୁ ନାନା ଦିଗରୁ ଚିନ୍ତା କରିବାକୁ ଲାଗିଲା । ଏଇ ଯେ ପ୍ରତି ରାତିରେ ଘରର ବିଭିନ୍ନ ସ୍ଥାନ ଭଙ୍ଗାରୁଜା ଚାଲିଛି, ଏଥିରୁ ପରିଷ୍କାର ଜଣାଯାଏ ଯେ କୌଣସି ଅଦୃଶ୍ୟ ହସ୍ତ ଏ ଘରଭିତରେ କିଛି ଖୋଜି ବୁଲୁଛି । ତା’ଛଡ଼ା ଏଠାରେ ଭୌତିକ ଘଟଣା ମଧ୍ୟ ଘଟୁଛି । ସୁନାମଣୀର ଘର ଭିତରେ ସେମାନେ ଯେଉଁ ଅଲୌକିକ ଦୃଶ୍ୟ ଦେଖିଛନ୍ତି ସେଥିରୁ ଏକଥା ଅକାଟ୍ୟ ଭାବରେ ପ୍ରମାଣିତ ହୋଇଛି । ସେ ଭୟାବହ ଦୃଶ୍ୟ ମନେକରି ନିର୍ଜନ ଘର ଭିତରେ ଭୟରେ ତା’ର ସର୍ବାଙ୍ଗ ଶୀତେଇ ଉଠିଲା ।

 

ସିଦ୍ଧାର୍ଥ ଦାସ କେଉଁ ଆଡ଼େ ଯାଇଛନ୍ତି ସେ କଥା ବିକ୍ରମ ଜାଣେନାହିଁ । ନିଶ୍ଚୟ ଅତି ଗୋପନରେ ସେ ଏ ରହସ୍ୟର ତଦନ୍ତ କରୁଛନ୍ତି । ଏକା ସହରରେ ଥିଲେ ମଧ୍ୟ ସିଦ୍ଧାର୍ଥ ଦାସ ନିର୍ଦ୍ଦେଶ ଦେଇଛନ୍ତି–ବିକ୍ରମ ଯେପରି ତାଙ୍କ ନିକଟଙ୍କୁ ନଯାଏ । ଗୋଟାଏ ଭୟାବହ ସମ୍ଭାବନା ଯେପରି ବାୟୁ ସ୍ତରରେ ଲୁଚି ରହିଛି । ଯେ କୌଣସି ମୁହୂର୍ତ୍ତରେ ଗୋଟାଏ ଭୟଙ୍କର କିଛି ଘଟି ପାରେ ।

 

କାଗଜ ଓ କଲମ ବାହାର କରି ଘଟଣାଟିକୁ ମୂଳରୁ ଏ ପର୍ଯ୍ୟନ୍ତ ସେ ଲିପିବଦ୍ଧ କରିବାକୁ ଲାଗିଲା । ସିଦ୍ଧାର୍ଥ ଦାସ କହିଥିଲେ–ଘରର ସମସ୍ତଙ୍କ ବିଷୟରେ ସବୁ କିଛି ଜ୍ଞାତବ୍ୟ ବିଷୟ ଜାଣିବାକୁ ଚେଷ୍ଟା କରିବ । କିନ୍ତୁ ଏଠାରେ ମାତ୍ର ତିନିଜଣ ବ୍ୟକ୍ତି ଅଛନ୍ତି । ସୁନାମଣୀ, ମଧୁ ଓ ବସିର ଖାଁ । ସୁନାମଣୀ ବିଷୟରେ ସେ ଯେତିକି ଜାଣିଛି–ସେଥିରେ ତା’ର ବିଶ୍ଵାସ ଯେ ସେ ଗୋଟାଏ ପିଶାଚୀ । ଅତି ଦୁର୍ବୋଧ୍ୟ ଓ ଭୟାବହ ଚରିତ୍ର । ତା’ ପରେ ଏଇ ମଧୁସୂଦନ । ଲୋକଟାକୁ ଅସତ୍ ବୋଲି ମନେ ହୁଏ ନାହିଁ । ଏତେବଡ଼ ଘରଟାର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ମାତ୍ର ଭୃତ୍ୟ । ଦିନରାତି ପରିଶ୍ରମ କରୁଛି, ତାକୁ ସନ୍ଦେହ କରିବାର କୌଣସି କାରଣ ନାହିଁ । ଅବଶେଷରେ ଦରୁଆନ ବସିର ଖାଁ । ଲୋକଟା ପ୍ରୋଢ଼ ହେଲେ ମଧ୍ୟ ବଳବାନ । ହିଂସ୍ର ଜନ୍ତୁ ପରି ଆଖିର ଦୃଷ୍ଟି । ଲୋକଟା ଉପରେ କିପରି ସନ୍ଦେହ ହୁଏ ।

 

ଏମାନଙ୍କ ଛଡ଼ା ଓକିଲ ଅଶୋକ ମହାପାତ୍ର ମଧ୍ୟ ଏ ଘର ସହିତ ସଂପୃକ୍ତ । ସେ ମଧ୍ୟ ସମ୍ପୂର୍ଣ୍ଣ ସନ୍ଦେହ ମୁକ୍ତ ନୁହନ୍ତି । ପୁରନ୍ଦର ବାବୁ ଯେଉଁ ସାଙ୍କେତିକ ଲିପିଟି ଜୟନ୍ତ ପାଇଁ ରଖି ଯାଇଥିଲେ, ସେଇଟି ଯେ ଗଭୀର ଅର୍ଥପୂର୍ଣ୍ଣ ଏଥିରେ ସନ୍ଦେହ ନାହିଁ । ହୁଏତ ତା’ରି ପାଠୋଦ୍ଧାର ଉପରେ ଏ ଗଭୀର ରହସ୍ୟ ସବୁ ସମାଧାନ ନିର୍ଭର କରୁଛି । କିନ୍ତୁ ସେଥିରେ ଅଶୋକ ବାବୁଙ୍କର ମଧ୍ୟ ଗୋପନ ଆଗ୍ରହ ରହିଛି । ତା’ ନ ହୋଇଥିଲେ ଜୟନ୍ତ ନିକଟରୁ ଅଶୋକ ବାବୁ ସେ ସାଙ୍କେତିକ ଲିପିଟିର ନକଲ ସଂଗ୍ରହ କରି ନ ଥାନ୍ତେ । ଏ ବିଷୟରେ ସ୍ଵର୍ଗତ ପୁରନ୍ଦର ବାବୁ ଯେ ଅଶୋକ ବାବୁଙ୍କୁ ଆଦୌ ବିଶ୍ୱାସ କରୁ ନଥିଲେ, ତାହା ଅତି ସୁସ୍ପଷ୍ଟ । ତା’ ନ ହୋଇଥିଲେ ଉକ୍ତ ଲିପିଟିକୁ ଅଶୋକବାବୁଙ୍କ ହାତରେ ନ ଦେଇ ପୁରନ୍ଦର ବାବୁ ବ୍ୟାଙ୍କରେ ଗଚ୍ଛିତ କରି ନ ଥା’ନ୍ତେ ।

 

ତା’ ଛଡ଼ା ଏଇ ଅଶୋକ ବାବୁଙ୍କୁ ସଞ୍ଜବେଳେ ସେ ପିଶାଚୀ ସୁନାମଣୀ ନିକଟକୁ ଯିବାର ଦେଖା ଯାଇଛି । ଏହା ମଧ୍ୟ ଅତିଶୟ ରହସ୍ୟମୟ ।

 

କ୍ରମେ ସୂର୍ଯ୍ୟାସ୍ତ ହେବାକୁ ବସିଲା । ବନଭୂମି କିପରି ଛାୟାମୟ ଓ ପ୍ରେତାୟିତ ମନେ ହେଉଛି । ମଧୁ ଚା’ ଦେଇଗଲା । ଚା’ ଖାଉ ଖାଉ ସେ ପୁଣି ଚିନ୍ତାକରିବାକୁ ଲାଗିଲା ।

 

ଜୟନ୍ତ ଏ ପର୍ଯ୍ୟନ୍ତ ଫେରି ନାହିଁ । ଫେରିବାକୁ ବୋଧ ହୁଏ ଆହୁରି ବିଳମ୍ଵ ହେବ । କ୍ରମେ ରାତି ହୋଇ ଆସିଲା । ଅଟ୍ଟାଳିକା ଉପରୁ ବିକ୍ରମ ହଠାତ୍ ଦେଖି ପାରିଲା ଯେ ଗୋଟିଏ ମଟରକାର ଆସି ଗେଟ ବାହାରେ ଛିଡ଼ା ହେଲା । ମଟର କାର ଭିତରୁ ଗୋଟିଏ ଲୋକ ବାହାର ଭିତରକୁ ଆସିଲା । ଦୂର ହେଲେ ମଧ୍ୟ ବିକ୍ରମ ଲୋକଟିକୁ ପରିଷ୍କାର ଚିହ୍ନି ପାରିଲା । ସେ ହେଉଛନ୍ତି ଓକିଲ ଅଶୋକ ମହାପାତ୍ର ।

 

–କିନ୍ତୁ ଅଶୋକ ବାବୁ ଘର ଭିତରକୁ ନ ଆସି ଦରୁଆନ ବସିର ଖାଁର ଘର ନିକଟକୁ ଚାଲିଲେ । ବିକ୍ରମ ନିର୍ନିମେଷ ଦୃଷ୍ଟିରେ ତାଙ୍କର ଗତିବିଧି ଲକ୍ଷ୍ୟ କରିବାକୁ ଲାଗିଲା । ବସିର ଖାଁ ଘରଭିତରୁ ବାହାରି ଆସି ତାଙ୍କୁ ପାଛୋଟି ନେଲା । କିଛିକ୍ଷଣ ପର୍ଯ୍ୟନ୍ତ ସେ ବସିର ସହିତ କ’ଣ କଥାବାର୍ତ୍ତା କରିବାକୁ ଲାଗିଲେ । ବିକ୍ରମ ଏତେ ଦୂରରୁ ତାହା ଶୁଣି ପାରିଲା ନାହିଁ । ତା’ ପରେ ଅଶୋକ ବାବୁ ସେହିଠାରୁ ବାହାରି ଗଲେ । ଭିତରକୁ ଆସିଲେ ନାହିଁ ।

 

ଏଇ ଅଶୋକ ବାବୁ ଯେ ବସିର ଖାଁ ସହିତ କୌଣସି ଗଭୀର ଷଡ଼ଯନ୍ତ୍ରରେ ଲିପ୍ତ ଅଛନ୍ତି, ବିକ୍ରମ ମନରେ ଏ ସନ୍ଦେହ ଦୃଢ଼ୀଭୂତ ହେଲା । ସେ ଠିକ୍ କଲା ଯେ ବସିର ଖାଁର ଗତିବିଧି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବ ।

 

ରାତି ପ୍ରାୟ ନ’ଟା ବେଳକୁ ଜୟନ୍ତ ଗୋଟିଏ ଟ୍ୟାକ୍‌ସିରେ ଫେରିଲା । ତା’ର ଚେହେରା ଦେଖି ବିକ୍ରମ ଶଙ୍କିତ ହେଲା । ମୁଣ୍ଡ ଓ ଗୋଡ଼ରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଛି । ଛୋଟେଇ ଛୋଟେଇ ବହୁ କଷ୍ଟରେ ସେ ଘରେ ପଶିଲା । ମଧୁ ଓ ବିକ୍ରମ ତା’କୁ ଧରି ଉପରକୁ ନେଇ ଆସିଲେ । ଉତ୍କଣ୍ଠା ହୋଇ ବିକ୍ରମ ପଚାରିଲା–କ’ଣ ହେଲା ଜୟନ୍ତ ବାବୁ !

 

ସାମାନ୍ୟ ହସି ଜୟନ୍ତ କହିଲା–ବିଶେଷ ଜଖମ ହୋଇନାହିଁ । କିନ୍ତୁ ଈଶ୍ୱରଙ୍କର ଅଶେଷ କୃପା ଯେ ଜୁଲି ଅକ୍ଷତ ଅଛି । ଆମେ ଦୁଇଜଣ ଯାକ ମହାନଦୀ କୂଳରୁ ଫେରୁଥିଲୁ । ସଞ୍ଜ ହୋଇ ଗଲାଣି । ହଠାତ୍‍ ପଛଆଡ଼ୁ ଗୋଟିଏ ଜୀପ୍ ମୋତେ ଧକ୍‌କା ଦେଇ ପଳାଇଲା । ଗାଡ଼ିଟାର ହେଡ ଲାଇଟ୍ ମଧ୍ୟ ନଥିଲା । ପ୍ରଚଣ୍ଡ ବେଗରେ ମୁଁ ଛିଟିକି ଯାଇ ଗୋଟାଏ ନଳା ଭିତରେ ପଡ଼ିଲି । ମୋର ଏ ଅବସ୍ଥା ଦେଖି ଜୁଲି ବିକଳରେ ଚିତ୍କାର ଉଠିଲା । ଲୋକ ଜମା ହୋଇଗଲେ । ଜଣେ ବୃଦ୍ଧ ବ୍ୟକ୍ତି ମୋତେ ହସ୍‌ପିଟାଲକୁ ନେଇଗଲେ । ଡାକ୍ତର କ୍ଷତସ୍ଥାନ ବ୍ୟାଣ୍ଡେଜ କରିଦେଲେ । ସେ ଜଣାଇଲେ ଯେ ଜଖମ ଖୁବ ସାଂଘାତିକ ନୁହେଁ । କେତେକ ଦିନ ପୂର୍ଣ୍ଣ ବିଶ୍ରାମ ନେଲେ ମୁଁ ଆରୋଗ୍ୟ ଲାଭ କରିବି ।

 

ଜୟନ୍ତର ଖଟ ନିକଟରେ ହସି ବିକ୍ରମ କହିଲା–ଜୟନ୍ତ ବାବୁ ଏ ରହସ୍ୟ ସମାଧାନ ନ ହେବା ପର୍ଯ୍ୟନ୍ତ ଆପଣ ସଞ୍ଚପରେ ଆଉ ବାହାରକୁ ଯିବେ ନାହିଁ । ଡକ୍ଟର୍ ସିଦ୍ଧାର୍ଥ ଦାସଙ୍କର ଏହା ହିଁ ନିର୍ଦ୍ଦେଶ । ମୋର ମନେ ହେଉଛି ଯେ ଆପଣଙ୍କର ଅଜ୍ଞାତ ଶତ୍ରୁମାନେ ଆଜି ଆପଣଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଈଶ୍ୱରଙ୍କର ଅଶେଷ କୃପା ବଳରେ ଆପଣ ବଞ୍ଚିଗଲେ ।

 

ରେଭରେଣ୍ଡ ନାୟକ ଓ ଜୁଲି ଆସି ପହଞ୍ଚିଲେ । ରେଭରେଣ୍ଡ ନାୟକ ଅତିଶୟ ବ୍ୟସ୍ତ ହୋଇ ଉଠିଲେ । ଉଦ୍‌ଗତ ଅଶ୍ରୁକୁ ଦମନ କରି ଜୁଲି ଖଟ ଉପରେ ବସି ଜୟନ୍ତକୁ ଆଉଁସି ଦେବାକୁ ଲାଗିଲା । ପ୍ରାୟ ଦୁଇ ଘଣ୍ଟା ପରେ ସେମାନେ ବିଦାୟ ନେଲେ ।

 

ସେଇ ଦିନ ଗଭୀର ରାତିରେ ଜୟନ୍ତର ଆର୍ତ୍ତ ଚିତ୍କାରରେ ବିକ୍ରମର ନିଦ ଭାଙ୍ଗି ଗଲା । ବିଜୁଳି ବେଗରେ ସେ ଟର୍ଚ୍ଚ ଲାଇଟ୍ ଓ ରିଭଲଭର ନେଇ ବାହାରି ଆସିଲା । ସେ ପରିଷ୍କାର ଦେଖି ପାରିଲା ଯେ ଜମାଟ ଅନ୍ଧକାର ପରି ଗୋଟିଏ ମଣିଷ ମୂର୍ତ୍ତି ଦ୍ରୁତ ଗତିରେ ସିଡ଼ିରେ ଓହ୍ଳାଇ ପଳାଇ ଯାଉଛି । କ୍ଷଣକ ପାଇଁ ବିକ୍ରମ ଭାବିଲା ଯେ ସେ ଲୋକଟା ପଛରେ ଗୋଡ଼ାଇ ତାକୁ ଗୁଳି କରିବ । କିନ୍ତୁ ଠିକ୍ ସେତିକି ବେଳେ ପୁଣି ଥରେ ଜୟନ୍ତର ଭୟାର୍ତ୍ତ ଚିତ୍କାର ଶୁଣାଗଲା । ବିକ୍ରମ ଆଉ ସେ ଲୋକଟା ପଛରେ ନ ଗୋଡ଼ାଇ ଜଳନ୍ତା ଟର୍ଚ୍ଚ ହାତରେ ଜୟନ୍ତର କୋଠରୀ ଭିତରେ ପଶିଗଲା ।

 

–କିନ୍ତୁ ଘର ଭିତରେ ଯାହା ଦେଖିଲା, ସେଥିରେ ତା’ର ହୃତ୍‌ସ୍ପନ୍ଦନ ବନ୍ଦ ହୋଇ ଯିବାର ଉପକ୍ରମ ହେଲା । ପ୍ରଶସ୍ଥ ପଲଙ୍କ ଉପରେ ଚଳତ୍ ଶକ୍ତିହୀନ ହୋଇ ଜୟନ୍ତ ପଡ଼ି ରହିଛି । ଆଉ ଠିକ୍‍ ତା’ର ଗୋଡ଼ ନିକଟରେ ବିରାଟ ଗୋଟାଏ ନାଗ ସାପ ଫଣା ଟେକି ଗର୍ଜନ କରୁଛି । ଘୋର କୃଷ୍ଣବର୍ଣ୍ଣର ଭୟାବହ ବିଷଧରଟା ଯେ କୌଣସି ମୁହୂର୍ତ୍ତରେ ଜୟନ୍ତକୁ ଦଂଶନ କରିବ । ବିକ୍ରମ ଘରର ବିଜୁଳି ଆଲୁଅଟା ଜଳାଇ ଦେଲା । ହଠାତ୍ ସେ ଦୁଇ ହାତରେ ଜୟନ୍ତକୁ ପଲଙ୍କ ଉପରୁ ଟାଣି ଆଣିଲା । ଯେଉଁ କ୍ଷତ ଖୁବ୍‍ ସାଂଘାତିକ ନୁହେଁ ବୋଲି ସଞ୍ଜବେଳେ ଜୟନ୍ତ ଭାବିଥିଲା, ସେଇ ଆଘାତ ଯୋଗୁ ସେ କ୍ରମେ ଚଳତ ଶକ୍ତିହୀନ ହୋଇ ପଡ଼ିଲାଣି । ବିକ୍ରମ ତାକୁ କାନ୍ଧରେ ପକାଇ ନିଜ କୋଠରୀକୁ ବୋହି ଆଣିଲା । ତା’ ପରେ ବଡ଼ ଖଣ୍ଡେ ଲୁହା ରଡ଼ ସଂଗ୍ରହ କରି ସେ ଜୟନ୍ତ କୋଠରୀକୁ ଯାଇ ପ୍ରଚଣ୍ଡ ବେଗରେ ସାପଟାକୁ ପ୍ରହାର କଲା । ଭୀଷଣ ଗର୍ଜନ କରି ସାପଟା କେତେଥର ଛଟ ପଟ ହେଲା । ଆହୁରି କେତୋଟି ପ୍ରହାର ପରେ ବିଷଧରଟା ରକ୍ତାକ୍ତ ଦେହରେ ମରି ପଡ଼ିଲା ।

 

ସୁନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇ ଥିବାରୁ ବିକ୍ରମକୁ ଜୟନ୍ତ ଅଶେଷ ଧନ୍ୟବାଦ ଜଣାଇ କହିଲା–ମୁଁ ଘରର କବାଟ ଭିତରୁ ବନ୍ଦ କରି ଶୋଇ ଥିଲି । କେମିତି ଯେ ସେଇଟା ଖୋଲା ହେଲା, ମୁଁ ଜାଣି ପାରିଲି ନାହିଁ । ଶୋଇବା ପୂର୍ବରୁ ଆଘାତର ଯନ୍ତ୍ରଣାରୁ ରକ୍ଷା ପାଇବି ବୋଲି ମୁଁ ଗୋଟିଏ “ସ୍ଳିପିଙ୍ଗ୍‌ ପିଲ୍‌” ଖାଇଥିଲି । ମୋତେ ଗାଢ଼ ନିଦ ଲାଗିଥିଲା । ଘର ଭିତରେ ଗୋଟିଏ ଅତି କମ୍ ଶକ୍ତିର ନେଳୀ ଆଲୁଅ ଜଳୁଥିଲା । କ’ଣ ଗୋଟାଏ ଅସ୍ଵାଭାବିକ ଶବ୍ଦରେ ମୋର ନିଦ ହଠାତ୍ ଭାଙ୍ଗିଗଲା । ସେଇ ନିଷ୍ପ୍ରଭ ଆଲୁଅରେ ମୁଁ ସେ ଜୀବନ୍ତ ମୃତ୍ୟୁଟାକୁ ମୋ’ଖଟ ଉପରେ ଦେଖି ଖଟ ଉପରୁ ଡ଼େଇଁ ପଡ଼ିବାକୁ ଚେଷ୍ଟା କଲି । କିନ୍ତୁ ଦାରୁଣ ଯନ୍ତ୍ରଣାରେ ମୋ’ର ଦେହ ଚଳିଲା ନାହିଁ । ମୁଁ ପ୍ରାଣ ବିକଳରେ ଚିତ୍କାର କଲି । ଆପଣ ଆସି ପହଞ୍ଚିବାରେ ଯଦି ଆଉ ସାମାନ୍ୟ ବିଳମ୍ବ ହୋଇଥା’ନ୍ତା, ତେବେ ସେ ବିଷଧରଟା ନିଶ୍ଚୟ ମୋତେ ଦଂଶନ କରନ୍ତା ।

 

ବିକ୍ରମ କହିଲା–ଏଇ କେତେକ ଘଣ୍ଟା ଭିତରେ ଦୁଇ ଥର ଆପଣଙ୍କର ପ୍ରାଣନାଶର ଉଦ୍ୟମ ହେଲାଣି । ଆପଣ ବର୍ତ୍ତମାନ ଏଇ ଘରେ ଶୁଅନ୍ତୁ । ମୁଁ ଆସୁଛି ।

 

ଏହା କହି ରିଭଲଭର ହାତରେ ଧରି ବିକ୍ରମ ବାହାରି ଗଲା । ବାହାରେ ନିଶା ଗର୍ଜୁଛି । ସବୁ ଶୂନ୍ ସାନ୍ । କ’ଣ ମନେକରି କେଜାଣି, ବିକ୍ରମ ଅତି ସନ୍ତର୍ପଣରେ ଦରୁଆନ ବସିର ଖାଁର ଘର ନିକଟରେ ଯାଇ ପହଞ୍ଚିଲା । ଘରର କବାଟ ବନ୍ଦ ଅଛି । ବିକ୍ରମ ରୁଦ୍ଧ ଦୁଆର ଉପରେ କାନ ରଖିଲା-। ଭିତରେ ଏକାଧିକ ଲୋକ ନିମ୍ନ ସ୍ଵରରେ କ’ଣ କଥା ବାର୍ତ୍ତା ହେଉଛନ୍ତି । କଥାବାର୍ତ୍ତା ଶୁଣା ନ ଯାଉଥିଲେ ମଧ୍ୟ “ପୋଲିସ” ବୋଲି ଗୋଟିଏ କଥା କେତେଥର ତା’ର କାନରେ ପଡ଼ିଲା । ଉତ୍ତେଜନାରେ ତା’ର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ଏ ରହସ୍ୟର କେନ୍ଦ୍ର ବିନ୍ଦୁରେ ସେ ବର୍ତ୍ତମାନ ପହଞ୍ଚି ଯାଇଛି । ସେ ନିଜେ ମଧ୍ୟ ଏହିପରି ସନ୍ଦେହ କରିଥିଲା । ହୁଏତ ଅଶୋକ ମହାପାତ୍ରଙ୍କୁ ମଧ୍ୟ ସେ ଏଇ ଘରେ ଦେଖି ପାରିବ ।

 

ହଠାତ୍ ଘରର ଦୁଆର ଖୋଲି ଜଣେ ବ୍ୟକ୍ତି ବାହାରକୁ ଚାଲି ଆସୁଥିଲା । ରିଭଲଭରକୁ ଉଦ୍ୟତକରି ବିକ୍ରମ ଗମ୍ଭୀର କଣ୍ଠରେ କହିଲା–ସମସ୍ତେ ହାତ ଉପରକୁ କରି ଠିଆହୁଅ । ନୁହେଁତ ଗୁଳି କରିବି । ତୁମମାନଙ୍କର ସବୁ ଗୁପ୍ତକଥା ମୁଁ ଏବେ ଜାଣି ପାରିଛି ।

 

ଘର ଭିତରେ ଗୋଟିଏ କମ୍ ଶକ୍ତିର ବଲ୍‌ବ ଜଳୁଛି । ସେଇ ଆଲୋକରେ ବସିର ଖାଁ ଓ ଆଉ ଦୁଇଜଣ ନିମ୍ନ ଶ୍ରେଣୀର ଗୁଣ୍ଡାଙ୍କୁ ବିକ୍ରମ ଦେଖି ପାରିଲା । ଘର ଭିତରୁ ଦେଶୀ ମଦର ବାସନା ଆସୁଛି । ଅନ୍ୟ ଦୁଇଟି ଲୋକଙ୍କୁ ବିକ୍ରମ ଚିହ୍ନି ପାରିଲା ନାହିଁ ।

 

ଲୋକ ଦୁଇଟି ସ୍ଥିର ଦୃଷ୍ଟିରେ ବିକ୍ରମକୁ କିଛିକ୍ଷଣ ଚାହିଁ ରହିଲେ । ତା’ ପରେ ଜଣେ ଘରର ଆଲୁଅଟା ହଠାତ୍‍ ଉଭେଇ ଦେଲା । ମୁହୂର୍ତ୍ତକ ଭିତରେ କିଏ ଜଣେ ବିକ୍ରମ ହାତରୁ ରିଭଲ୍‌ଭରଟା ଝାମ୍ପି ନେଲା । ତା’ ପରେ ତିନିଜଣଯାକ ବିଜୁଳି ବେଗରେ ସେଠାରୁ ପଳାଇ ଗଲେ-

 

ସ୍ତମ୍ଭିତ ହୋଇ ବିକ୍ରମ ସେଠାରେ ଛିଡ଼ା ହୋଇ ରହିଲା । ପ୍ରଚଣ୍ଡ ଲଜ୍ଜା ଓ ପରାଜୟର ଗ୍ଳାନିରେ ମୁଣ୍ଡ ତା’ର ତଳକୁ ନଇଁ ପଡ଼ିଲା । କେତେ ସହଜରେ ଯେ ଆତତାୟୀ ମାନେ ତାକୁ ଫାଙ୍କି ଦେଇ ପଳାଇ ଯାଇ ପାରିଲେ ସେଇକଥା ଭାବି ସେ ଆଶ୍ଚର୍ଯ୍ୟ ହୋଇଗଲା । ତା’ର ରିଭଲଭରଟି ମଧ୍ୟ ସେମାନେ ଅନାୟାସରେ ଛଡ଼ାଇ ନେଇଗଲେ ।

 

ଆଲୁଅ ଜାଳି ସେ ବସିରର ଘରଟି ପରୀକ୍ଷା କଲା । କୌଣସି ଆପତ୍ତି ଜନକ ଦ୍ରବ୍ୟ ମିଳିଲା ନାହିଁ । କେବଳ ଗୋଟିଏ ଦେଶୀ ମଦ ବୋତଲ ଓ କେତୋଟି ଗିଲାସ ମିଳିଲା ।

 

ବିକ୍ରମ ପୁଣି ଘରଭିତରକୁ ଫେରି ଆସିଲା । ଜୟନ୍ତ ନିର୍ଜୀବ ପରି ବିଛଣାରେ ପଡ଼ିଛି । କେବଳ ଦେହ ନୁହେଁ–ସ୍ନାୟୁ ମଧ୍ୟ ତା’ର ଅତିଶୟ ଦୁର୍ବଳ ହୋଇ ଯାଇଛି । ଖଣ୍ଡିଏ ଚୌକି ବରନ୍ଦା ଉପରକୁ ଟାଣି ନେଇ ବିକ୍ରମ ବସି ରହିଲା ।

 

ଅନ୍ଧକାର ଭିତରେ ବନଭୂମି କିପରି ପ୍ରେତାୟିତ ମନେ ହେଉଛି । କେତେ ବିଚିତ୍ର ଶବ୍ଦ ଉଠୁଛି । ସୁ ସୁ ହୋଇ ନୈଶ ବାଆ ହୋହୁଛି । ବଣ ଭିତରୁ କାହାର କ୍ରନ୍ଦନ ଶବ୍ଦ ମଧ୍ୟ ଶୁଭୁଛି । କୌଣସି ନାରୀ କଣ୍ଠରୁ ସେ ନିରବିଚ୍ଛିନ୍ନ କ୍ରନ୍ଦନ ଧ୍ୱନି ଯେପରି ଭାସି ଆସୁଛି ।

 

ଏହା ମଧ୍ୟ ଭୌତିକ–ଏଥିରେ ସନ୍ଦେହ ନାହିଁ । କି ରହସ୍ୟ ଯେ ଏଠାରେ ଲୁଚି ରହିଛି ତା’ କିଏ କହିବ ।

 

କ୍ରମେ ରାତି ପାହି ଆସିଲା । ପୂର୍ବ ଦିଗନ୍ତରେ ସିନ୍ଦୁରା ଫାଟିଲା । ଧୀରେ ଧୀରେ କାଳରାତ୍ରିର ଅବସାନ ହେଲା ।

 

–ପାଞ୍ଚ–

 

ପ୍ରଚଣ୍ଡ ପରାଜୟର ଗ୍ଳାନିରେ ବିକ୍ରମ ଯେପରି ଭାଙ୍ଗି ପଡ଼ିଲା । କେତେ ସହଜରେ ଯେ ଆତତାୟୀମାନେ ତା’ ହାତରୁ ଖସିଗଲେ । ସେ କଥା ମନେ କରି ଦାରୁଣ ଲଜ୍ଜ୍ୱାରେ ସେ ଝାଉଁଳି ପଡ଼ିଲା । ଏଠାକାର ଅଦ୍ଭୁତ ରହସ୍ୟର କେନ୍ଦ୍ର ବିନ୍ଦୁଟିକୁ ସେ ବୁଦ୍ଧିବଳରେ ଆବିଷ୍କାର କରି ପାରିଥିଲା-। ଡକ୍ଟର୍ ସିଦ୍ଧାର୍ଥ ଦାସ ଯେ କିପରି ଖୁସି ହୋଇଥାନ୍ତେ–ତା’ର କେତେ ପ୍ରଶଂସା କରିଥାନ୍ତେ, ସେ କଥା ବିକ୍ରମ ଭଲଭାବରେ ଜାଣେ କିନ୍ତୁ ଏବେ କେଉଁ ମୁହଁରେ ସେ ତାଙ୍କୁ ଜଣାଇବ ଯେ ଆତତାୟୀ ମାନେ ସମ୍ପୂର୍ଣ୍ଣ ନିରସ୍ତ୍ର ଥିଲେ ସୁଦ୍ଧା ଅତି ଅନାୟସରେ ସେମାନେ ବିକ୍ରମ କବଳରୁ ଖସିଗଲେ । ଖାଲି ସେତିକି ନୁହେଁ–ବିକ୍ରମ ହାତରୁ ରିଭଲଭରଟିକୁ ମଧ୍ୟ ଛଡ଼ାଇ ନେଇଗଲେ ।

 

ଜୟନ୍ତ ସବୁ ଶୁଣିଲା ! କୌଣସି ମନ୍ତବ୍ୟ କଲାନାହିଁ । (……) ଆଘାତରେ ସର୍ବାଙ୍ଗ ତା’ର ଅଚଳ । ମନ ତାର କେବଳ ଜୁଲିକୁ ଖୋଜୁଛି ଏ ଭୟାବହ ପ୍ରେତପୁରୀରେ ଜୁଲି ଯେପରି ତା’ ଜୀବନର ଆଲୋକ ଶିଖା ସେ ଯଦି ତା’ର ରୋଗ ଶଯ୍ୟା ନିକଟରେ ବସି ତା’ ଦେହରେ ହାତ ବୁଲାଇ ଦେଉଥା’ନ୍ତା, ତେବେ ତାର ଆଉ କୌଣସି କଷ୍ଟ ରହନ୍ତା ନାହିଁ । କୌଣସି ଡାକ୍ତର ବା ଔଷଧର ମଧ୍ୟ ପ୍ରୟୋଜନ ହୁଅନ୍ତା ନାହିଁ । ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ଜୟନ୍ତ ବହୁକଷ୍ଟରେ କଡ ଲେଉଟାଇ ଶୋଇଲା ।

 

ବିକ୍ରମ ଖଣ୍ଡିଏ ଚୌକି ଟାଣିଆଣି ବରନ୍ଦାରେ ଏକା ବସିଲା । ଗଭୀର ରାତିରେ ବନଭୂମି କିପରି ଭୟାବହ ମନେ ହେଉଛି । ଯେପରି ଅସଂଖ୍ୟ ଛାୟାରୂପୀ ପ୍ରେତ ସେ ଅନ୍ଧାର ଭିତରେ ଘୁରିବୁଲୁଛନ୍ତି । ଦୂରରୁ ନିରବଚ୍ଛିନ୍ନ ଭାବରେ କ’ଣ ଗୋଟାଏ ଶବ୍ଦ ଭାସି ଆସୁଛି । ଯେପରି କାହାର କ୍ରନ୍ଦନ ଧ୍ୱନି । ଯେପରି ଏଇ ପ୍ରେତପୁରୀର ଆତ୍ମା କାନ୍ଦୁଛି । ଭୟାବହ ଓ ପ୍ରେତାୟିତ ସେ କ୍ରନ୍ଦନ ଧ୍ୱନି ।

 

ଭୈରବୀ ସୁନାମଣୀର କୁଟୀର ଭିତରୁ ଆଲୁଅ ଦେଖାଯାଉଛି । ହୁଏତ ସେ ପିଶାଚୀଟା ନରକଙ୍କାଳ ନେଇ ସେଦିନ ପରି ମହାକାଳୀଙ୍କର ପୂଜା କରୁଛି । ସେଦିନ ରାତିର ସେ ଅଲୌକିକ ଓ ଭୟାବହ ଦୃଶ୍ୟ ମନେ ପକାଇ ଭୟରେ ବିକ୍ରମର ସର୍ବାଙ୍ଗ ଶୀତେଇ ଉଠିଲା ।

 

କ୍ରମେ ରାତି ପାହି ଆସିଲା । ପୂର୍ବ ଦିଗନ୍ତରେ ସିନ୍ଦୁରା ଫାଟିଲା । ଜୟନ୍ତ ଗଭୀର ନିଦରେ ଶୋଇଛି । ରାତିସାରା ଦୈହିକ କଷ୍ଟ ଓ ମାନସିକ ଉତ୍ତେଜନା ପରେ ଶେଷ ରାତିକୁ ତା’ର ନିଦ ଲାଗି ଯାଇଛି । ବିକ୍ରମ ନିତ୍ୟକର୍ମ ଶେଷ କରିବା ପାଇଁ ବାଥ ରୁମକୁ ଗଲା ।

 

କିଛିକ୍ଷଣ ପରେ ଅସୁସ୍ଥ ଜୟନ୍ତକୁ ଦେଖିବା ପାଇଁ ରେଭରେଣ୍ଡ ନାୟକ ଓ ଜୁଲି ଆସି ପହଞ୍ଚିଲେ । ଅତି ନିଜର ଲୋକ ପରି ସେମାନଙ୍କ ନିକଟରେ ଜୟନ୍ତ ଗତ ରାତ୍ରିର ଦୁଘଟଣାବଳୀ ଗୋଟି ଗୋଟି କରି ବର୍ଣ୍ଣନା କଲା । ଜୁଲି ଭୟ ଓ ଦୁଃଖରେ ଏକାବେଳକେ କାନ୍ଦି ପକାଇଲା । ପ୍ରକାଣ୍ଡକାୟ ନାଗ ସାପଟା ରକ୍ତାକ୍ତ ଦେହରେ ବିଛଣା ଉପରେ ମରି ପଡ଼ିଥିଲା । ବିଷଧରଟାକୁ ଦେଖି ରେଭରେଣ୍ଡ ନାୟକ ଭୟ ଓ ବିସ୍ମୟରେ ନିର୍ବାକ ହୋଇ ଠିଆ ହୋଇ ରହିଲେ । କିଛିକ୍ଷଣ ପରେ ଗୋଟିଏ ଦୀର୍ଘ ନିଃଶ୍ୱାସ ପକାଇ ଧୀରେ ଧୀରେ କହିଲେ–ମୁଁ କେବଳ ଭାବୁଛି, ଯଦି ଆମର ବନ୍ଧୁ ଜଗଜିତ୍ ସିଂ ଜୀ ନ ଥା’ନ୍ତେ, ତେବେ କ’ଣ ହୋଇଥା’ନ୍ତା !

 

ସେଠାରୁ ଫେରି ଆସି ଜୟନ୍ତର ରୋଗ ଶଯ୍ୟା ନିକଟରେ କିଛିକ୍ଷଣ ନୀରବରେ ବସି ରହିଲେ । ତା’ ପରେ ବିକ୍ରମକୁ ଚାହିଁ କହିଲେ– ଜଗଜୀତ୍ ସିଂ ଜୀ, ଆପଣ ଯେପରି ସାହାସ ଓ ବୀରତ୍ଵ ଦେଖାଇ ଜୟନ୍ତ ବାବୁଙ୍କର ମହାମୂଲ୍ୟ ପ୍ରାଣକୁ ରକ୍ଷାକରି ପାରିଛନ୍ତି, ତାହା ଅତୁଳନୀୟ, କେବଳ ପଞ୍ଚନଦୀର ବୀର ସନ୍ତାନ ଛଡ଼ା, ଏପରି ସାହସ ଓ ଉପସ୍ଥିତ ବୁଦ୍ଧି ଅନ୍ୟ କାହାରି ପକ୍ଷରେ ସମ୍ଭବ ନୁହେଁ ।

 

ତରୁଣୀ ଜୁଲି ତା’ର ବଡ଼ ବଡ଼ ସ୍ନିଗ୍‌ଧ ଦୁଇଟି ପ୍ରଶଂସମାନ ଦୃଷ୍ଟିରେ ବିକ୍ରମକୁ ଅନାଇ ରହିଲା । ସେ ଦୃଷ୍ଟିର ସ୍ପର୍ଶରେ ବିକ୍ରମର ଅନ୍ତର ପୁଲକିତ ହୋଇ ଉଠିଲା । କିଛିକ୍ଷଣ ନୀରବ ରହି ରେଭରେଣ୍ଡ ନାୟକ ପୁଣି କହିଲେ–କିନ୍ତୁ, ଠିକ୍ ସମୟରେ ଆପଣ ଯେ ସେଠାରେ ଆସି ପହଞ୍ଚିବେ,ଏହା କଦାପି ଆକସ୍ମିକ ନୁହେଁ । ଏହା ଦୟାମୟ ଈଶ୍ଵରଙ୍କର ନିର୍ଦ୍ଦେଶ । ଅତି ସୁନିଶ୍ଚିତ ବିଧିଲିପି । ଆପଣମାନେ ମନେ ରଖନ୍ତୁ, ମଣିଷର ଜନ୍ମ ଓ ମୃତ୍ୟୁ କଦାପି ସୃଷ୍ଟିରେ ଆକସ୍ମିକ ଘଟଣା ନୁହେଁ । ସବୁ ଈଶ୍ୱରଙ୍କର ପୂର୍ବ ପରିକଳ୍ପିତ ଓ ମହାକାଳ ଦ୍ୱାରା ଅତିଶୟ ସୁନିୟନ୍ତ୍ରିତ । ଜଣେ ଦାର୍ଶନିକ ପଣ୍ଡିତ ଯଥାର୍ଥରେ କହିଛନ୍ତି–

 

“For every thing there is a time;

A time to be born and a time to die.”

 

ବିକ୍ରମ କିଛି ନ କହିଲେ ମଧ୍ୟ ଦରୁଆନ ବସିର ଖାଁ କଥା ଜୟନ୍ତ ସବୁ କହି ଦେଲା । କାହିଁକି କେଜାଣି ରେଭରେଣ୍ଡ ନାୟକ ଏଥିରେ ଆଦୌ ବିସ୍ମିତ ହେଲେ ନାହିଁ । ସାମାନ୍ୟ ହସି କହିଲେ–ଦେଖନ୍ତୁ ଜୟନ୍ତ ବାବୁ ବେଶୀକାଳ ନ ହେଲେ ମଧ୍ୟ ବର୍ଷାଧିକ କାଳ ମୁଁ ଏ ଘରର ପଡ଼ିଶା ହୋଇ ରହିଲିଣି । ମୁଁ ଆଧ୍ୟାତ୍ମବାଦୀ ହେଲେ ମଧ୍ୟ, ଜଣେ ମଣିଷ । ଜୀବନରେ ବହୁ ଦେଶ ଭ୍ରମଣ କରିଛି ଓ ବହୁ ନରନାରୀଙ୍କ ସଂସ୍ପର୍ଶରେ ଆସି ବହୁ ଅଭିଜ୍ଞତା ମୁଁ ଲାଭ କରିଛି । ମଣିଷ ଜାତିକୁ ସମଷ୍ଟିଗତ ଭାବରେ ପ୍ରେମ କରିବା ହେଉଛି ପ୍ରଭୁଙ୍କର ନିର୍ଦ୍ଦେଶ । ବ୍ୟକ୍ତି ବିଶେଷକୁ ବିଶେଷଭାବରେ ସ୍ନେହ କରିବାଟା ହେଉଛି ମାନବ ହୃଦୟର ଦୁର୍ବଳତା । କିନ୍ତୁ କାହିଁକି କେଜାଣି, ଜୟନ୍ତ ବାବୁଙ୍କୁ ଦେଖିବା ଦିନୁ ମୋ’ ଅନ୍ତରରେ ସେଇ ଦୁର୍ବଳତା ପ୍ରକାଶ ପାଇଛି । ଯାହା ନ୍ୟାୟ ଓ ସତ୍ୟ ବୋଲି ମୁଁ ବିଶ୍ଵାସ କରେ, ତାହା ପ୍ରକାଶ କରିବାକୁ ମୁଁ ଭୟକରେ ନାହିଁ । ମୁଁ ଆଜି ମୋ’ ମନ କଥା କହିବି । ସ୍ୱର୍ଗତ ପୁରନ୍ଦର ବାବୁଙ୍କ ଜୀବିତାବସ୍ଥାରେ ଏ ଘରେ ଆହୁରି କେତେକ ଭୃତ୍ୟ ମଧ୍ୟ ଥିଲେ । କିନ୍ତୁ ଏଇ ଦରୁଆନ ବସିର ଖାଁ ଉପରେ ମୋ’ର କିପରି ସନ୍ଦେହ ହେଉଥିଲା । ଓକିଲ ଅଶୋକ ବାବୁଙ୍କ ସହିତ ଏଇ ବସିର ଖାଁ ଏକ ଗଭୀର ଷଡ଼ଯନ୍ତ୍ରରେ ଲିପ୍ତଥିଲା ବୋଲି ମୋର ସନ୍ଦେହ ହେଉଥିଲା । ଗଭୀର ରାତିରେ ସେମାନଙ୍କୁ ନିମ୍ନ କଣ୍ଠରେ କ’ଣ ସବୁ ଆଲୋଚନା କରୁଥିବାର ମୁଁ ଏକାଧିକ ଥର ଦେଖିଛି । ସେ ଡାହାଣୀ ଭୈରବୀ ସହିତ ଅଶୋକ ବାବୁଙ୍କର ଗୁପ୍ତ ସଂଯୋଗ ଥିଲା । ମୋ’ମନରେ ସେତେବେଳେ କିପରି ଗୋଟାଏ ସନ୍ଦେହ ଜାଗିଥିଲା ଯେ ଏ ଘର ଉପରେ କୌଣସି ଗୋଟାଏ ବିପଦ ଆସନ୍ନ । ମୋର ମାନସ ଚକ୍ଷୁରେ ସେ ଅଶୁଚି କଳାଛାଇଟାକୁ ଧୀରେ ଧୀରେ ଆଗେଇ ଆସୁଥିବାର ମୁଁ ଦେଖିପାରିଥିଲି ।

 

ରେଭରେଣ୍ଡ ନାୟକ ନୀରବ ହେଲେ । ତାଙ୍କର ଆଖି ଦୁଇଟି ଅର୍ଦ୍ଧ ନିମୀଳିତ ହୋଇ ଆସିଥିଲା । ବିକ୍ରମ କହିଲା–ତା’ପରେ କ’ଣ ହେଲା କହନ୍ତୁ ଫାଦର । ଆପଣଙ୍କର ଅର୍ନ୍ତଦୃଷ୍ଟି ପ୍ରକୃତରେ ଅତି ଅଦ୍ଭୁତ ।

 

ପୂର୍ଣ୍ଣ ଦୃଷ୍ଟିରେ ବିକ୍ରମକୁ ରେଭରେଣ୍ଡ ନାୟକ ଚାହିଁଲେ । –ତା’ ପରେ ହଠାତ୍ ଦିନେ ଶୁଣି ପାରିଲି ଯେ ପୁରନ୍ଦର ବାବୁଙ୍କର ମୃତ୍ୟୁ ହୋଇଛି । ପୋଲିସ ଆସିଲେ । କେତେ ତଦନ୍ତ ହେଲା । ସେ ତଦନ୍ତରେ ଅଶୋକ ବାବୁ ଆଜିର ଏଇ ଫେରାରୀ ବସିର ଖାଁ ପୋଲିସଙ୍କୁ ବହୁ ଭାବରେ ସାହାଯ୍ୟ କରୁଥିବାର ମୁଁ ଦେଖିଲି । ଅବଶେଷରେ ଦିନେ ଶୁଣିଲି ଯେ ପୁରନ୍ଦର ବାବୁ ଆତ୍ମହତ୍ୟା କରିଛନ୍ତି । ହୁଏତ ସମସ୍ତେ ଏକଥା ବିଶ୍ଵାସ କଲେ । କିନ୍ତୁ କାହିଁକି କେଜାଣି, ମୁଁ ଏହା ବିଶ୍ୱାସ କରି ପାରିଲି ନାହିଁ । ସେଇ ଦିନ ସଞ୍ଜବେଳେ ପ୍ରଭୁଙ୍କ ସିଂହାସନ ତଳେ ଆଣ୍ଠୁମାଡ଼ି ବସି ପୁରନ୍ଦର ବାବୁଙ୍କର ଆତ୍ମାର ସଦ୍‌ଗତି ପାଇଁ ମୁଁ ପ୍ରାର୍ଥନା କଲି ।

 

ତା’ ପରେ କିଛିକାଳ ପର୍ଯ୍ୟନ୍ତ ସେଇ ଓକିଲ ଏ ଘରର ସମ୍ପୂର୍ଣ୍ଣ ମାଲିକ ହୋଇଗଲେ । ଘରର ସବୁ ପୁରୁଣା ଭୃତ୍ୟଙ୍କୁ ତଡ଼ି ଦେଲେ । କିନ୍ତୁ ଦରୁଆନ ବସିର ଖାଁକୁ ରଖିଲେ । ସୁତରାଂ ଏଇ ବସିର ଖାଁ ଉପରେ ସନ୍ଦେହ ମୋର ଆଜି ନୂଆ ନୁହେଁ । କିନ୍ତୁ ଈଶ୍ୱରଙ୍କର ଅଶେଷ କୃପା ଯେ ଜୟନ୍ତ ବାବୁଙ୍କର ଆଉ ବିଶେଷ କିଛି ଅନିଷ୍ଟ କରିପାରିବା ପୁର୍ବରୁ ତା’ର କୀର୍ତ୍ତି କଳାପ ଜଣା ପଡ଼ି ଯାଇଛି ।

 

ମୂର୍ତ୍ତିମତୀ ସେବାପରି ଜୟନ୍ତର ରୋଗ ଶଯ୍ୟା ଉପରେ ଜୁଲି ବସିରହି ଏ ଅଦ୍ଭୁତ କାହାଣୀ ଶୁଣୁଥିଲେ । ତା’ ଆଖିରେ ଭୟ ଓ ବିସ୍ମୟର ଛାଇ ଫୁଟି ଉଠିଥିଲା । ରେଭରେଣ୍ଡ ନାୟକ ନିଜ କନ୍ୟାକୁ ମଧ୍ୟ ଏ କଥା ପୂର୍ବେ କହି ନାହାନ୍ତି ।

 

ଆଉ କିଛିକ୍ଷଣ ପରେ ଡାକ୍ତରଙ୍କୁ ସଙ୍ଗରେ ନେଇ ଓକିଲ ଅଶୋକ ମହାପାତ୍ର ପହଞ୍ଚିଲେ-। ରୋଗୀକୁ ପରୀକ୍ଷା କରି ଡାକ୍ତର ଜଣାଇଲେ ଯେ ରୋଗୀର ସ୍ନାୟୁ ମଣ୍ଡଳିରେ ଅତ୍ୟଧିକ ଉତ୍ତେଜନା ସୃଷ୍ଟି ହୋଇଛି । ତାଙ୍କର ବର୍ତ୍ତମାନ ପୂର୍ଣ୍ଣ ବିଶ୍ରାମ ଦରକାର । ଆଦୌ ଉତ୍ତେଜିତ ହେବା ଉଚିତ ନୁହେଁ ।

 

ଏହା କହି ରୋଗୀକୁ ଗୋଟିଏ ଇନ୍‌ଜେକ୍‌ସେନ ଓ ଔଷଧ ଦେଇ ସେ ବିଦାୟ ନେଲେ-। ଅଶୋକ ବାବୁ ସେଠାରେ ରହିଲେ । ତାଙ୍କ ନିକଟରେ ମଧ୍ୟ ଜୟନ୍ତ ସବୁ ଘଟଣା ବର୍ଣ୍ଣନା କଲା । ନାଗ ସାପଟା କଥାଶୁଣି ଅଶୋକ ବାବୁ ବ୍ୟସ୍ତ ହୋଇ ଉଠିଲେ । କିଛିକ୍ଷଣ ପର୍ଯ୍ୟନ୍ତ କ’ଣ ଚିନ୍ତାକରି କହିଲେ–ନାନା କାରଣରୁ ମୁଁ ମନେ କରୁଛି ଯେ କିଛିଦିନ ପାଇଁ ଆପଣ ଏ ସ୍ଥାନ ତ୍ୟାଗ କରିବା ଉଚିତ ଜୟନ୍ତ ବାବୁ ! ଆପଣ ବର୍ତ୍ତମାନ ପୁରୀ ଚାଲି ଯା’ନ୍ତୁ । ସେଠାରେ ଆପଣଙ୍କର ପୈତୃକ ଘର ଖାଲି ପଡ଼ିଛି ।

 

ପ୍ରଚଣ୍ଡ ଆପତ୍ତି କରି ବିକ୍ରମ କହି ଉଠିଲା–ନା, ନା, ତା’ର କୌଣସି ପ୍ରୟେଜନ ନାହିଁ । ମୁଁ ଆଉ ଦୁଇଜଣ ବିଶ୍ଵାସୀ ଭୃତ୍ୟ ଠିକ୍‍ କରିଛି । ସେମାପନ ଆଜି ଏ ଘରକୁ ଆସିବେ ।

 

ତେରଛା ଚାହାଣୀରେ ଛଦ୍ମବେଶୀ ବିକ୍ରମକୁ ଅଶୋକ ବାବୁ ଚାହିଁଲେ । ତା’ ପରେ ସାକ୍ଷୀକୁ ଜେରା କରିବା ଭଙ୍ଗିରେ କହିଲେ–ମୋ’ର ବିଶ୍ଵାସ, ଆପଣ ଏ ସହରରେ ନବାଗତ ବ୍ୟକ୍ତି-। ଏଠାରେ ଦୁଇଜଣ ବିଶ୍ଵାସୀ ଭୃତ୍ୟ ଆପଣ ଯୋଗାଡ଼ କରି ପାରିଲେ କିପରି ?

 

ଏ ପ୍ରଶ୍ନର ଯଥାର୍ଥ ଉତ୍ତର ବିକ୍ରମ ହଠାତ୍ ଦେଇ ପାରିଲା ନାହିଁ । ମନେ ମନେ ସେ ଟିକିଏ ଲଜ୍ଜିତ ହେଲା । ଅଶୋକ ବାବୁ ଜଣେ ନାମଜାଦା ଆଇନ ଜୀବୀ । ବିକ୍ରମ ମଧ୍ୟ ସେଇ ସ୍ଥାନରେ ଜଣେ ଆଇନ ବ୍ୟବସାୟୀ । ଉଭୟେ ପରିଚିତ ବ୍ୟକ୍ତି । କିନ୍ତୁ ବିକ୍ରମ ବର୍ତ୍ତମାନ ଏକ ଶିଖ ତରୁଣର ଛଦ୍ମବେଶରେ ଅଛି । ଏଇ ବିଚକ୍ଷଣ ଆଇନଜ୍ଞଙ୍କ ଆଖିରେ ଧରା ପଡ଼ିବାକୁ ସେ ଚାହେଁ ନାହିଁ !

 

ବିକ୍ରମ ହଠାତ୍ କୌଣସି ଉତ୍ତର ଦେଇ ପାରିଲା ନାହିଁ । କିନ୍ତୁ କାହିଁକି କେଜାଣି ଅଶୋକ ବାବୁ ବିକ୍ରମର ଉତ୍ତରକୁ ଅପେକ୍ଷା ନକରି କହିଲେ–ଭଲ କଥା, ଯଦି ଜୟନ୍ତ ବାବୁ ବର୍ତ୍ତମାନ ଏ ସ୍ଥାନ ଛାଡ଼ି ଯିବାକୁ ନ ଚାହାନ୍ତି ତେବେ ସେ ଏହିଠାରେ ରହନ୍ତୁ । ଭୃତ୍ୟ ଦୁଇଜଣଙ୍କୁ ଶୀଘ୍ର ନେଇ ଆସନ୍ତୁ । ବସିର ଖାଁ ପରି ବିଶ୍ଵାସୀ ବ୍ୟକ୍ତି କାହିଁକି ପଳାଇ ଗଲା ମୁଁ ଜାଣି ପାରୁ ନାହିଁ ।

 

ଅଶୋକ ବାବୁଙ୍କର ଶେଷ କଥାରେ ସମସ୍ତଙ୍କ ମୁହଁରେ ବିରକ୍ତି ଫୁଟି ଉଠିଲା । ରେଭରେଣ୍ଡ ନାୟକ ମନର ବିରକ୍ତିକୁ ଯଥା ସମ୍ଭବ ଦମନ କରି କହିଲେ–ସେ ଖୁବ ବିଶ୍ଵାସୀ ବ୍ୟକ୍ତିବୋଲି ଆପଣ ଯଦି ଜାଣନ୍ତି–ତେବେ ଏଠାକୁ ନ ଆସିଲେ ମଧ୍ୟ ସେ ଆପଣଙ୍କ ସଙ୍ଗେ ନିଶ୍ଚୟ ଯାଇ ଦେଖା କରିବ ।

 

ଗମ୍ଭୀର କଣ୍ଠରେ ଅଶୋକ ବାବୁ କହିଲେ–ହଁ, ତାହା ଖୁବ ସମ୍ଭବ । ଆଚ୍ଛା, ମୁଁ ଏବେ ଯାଉଛି ଜୟନ୍ତ ବାବୁ । କାଲି ପୁଣି ଆସି ଆପଙ୍କର ସମ୍ବାଦ ନେବି । ସମ୍ଭବ ହେଲେ ଆଜି ସଞ୍ଜବେଳେ ଡାକ୍ତରଙ୍କୁ ନେଇ ଆସିବି । ଡାକ୍ତରଙ୍କ ଉପଦେଶ ମତେ ଆପଣ ଚଳିବେ । ଅଯଥା ଉତ୍ତେଜିତ ହେବେ ନାହିଁ ।

 

ଅଶୋକ ମହାପାତ୍ର ବିଦାୟ ନେଲେ । ତା’ ପରେ କିଛିକ୍ଷଣ ପର୍ଯ୍ୟନ୍ତ ସମସ୍ତେ ନୀରବରେ ବସି ରହିଲେ । ଅବଶେଷରେ ରେଭରେଣ୍ଡ ନାୟକ ଧୀର କଣ୍ଠରେ ମନ୍ତବ୍ୟ ଦେଲେ–ଇଏ ହେଉଛନ୍ତି ଅତି ଗଭୀର ଜଳର ମାଛ । ଜୟନ୍ତ ବାବୁ ଏ ଘର ଛାଡ଼ି ଚାଲି ଯା’ନ୍ତୁ, ଏହାହିଁ ସେ ଚାହାନ୍ତି ।

 

ଜୁଲି ହଠାତ୍ କହି ଉଠିଲା–ଏ ଘରେ ଯଦି ବିପଦ ଅଛି, ତେବେ ଜୟନ୍ତ ବାବୁ ଆମ ଘରକୁ ତ ଚାଲି ଯାଇ ପାରନ୍ତି ଡ଼ାଡି ! ତା’ ହେଲେ ତାଙ୍କର ସେବାଯତ୍ନରେ କୌଣସି ଅସୁବିଧା ହୁଅନ୍ତା ନାହିଁ !

 

ରେଭରେଣ୍ଡ ନାୟକ ଧୀର କଣ୍ଠରେ କହିଲେ–ନା’ ମା, ତାର କୌଣସି ପ୍ରୟୋଜନ ନାହିଁ-। ତୁ ନିଜେ ଆସି ଏଠାରେ ତାଙ୍କର ସେବା କରି ପାରୁ । ତା’ ଛଡ଼ା ଜୟନ୍ତ ବାବୁ ଯେ ଅତିଶୀଘ୍ର ସୁସ୍ଥ ହୋଇ ଉଠିବେ,ଏ କଥା ସୁନିଶ୍ଚିତ । ତାଙ୍କର ପେଶୀ ଓ ସ୍ନାୟୁ ଇସ୍ପାତ ପରି ଶକ୍ତ । ସେ ଜଣେ ବିଖ୍ୟାତ ଖେଳୁଆଡ୍ ।

 

କଥା ଭିତରେ ବିକ୍ରମ ଘର ବାହାରକୁ ଚାଲି ଯାଇଥିଲା । ହଠାତ୍‍ କ’ଣ ଦେଖି ସେ ଅସ୍ଫୁଟ ଚିତ୍କାର କରି ଉଠିଲା । ବାହାରୁ ହାତ ଠାରି ସେ ରେଭରେଣ୍ଡ ନାୟକଙ୍କୁ ଡ଼ାକିଲା । ରେଭରେଣ୍ଡ ବାହରକୁ ଉଠି ଆସିଲେ । ତଳକୁ ଚାହିଁବା ପାଇଁ ବିକ୍ରମ ବାଙ୍କୁ ଇଙ୍ଗିତ କଲା । ଦୁଇଜଣଯାକ ଚାହିଁ ଦେଖିଲେ । ଅରମା ବଣ ଭିତର ଦେଇ ସୁନାମଣୀ ଘର ଆଡ଼କୁ ଅଶୋକ ମହାପାତ୍ର ଚାଲିଛନ୍ତି । ତାଙ୍କ ହାତରେ କାଗଜରେ ବନ୍ଧା ଗୋଟିଏ ପୁଡ଼ିଆ ରହିଛି । ନିର୍ବାକ ଭାବରେ ଦୁଇଜଣଯାକ ତାଙ୍କୁ ଚାହିଁ ରହିଲେ । ଅଶୋକ ବାବୁ ବଣ ଭିତର ଦେଇ ଆଗେଇ ଚାଲିଛନ୍ତି । କ’ଣ ମନେକରି କେଜାଣି, ସେ କଳାବତୀର ସମାଧି ନିକଟରେ କିଛିକ୍ଷଣ ଛିଡ଼ା ହୋଇ ରହିଲେ । ତା’ ପରେ ବଡ଼ ତେନ୍ତୁଳି ଗଛଆଡ଼େ ଥିବା ସୁନାମଣୀର କୁଟୀର ଆଡ଼େ ଚାଲିଲେ ।

 

ଅଶୋକ ମହାପାତ୍ର ଦୂର ତେନ୍ତୁଳି ଗଛ ପଟପଟେ ଅଦୃଶ୍ୟ ହେଇ ଯିବା ପରେ ରେଭରେଣ୍ଡ ନାୟକ ଗୋଟିଏ ଦୀର୍ଘ ନିଶ୍ଵାସ ପକାଇ ସ୍ଵଗତୋକ୍ତି କଲାପରି କହିଲେ–ଗଭୀର ଏକ ଷଡ଼ଯନ୍ତ୍ର ଚାଲିଛି । ଜୟନ୍ତ ବାବୁଙ୍କୁ ପ୍ରଭୁ ବଞ୍ଚାନ୍ତୁ । ଏଇ ଧୂର୍ତ୍ତ ଓକିଲଟି ଯେତେ ଶୀଘ୍ର ଏ ଘର ସହିତ ସମ୍ପର୍କ ଛିନ୍ନ କରେ, ଜୟନ୍ତ ବାବୁ, ତାର ବ୍ୟବସ୍ଥା କରିବା ଉଚିତ ।

 

କିଛିକ୍ଷଣ ପରେ ଜୟନ୍ତକୁ ଜୁଲି ଓ ମଧୁସୂଦନର ତତ୍ତ୍ଵାବଧାନରେ ରଖି ବିକ୍ରମ ବାହାରକୁ ଚାଲିଗଲା । ଡକ୍ଟର ସିଦ୍ଧାର୍ଥ ଦାସଙ୍କର ଦୁଇଜଣ ସୁଯୋଗ୍ୟ “ଅପରେଟିଭ୍‌”ଙ୍କୁ ଭୃତ୍ୟର ଛଦ୍ମବେଶରେ ସେ ଆଣି ପହଞ୍ଚାଇଲା । ସେମାନଙ୍କର ପ୍ରକୃତ ପରିଚୟ ଜୟନ୍ତକୁ ମଧ୍ୟ ଜଣାଇଲା ନାହିଁ । ଭ୍ରମର ଓ ଶ୍ରୀପତି–ଏଇ ଦୁଇଟି ଛଦ୍ମ ନାମରେ ସେମାନେ ପରିଚିତ ହେଲେ ।

 

ସିଦ୍ଧାର୍ଥ ଦାସଙ୍କ ସହିତ ସେ ଟେଲିଫୋନ ଯୋଗେ ସଂଯୋଗ ସ୍ଥାପନ କରିବାକୁ ଚେଷ୍ଟା କରିଥିଲା । ଡକ୍ଟର ଦାସଙ୍କର ନେପାଳୀ ଭୃତ୍ୟ ବାହାଦୂର ଜଣାଇଲା ଯେ ସିଦ୍ଧାର୍ଥ ଦାସ ଫେରି ଆସିଥିଲେ । କ’ଣ କେତେ ଗୁଡ଼ାଏ କାଗଜ ନେଇ ସେ ରାତିସାରା ନିଜ କୋଠରୀରେ ବସି କ’ଣ ସବୁ ଲେଖାପଢ଼ା କରୁଥିଲେ । ରାତିଯାକ ଖାଇଲେ ନାହିଁ କି ଶୋଇଲେ ନାହିଁ । ତା’ପରେ ଗତକାଲି ଖୁବ ସକାଳୁ ସେ ଘର ଛାଡ଼ିଚାଲିଗଲେ । ପୁଣିକେବେ ଫେରିବେ ସେ କଥା ବାହାଦୂର ଜାଣେ ନାହିଁ ।

 

ବିକ୍ରମ ଅତିଶୟ ବିରକ୍ତ ହୋଇ ଉଠିଲାଣି । ଆଉ କେତେକାଳ ଯେ ସେ ଏଇ ପ୍ରେତ ପୁରୀକୁ ଜଗି ବସିଥିବ–ସେ କଥା ଈଶ୍ୱର ଜାଣନ୍ତି । ଏପରି ଏକ ଛଦ୍ମ ବେଶ ମଧ୍ୟ ତାଙ୍କୁ ଅସହ୍ୟ ହେଲାଣି । ଏ ଘରେ ଯେପରି ସବୁ ଅଦ୍ଭୁତ ଓ ଅଲୌକିକ । ଭୈରବୀ ସୁନାମଣୀଟା ପ୍ରକୃତରେ ମଣିଷ କିମ୍ୱା ମଣିଷ ରୂପରେ ଗୋଟାଏ ପିଶାଚୀ, ସେକଥା ସେ ଜାଣେ ନାହିଁ । ରାତି ସାରା ସେ ନରକଙ୍କାଳଙ୍କ ସଙ୍ଗରେ କଟାଏ । ତା’ର ସେଇ କୁଟୀର ଭିତରେ କି ଅଲୌକିକ ରହସ୍ୟ ଯେ ଲୁଚି ରହିଛି, ସେ କଥା କିଏ କହିବ ।

 

ତା’ପରେ ଏଇ ଓକିଲ ଅଶୋକ ମହାପାତ୍ର ଓ ଦରୁଆନ ବସିର ଖାଁ । ସେମାନେ ଯେ ଏଇ ଷଡ଼ଯନ୍ତ୍ରର ନେତୃସ୍ଥାନୀୟ ବ୍ୟକ୍ତି–ଏଥିରେ ଆଉ ତିଳେ ମାତ୍ର ସନ୍ଦେହ ନାହିଁ । ଏଇ ରହସ୍ୟ ପୁରୀରେ ଗଭୀର ରାତିରେ ଅସଂଖ୍ୟ ଛାୟାମୂର୍ତ୍ତି ବିଚରଣ କରନ୍ତି । ବାକ୍‌ସ, ସିନ୍ଦୁକ, ଆଲମାରୀ ପ୍ରଭୃତି ପ୍ରତି ରାତିରେ ଭଙ୍ଗ ହେଉଛି । କ’ଣ ଯେପରି ସେମାନେ ଖୋଜି ବୁଲୁଛନ୍ତି । କି ଅମୂଲ୍ୟନିଧି ଯେ ଏ ଘରର କେଉଁ ଗୁପ୍ତ ସ୍ଥାନରେ ଲୁଚାଇ ରଖାହୋଇଛି ସେ କଥା କିଏ କହିବ ।

 

ଅନ୍ୟାନ୍ୟ ବିଭୀଷିକା ମଧ୍ୟରେ ସେ ଚଳମାନ ଅଗ୍ନି ଗୋଲକଟା ଅନ୍ୟତମ । ସେଇଟା କ’ଣ ଗୋଟାଏ ‘ଜଖ’ । ପୁରୁଣା କାଳିଆ ବୁଢ଼ାମାନେ ଏଇ ଅପାର୍ଥିବ ବସ୍ତୁଟି ବିଷୟରେ ବହୁ ଗଳ୍ପ କହନ୍ତି । ପିଲାଦିନେ ତାଙ୍କର ବୁଢ଼ା ‘କୋଚମଖନ’ ଶେଖ୍ ରମ୍ ଜାନ ଗୋଟିଏ ଗଳ୍ପ କହିଥିଲା । ମାଟିତଳେ ପୋତା ହୋଇଥିବା ଧନରତ୍ନ ‘ଜଖ’ ହୁଏ । ଯେଉଁ ମହାକୃପଣ ବ୍ୟକ୍ତି ଆଦୌ ଧନ ଖର୍ଚ୍ଚ ନକରି ମାଟିତଳେ ପୋତି ରଖିଥାଏ, ମୃତ୍ୟୁପରେ ସେଇ କୃପଣର ପ୍ରେତାତ୍ମା ସେ ପୋତା ଧନକୁ ଛାଡ଼ିଯାଇ ପାରେ ନାହିଁ । କୌଣସି ଗୋଟିଏ ବିଚିତ୍ର ଜୀବର ରୂପରେ ସେ ଧନରତ୍ନ ରାତିରେ ବୁଲୁଥାଏ । ଅନ୍ଧାରରେ ଏମିତି ଚକ ଚକ ଦେଖାଯାଏ । ରମଜାନ ଗୋଟିଏ ଘଟଣା ଜାଣେ । ତା’ଗାଁର ଜୁମନ ନାମକ ଜଣେ ଅତି ଦରିଦ୍ର ମୁସଲମାନ ରାତି ଅଧରେ ହଠାତ୍ ତା’ କୁଡ଼ିଆ ପଛପଟେ ଏମିତି ଗୋଟିଏ ଜଖକୁ ଯିବାର ଦେଖିଲା । ଜୁମନ ବଡ଼ ବୁଦ୍ଧିମାନ ବ୍ୟକ୍ତି । ସେ ହାଣ୍ଡିଏ ଗୋବର ପାଣି ଆଣି ଜଖ ଉପରକୁ–ନିକ୍ଷେପ କଲା । ସାଙ୍ଗେ ସାଙ୍ଗେ ଜଖଟା ସେଇଠି ମରି ପଡ଼ିଲା । ଘର ଭିତରୁ ଲଣ୍ଠନ ଆଣି ସେ ଦେଖିଲା ସେ ଖଣ୍ଡିଏ ଛିଟ କନାରେ ଏକ ହଜାର ସୁନା ମୋହର ବନ୍ଧା ହୋଇ ସେଠାରେ ପଡ଼ିଛି । ତା’ ପରେ ହଠାତ୍ ଜୁମନ୍‍ ମିଆଁ ଧନୀ ହୋଇଗଲା । କୋଠାଘର କଲା । ହଜ୍ କରିବା ପାଇଁ ଗଲା । ହେଲେ ତା’ ବଂଶରେ ଆଉ କେହି ରହିଲେ ନାହିଁ ।

 

ଗଭୀର ରାତିରେ ଏ ଘରେ ଦେଖା ଦେଉଥିବା ଚଳମାନ ଅଗ୍ନି ପିଣ୍ଡୁଳାଟା ମଧ୍ୟ ହୁଏତ ଗୋଟାଏ ଜଖ । ବୃଦ୍ଧ ରମଜାନ୍ ଥିଲେ ସେ ନିଶ୍ଚୟ ଗୋବର ପାଣି ପକାଇ ଜଖଟାକୁ ମାରି ପକାନ୍ତା । କିନ୍ତୁ ସେ ଆଉ ବଞ୍ଚି ନାହିଁ ।

 

ମଧ୍ୟାହ୍ନ ଭୋଜନ ପରେ ବିକ୍ରମ ଯାଇ ରେଭରେଣ୍ଡ ନାୟକଙ୍କ ଘରେ ପହଞ୍ଚିଲା । ସେ ଜାଣେ ଯେ ରେଭରେଣ୍ଡ ଦିବା ନିଦ୍ରା ଉପଭୋଗ କରନ୍ତି ନାହିଁ । ରେଭରେଣ୍ଡ ନିଜ ଘରେ ବସି ଗୋଟିଏ ଫେରିବାଲା ନିକଟରୁ ବାସନ କ୍ରୟ କରୁଥିଲେ । ବିକ୍ରମକୁ ଦେଖି ସାମାନ୍ୟ ହସି ସ୍ଵାଗତ ଜଣାଇଲେ । –ବସନ୍ତୁ ଜଗଜିତ୍ ସିଂ ଜୀ । ଆପଣ ଏ ଦେଶର ବହୁ ଉନ୍ନତ ସହର ଦେଖିଛନ୍ତି । ଦିଲ୍ଲୀ–ବା ଆପଣଙ୍କ ଜନ୍ମଭୂମି ପଞ୍ଜାବ ତୁଳନାରେ ଓଡ଼ିଶା ଅବଶ୍ୟ ବହୁ ପଛରେ ପଡ଼ି ରହିଛି । ଏଠାରେ ଭଲଭଲ କଳକାରଖାନା ନାହିଁ । କିନ୍ତୁ କଳକାରଖାନାର ସାହାଯ୍ୟ ନ ନେଇ ଏ ଦେଶର ଶିଳ୍ପୀମାନେ କିପରି ସୁନ୍ଦର ଜିନିଷ ତିଆରି କରୁଛନ୍ତି ଦେଖନ୍ତୁ । ଏଇ ଫୁଲଦାନୀଟି କିପରି ପାଲିସ କରା ହୋଇଛି ଦେଖନ୍ତୁ ।

 

କେତୋଟି ପଦାର୍ଥ କ୍ରୟକରି ରେଭରେଣ୍ଡ ନାୟକ ଫେରିବାଲା ଟାକୁ ବିଦାୟ ଦେଲେ । ତା’ପରେ ଖୁସି ମନରେ ବିକ୍ରମ ସହିତ ଗଳ୍ପ କରିବାକୁ ଲାଗିଲେ । ଏ ଦେଶର ଧାତୁ ଶିଳ୍ପ ଓ ଜଗତ ବିଖ୍ୟାତ ତାରକସୀ କାମ କଥା ପଡ଼ିଲା । ହଠାତ୍ ବିକ୍ରମ କହି ପକାଇଲା–ଓଡ଼ିଶାର ତାରକସୀ ଶିଳ୍ପର ବିଲାତରେ ବହୁତ ଚାହିଦା । ଏଇ ତାରକସୀ ଶିଳ୍ପ ବିନିମୟରେ ଭାରତ ସରକାର ପ୍ରଚୁର ବିଦେଶୀ ମୁଦ୍ରା ଲାଭ କରନ୍ତି । ମୁଁ ଯେତେବେଳେ ବାରିଷ୍ଟରୀ ପଢ଼ିବା ପାଇଁ ବିଲାତରେ ଥିଲି, ମୁଁ ସ୍ଵଚକ୍ଷୁରେ ଏହା ଦେଖିଛି ।

 

ରେଭରେଣ୍ଡ ନାୟକ କହିଲେ–ଆପଣ କ’ଣ ଜଣେ ବାରୀଷ୍ଟର ! କିନ୍ତୁ ମୋର ମନେ ହେଉଛି, ଆପଣଙ୍କର ବନ୍ଧୁ ଜୟନ୍ତ ବାବୁ କହୁଥିଲେ ଯେ ଆପଣ ଦିଲ୍ଲୀର ଜଣେ କଣ୍ଟ୍ରାକଟର ।

 

ଏପରି ଅସାବଧାନତା ଯୋଗୁ ବିକ୍ରମର ମୁହଁ ନାଲି ପଡ଼ିଗଲା । ରେଭରେଣ୍ଡ ନାୟକଙ୍କୁ ସେ କ’ଣ କହିବ କିଛି ଠିକ୍‍ କରି ପାରିଲାନାହିଁ । ନିଜର ଏପରି ଅସାବଧାନତା ଯୋଗୁ ସେ ଅତିଶୟ ଅନୁତପ୍ତ ଓ ଲଜ୍ଜିତ ହେଲା । କିନ୍ତୁ ଏଇ ଅସ୍ଵସ୍ତିକର ମୁହୂର୍ତ୍ତଟି ସମ୍ପୂର୍ଣ୍ଣ ଏକ ଅଭାବନୀୟ ଘଟଣାର ପ୍ରଭାବରେ ହଠାତ୍ ଲଘୁ ହୋଇଗଲା । ବଡ଼ ବଡ଼ କେତୋଟା ଫୁଲ ପେନ୍ଥା ଓ ନିଜ ହାତରେ ତିଆରି କିଛି ସୁସ୍ୱାଦୁ ଖାଦ୍ୟ ଦ୍ରବ୍ୟ ଧରି ହଠାତ୍ ସେ ଘରେ ସୁନ୍ଦରୀ ଜୁଲି ପ୍ରବେଶ କଲା--–ଡାଡି, ମୁଁ ଜୟନ୍ତବାବୁଙ୍କ ନିକଟକୁ ଯାଉଛି ।

 

ପିତାଙ୍କ ନିକଟରେ ଜଗଜିତ୍ ସିଂକୁ ବସିଥିବାର ଦେଖି ଟିକିଏ ଭୂବନମୋହିନୀ ହସ ଦେଇ ସେ ତାକୁ ଅଭିସିକ୍ତି କଲା । –ଆରେ, ମିଷ୍ଟର ସିଂ ଆସିଛନ୍ତି, ଅଥଚ ମୁଁ ଜାଣେ ନାହିଁ ! ମୁଁ ଚା’କରି ଆଣୁଛି । ପଳାଇ ଯିବେ ନାହିଁ କିନ୍ତୁ !

 

ଫୁଲ ତୋଡ଼ାଗୁଡ଼ାକ ଟେବୁଲ ଉପରେ ରଖି ଜୁଲି ଭିତରକୁ ଚାଲିଗଲା । କେତେକ ମିନିଟ ପରେ ଖଣ୍ଡିଏ ଟ୍ରେ ଉପରେ ଦୁଇ କପ ଚା’ ରଖି ସେ ଫେରି ଆସିଲା । ଚା’ ପରିବେଷଣ କରିସାରି ଗେହ୍ଲେଇ ହୋଇ କହିଲା–ମୁଁ ଏବେ ଯାଉଛି ମିଷ୍ଟର ସିଂ । ଫୁଲଗୁଡ଼ିକ ଜୟନ୍ତବାବୁଙ୍କ ନିକଟରେ ପହଞ୍ଚିଲା ପୂର୍ବରୁ ଝାଉଁଳି ଯିବ ।

 

ପ୍ରବହମାନ ଝଲକାଏ ମଳୟ ପରି ଜୁଲି ଚାଲିଗଲା । ବିକ୍ରମ ମଧ୍ୟ ବିଦାୟ ନେଲା । ଜୟନ୍ତର ନିରାପତ୍ତା ପାଇଁ ତା’ର ଆଜି ଆଉ କୌଣସି ଚିନ୍ତା ନାହିଁ । ଦୁଇଜଣ ବିଶ୍ୱାସୀ ବ୍ୟକ୍ତିଙ୍କୁ ଯଥୋଚିତ ଉପଦେଶ ଦେଇ ଭୃତ୍ୟର ଛଦ୍ମବେଶରେ ସେ ରଖି ଆସିଛି । ସେମାନେ ଯେ ଡକ୍ଟର ସିଦ୍ଧାର୍ଥ ଦାସଙ୍କର ‘ଅପରେଟିଭ’ ଏକଥା ଜୟନ୍ତ ମଧ୍ୟ ଜାଣେ ନାହିଁ । ଅପରାହ୍ନ ହୋଇଗଲାଣି । ସେ ପ୍ରେତପୁରୀଟାକୁ ଏତେ ଶୀଘ୍ର ଫେରି ଯିବା ପାଇଁ ବିକ୍ରମର ଇଚ୍ଛା ହେଲା ନାହିଁ । ସମ୍ପୂର୍ଣ୍ଣ ଉଦ୍ଦେଶ୍ୟହୀନ ଭାବରେ ସେ ଯାଇ ରେଲ ଷ୍ଟେସନର ପ୍ଲାଟଫର୍ମ ଉପରେ ବୁଲିବାକୁ ଲାଗିଲା । ସେତେବେଳେ କୌଣସି ଟ୍ରେନ ଯିବା ବା ଆସିବାର ସମୟ ନୁହେଁ । ସୁଦୀର୍ଘ ପ୍ଲାଟଫର୍ମଟା ଜନଶୂନ୍ୟ । ଗୋଟିଏ କୃଷ୍ଣଚୂଡ଼ା ଗଛରେ ଅଜସ୍ର ଫୁଲ ଫୁଟିଛି । ଅତି ମନୋରମ ଦେଖାଯାଉଛି । ତା’ରି ଛାଇରେ ଖଣ୍ଡିଏ ସିମେଣ୍ଟ ତିଆରି ବେଞ୍ଚ । ବେଞ୍ଚ ଉପରେ ଜଣେ ମଧ୍ୟ ବୟସ୍କ ସନ୍ୟାସୀ ବସିଛନ୍ତି । ସନ୍ୟାସୀଙ୍କର ସଙ୍ଗଲାଭ ଆଶାରେ ନୁହେଁ–ଫୁଲଭରା କୃଷ୍ଣଚୁଡ଼ାଟିର ସୌନ୍ଦର୍ଯ୍ୟ ଉପଭୋଗ କରିବା ଉଦ୍ଦେଶ୍ୟରେ ବିକ୍ରମ ଆସି ସେଇ ବେଞ୍ଚଟି ଉପରେ ବସିଲା ।

 

ଏକାବେଞ୍ଚ ଉପରେ ବିକ୍ରମକୁ ନିକଟରେ ଆସି ବସିବାର ଦେଖି ସନ୍ୟାସୀ ତାଙ୍କୁ ଚାହିଁଲେ । କିଛିକ୍ଷଣ ସ୍ଥିର ଦୃଷ୍ଟିରେ ଚାହିଁ ରହିବା ପରେ ସନ୍ୟାସୀ ଧୀର କଣ୍ଠରେ କହିଲେ–ମୁଁ ଜାଣି ପାରୁଛି ଯେ ତୁମେ ବଡ଼ ବିଚଳିତ ହୋଇ ପଡ଼ିଛ । ନୁହେଁ କି ?

 

ବିକ୍ରମ ସନ୍ୟାସୀଙ୍କୁ ଚାହିଁଲା । କ’ଣ ମନେକରି କେଜାଣି, ହଠାତ୍‍ ତାଙ୍କୁ ପ୍ରଶ୍ନକଲା–ମୁଁ କାହିଁକି ବିଚଳିତ ହେଉଛି ଆପଣ କହିପାରିବେ ?

 

ରହସ୍ୟମୟ ହସ ହସି ସନ୍ୟାସୀ କହିଲେ–ନିଶ୍ଚୟ କହି ପାରିବି ବେଟା ! ଧ୍ୟାନ ବଳରେ ମୁଁ ସବୁ କହି ପାରିବି । ଏହା କହି ଆଖି ଦୁଇଟିକୁ ବନ୍ଦକରି ସନ୍ୟାସୀ କିଛିକ୍ଷଣ ନୀରବରେ ବସିରହିଲେ । ତା’ ପରେ ବିକ୍ରମକୁ ଚାହିଁ କହିଲେ–ମୁଁ ଏବେ ତୁମ ବିଷୟରେ ସବୁ ଜାଣି ପାରିଛି ବେଟା ! ଭୟ ନାହିଁ । ବ୍ୟସ୍ତ ହେବାର କିଛି ନାହିଁ । ଆଉ ଚବିଶ ଘଣ୍ଟା ଭିତରେ ସବୁ ଫଇସାଲା ହୋଇଯିବ । ତୁମେ ଯାହା ଜାଣିବାକୁ ଚାହୁଁଛ,ସବୁ ଜାଣି ପାରିବ ।

 

–କିନ୍ତୁ, ମୁଁ କିଏ କ’ଣ ବା ଜାଣିବାକୁ ଚାହୁଁଛି, ଆପଣ କିଛି କହି ପାରିବେ ?

 

–ତୁମେ ଜଣେ ଆଇନ ବ୍ୟବସାୟୀ । ତୁମେ ବର୍ତ୍ତମାନ କୌଣସି ରହସ୍ୟମୟ ଘଟଣାର ତଦନ୍ତ କରୁଛ । ଆହୁରି ମଧ୍ୟ ମୁଁ ଧ୍ୟାନ ବଳରେ ଜାଣି ପାରୁଛି ଯେ ଏଇ ଯେଉଁ ଦାଢ଼ି ନିଶ ତୁମ ମୁହଁରେ ଶୋଭା ପାଉଛି, ସେଗୁଡ଼ିକ ତୁମର ନିଜସ୍ଵ ସମ୍ପତ୍ତି ନୁହେଁ ।

 

ଏପରି ପରମଶ୍ଚର୍ଯ୍ୟ ଘଟଣାରେ ବିକ୍ରମ ସ୍ତମ୍ଭିତ ହୋଇଗଲା । ହଠାତ୍ ସନ୍ୟାସୀ ଉଚ୍ଚ କଣ୍ଠରେ ହସି ଉଠିଲେ । –ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଛ ବିକ୍ରମ ! ନୁହେଁ କି !

 

–ଏଁ, ଡକ୍ଟର ସିଦ୍ଧାର୍ଥ ଦାସ !

 

ସାମାନ୍ୟ ହସି ଛଦ୍ମବେଶୀ ଡକ୍ଟର ଦାସ କହିଲେ–ହଁ, ବିକ୍ରମ । ତୁମେ ବର୍ତ୍ତମାନ ଏଠାରୁ ଚାଲିଯାଅ । ଏବେ ତୁମର ସବୁ ପରିଶ୍ରମ ଶେଷ ହୋଇ ଆସିଛି । ଆସନ୍ତା କାଲି ସକାଳ ଦଶଟା ବେଳେ ଜୟନ୍ତବାବୁଙ୍କ ଘରେ ଗୋଟିଏ ସଭା ହେବ । ସହରର କେତେକ ବିଶିଷ୍ଟ ବ୍ୟକ୍ତି ସେଠାରେ ଉପସ୍ଥିତ ହେବେ । ତୁମେ ସମସ୍ତଙ୍କୁ ପାଛୋଟି ନେଇ ବସାଇବ । ଯଥା ସମୟରେ ମୁଁ ଯାଇ ପହଞ୍ଚିବି । ସେଇ ସଭାରେ ଏ ରହସ୍ୟର ପର୍ଦ୍ଦା ମୁଁ ଉଠାଇବି । ଏକ ଅତି ଆଶ୍ଚର୍ଯ୍ୟ ଓ ଅଲୌକିକ କାହାଣୀ ମୁଁ ସେଇ ସଭାରେ ସମସ୍ତଙ୍କୁ ଶୁଣାଇବି । ଆଉ ବିଳମ୍ବ କର ନାହିଁ । ଏବେ ତୁମେ ଏଠାରୁ ଚାଲି ଯାଅ ।

 

ସମ୍ପୂର୍ଣ୍ଣ ଖୁସି ମନରେ ବିକ୍ରମ ସେ ସ୍ଥାନ ପରିତ୍ୟାଗ କଲା । ଆସନ୍ତା କାଲି ସକାଳ ଦଶଟା ବେଳେ ଏ ରହସ୍ୟର ସମାଧାନ ହେବ । ବିକ୍ରମ ଏ ବିଷୟରେ ଗୋଟିଏ ଲେଖା ପ୍ରକାଶ କରିବ । ତାର ନାମ ଦେବ “ପ୍ରେତ ପୁରୀର ରହସ୍ୟ ।” କେବଳ ଏଇ ରହସ୍ୟର ସମାଧାନ ନୁହେଁ, ସିଦ୍ଧାର୍ଥ ଦାସ ଏକ ପରମାଶ୍ଚର୍ଯ୍ୟ ଅଲୌକିକ କାହାଣୀ ଶୁଣାଇବେ । ଫେରାରୀ ବସିରଖାଁର ସନ୍ଧାନ ସେ ନିଶ୍ଚୟ ପାଇଛନ୍ତି ।

 

ଆକାଶରେ ଧୀରେ ଧୀରେ ମେଘ ଜମୁଛି । ବୋଧହୁଏ ଝଡ଼ ହେବ । ବେଳ ଶେଷ ହେବାକୁ ବସିଲାଣି । ଈଶାଣ କୋଣରୁ ପବନର ରୁଦ୍ଧ ଗର୍ଜନ ଶୁଣା ଯାଉଛି । ବିକ୍ରମ ଶୀଘ୍ର ଶୀଘ୍ର ଘରକୁ ଫେରି ଚାଲିଲା । ଘରେ ପଶିବା ସଙ୍ଗେ ଭୀଷଣ ଝଡ଼ ଓ ବର୍ଷା ଆରମ୍ଭ ହେଲା ।

 

ଜୟନ୍ତ କୋଠରୀ ଭିତରେ ରେଭରେଣ୍ଡ ନାୟକ, ଜୁଲି, ଓକିଲ ଅଶୋକ ମହାପାତ୍ର ଓ ଡାକ୍ତର ଅଛନ୍ତି । ଜୟନ୍ତ ପୂର୍ବ ଅପେକ୍ଷା ଯଥେଷ୍ଟ ଭଲ ଅଛି । ସେ ବିଛଣା ଉପରେ ବସିଛି । ବିକ୍ରମକୁ ଦେଖି ରେଭରେଣ୍ଡ ନାୟକ ଖୁସି ହୋଇ କହିଲେ–ପ୍ରଭୁଙ୍କ କୃପାରୁ ଆପଣ ଠିକ୍‍ ସମୟରେ ଫେରି ଆସିଛନ୍ତି ଜଗଜିତ୍‍ ସିଂ ଜୀ । ଆପଣ ଏ ସହରରେ ନୂଆ । ବାଟଘାଟ ମଧ୍ୟ ଆପଣଙ୍କର ପରିଚିତ ନୁହେଁ । ଏ ଅଦିନିଆ ଝଡ଼ ଭିତରେ ଆପଣ ଅତିଶୟ ଅସୁବିଧାରେ ପିଡ଼ିଥା’ନ୍ତେ ।

 

ବାହାରେ ପ୍ରଚଣ୍ଡ ଝଡ଼ ଗର୍ଜନ କରୁଛି । ବର୍ଷା ମଧ୍ୟ ପଡ଼ୁଛି । ସମସ୍ତେ ଘର ଭିତରେ ବସି ଗଳ୍ପ କରି ସମୟ କଟାଇବାକୁ ଲାଗିଲେ । ରେଭରେଣ୍ଡ ନାୟକ କେତେ ଦେଶର କେତେ କଥା କହିବାକୁ ଲାଗିଲେ । ଡାକ୍ତର ପରିଜା ମଧ୍ୟ କେତେ କଥା କହିଲେ । ଥରକୁ ଥର ମଧୁସୂଦନ ଚା’ ବୋହିବାକୁ ଲାଗିଲା । ଜୁଲି କେତୋଟି ଗୀତ ଶୁଣାଇଲା । ଏହିପରି ଭାବରେ କେତୋଟି ଘଣ୍ଟା କଟିଗଲା ।

 

ଅବଶେଷରେ ରାତିପ୍ରାୟ ନ’ଟା ବେଳେ ଝଡ଼ ବର୍ଷାର ଅବସାନ ହେଲା । ଡାକ୍ତର ପରିଜା ବ୍ୟସ୍ତ ହୋଇ ବାହାରିଲେ । ତାଙ୍କର ବହୁବିଳମ୍ବ ହୋଇ ଗଲାଣି । ଆହୁରି ମଧ୍ୟ କେତୋଟି ରୋଗୀଙ୍କୁ ଦେଖିବାକୁ ହେବ । ତାଙ୍କ ପରେ ଉଠିଲେ ରେଭରେଣ୍ଡ ନାୟକ । ହାତ ଦୁଇଟି ଯୋଡ଼ି ସେ କହିଲେ–ମୁଁ ଏବେ ବିଦାୟ ନେବି । ଆଜି ସଞ୍ଜବେଳେ ମୁଁ ଉପାସନା ମଧ୍ୟ କରିନାହିଁ । ଜୁଲି, ତୁମେ ଆଉ କିଛିକ୍ଷଣ ଜୟନ୍ତବାବୁଙ୍କ ନିକଟରେ ରହିପାର ।

 

ରେଭରେଣ୍ଡ ନାୟକ ଚାଲିଗଲେ । ଓକିଲ ଅଶୋକ ମହାପାତ୍ର ଜୟନ୍ତ ସଙ୍ଗେ କେତେକ ବୈଷୟିକ ଆଲୋଚନା କରିବାକୁ ଲାଗିଲେ । ଅନ୍ୟମନସ୍କ ଭାବରେ ବିକ୍ରମ ଆସି ବାହାର ବରନ୍ଦାରେ ଛିଡ଼ା ହେଲା । ମେଘ ସମ୍ପୂର୍ଣ୍ଣ ରୂପେ କଟିଯାଇ ଆକାଶରେ ନିର୍ମଳ ଜହ୍ନ ଉଠିଲାଣି । ପ୍ରଚଣ୍ଡ ଝଡ଼ରେ କେତୋଟା ବଡ଼ ବଡ଼ ଗଛର ଡାଳ ଭାଙ୍ଗି ଯାଇଛି । ବନ ଭୂମିର ନିଘଞ୍ଚ ବୃକ୍ଷଲତାମାନ ଯେପରି ଓଲଟ ପାଲଟ ହୋଇ ଯାଇଛି । ଖାଲ ଜାଗାମାନଙ୍କରେ ପାଣି ଜମି ଯାଇଛି । ଝଡ଼ର ପ୍ରଚଣ୍ଡ ଆକ୍ରମଣରେ ଧ୍ଵଂସ୍ତ ବନଭୂମି କିପରି କରୁଣ ଦେଖା ଯାଉଛି ।

 

ବନଭୂମିର ଶେଷ ପ୍ରାନ୍ତରେ କ’ଣ ଗୋଟାଏ ଶବ୍ଦ ଉଠିଲା । କିଏ ଯେପରି ଆର୍ତ୍ତ କଣ୍ଠରେ ଚିତ୍କାର କରି ଉଠିଲା । ବିକ୍ରମ ଚମକି ଉଠିଲା । ଭୃତ୍ୟ ଦୁଇଜଣଙ୍କୁ ସଙ୍ଗରେ ନେଇ ସେ ସଙ୍ଗେ ସଙ୍ଗେ ଘଟଣା ସ୍ଥଳକୁ ଧାଇଁଲା ।

 

କିଛି ଦୂରରୁ ସେ ଦେଖିପାରିଲା ଯେ କଳାବତୀର ସମାଧିର ଅଦୂରରେ ଗୋଟିଏ ମଣିଷ ମୂର୍ତ୍ତି ଠିଆ ହୋଇଛି । ନିକଟକୁ ଯାଇ ବିକ୍ରମ ସେ ମୂର୍ତ୍ତିଟାକୁ ଚିହ୍ନି ପାରିଲା । ଭୟରେ ତାର ସର୍ବାଙ୍ଗ ରୋମାଞ୍ଚିତ ହୋଇ ଉଠିଲା । ଭୈରବୀ ସୁନାମଣୀ ସେଠାରେ ଛିଡ଼ା ହୋଇଛି । କଣ୍ଠରେ ହାଡ଼ମାଳା ଝୁଲୁଛି । ହାତରେ ତ୍ରିଶୂଳ ଧରିଛି । ଦୁଇଟି ଆଖିରୁ ଯେପରି ନିଆଁ ବାହାରୁଛି । ଭୌରବୀର ଅନତି ଦୂରରେ ଗୋଟିଏ ମଣିଷ ଚୈତନ୍ୟହୀନ ଅବସ୍ଥାରେ ପଡ଼ିଛି । ବିକ୍ରମ ଅନାୟାସରେ ଲୋକଟିକୁ ଚିହ୍ନି ପାରିଲା । ସେ ହେଉଛନ୍ତି–ରେଭରେଣ୍ଡ ନାୟକ ।

 

ରୁକ୍ଷ ପୁରୁଷ କଣ୍ଠରେ ଭୈରବୀ କହିଲା–ଏ ପାପୀଟାକୁ ଏଠାରୁ ନେଇ ଯା’ ।

 

ଦୁଇ ଜଣ ଭୃତ୍ୟଙ୍କ ସାହାଯ୍ୟରେ ବହୁ କଷ୍ଟରେ ବିକ୍ରମ ରେଭରେଣ୍ଡ ନାୟକଙ୍କୁ ଟେକି ଆଣିଲେ । ଭୈରବୀ ଧୀରେ ଧୀରେ ନିଜ କୁଟୀର ଆଡ଼େ ଚାଲିଗଲା ।

 

ପିତାଙ୍କର ଅବସ୍ଥା ଦେଖି ଜୁଲି ଭୟରେ ଚିତ୍କାର କରି ଉଠିଲା । ଜୟନ୍ତ ଓ ଅଶୋକ ମହାପାତ୍ର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ମାତ୍ର କେତେକ ମିନିଟ ପୂର୍ବେ ସନ୍ଧ୍ୟା ଉପାସନା କରିବେ ବୋଲି ରେଭରେଣ୍ଡ ନାୟକ ଏଠାରୁ ଗଲେ । କିନ୍ତୁ ସଦର ଗେଟ ବାଟେ ନିଜ ଘରକୁ ନଯାଇ ସେ ବଣଭିତରେ ପଶିଲେ କାହିଁକି ? ଏପରି ଚୈତନ୍ୟ ହୀନ ହୋଇ ପଡ଼ିଲେ ବା କାହିଁକି ?

 

ଅଳ୍ପ ଯନରେ ରେଭରେଣ୍ଡ ନାୟକଙ୍କର ଚୈତନ୍ୟ ଫେରି ଆସିଲା । ସେ ଧୀର କଣ୍ଠରେ ଯାହା କହିଲେ ତାହା ଏକ ଭୟାବହ କାହାଣୀ । ସେ ସିଡ଼ିବାଟେ ତଳକୁ ଓହ୍ଲାଉଥିବା ସମୟରେ ହଠାତ୍‍ ଗୋଟିଏ ସୁନ୍ଦରୀ ତରୁଣୀକୁ ଦେଖି ପାରିଲେ । ସେ ଅନାୟାନରେ ତାକୁ ଚିହ୍ନି ପାରିଲେ । ସେ ହେଉଛି–ମୃତ କଳାବତୀ । କିନ୍ତୁ ଆଶ୍ଚର୍ଯ୍ୟ କଥା, ସେ ଝିଅଟିକୁ ଦେଖିବା ମାତ୍ରେ ତାଙ୍କର ବାହ୍ୟ ଚେତନା ଯେପରି ଲୋପ ପାଇଲା । ଚିତ୍କାର ମଧ୍ୟ କରି ପାରିଲେ ନାହିଁ । ଝିଅଟିର ଇଙ୍ଗିତରେ ଯନ୍ତ୍ର ଚାଳିତ ପରି ସେ ତାକୁ ଅନୁସରଣ କଲେ । ବଣ ଜଙ୍ଗଲ ଭିତର ଦେଇ ସେ ଅନାୟାସରେ ଚାଲି ଯାଇ ପାରିଲେ । ସେ ଯେପରି ଛାୟାମୟ ଏକ ବାୟବୀୟ ମୂର୍ତ୍ତି । ରକ୍ତ ମାଂସର ମଣିଷ ନୁହନ୍ତି । ଅବଶେଷରେ ସେ ଯାଇ ଯେଉଁଠାରେ ପହଞ୍ଚିଲେ ସେଠାରେ ସେ ଭୈରବୀ ଠିଆ ହୋଇଥିଲା । କଳାବତୀ ସେ ଭୈରବୀକୁ କହିଲା–ମା’ଙ୍କ ନିକଟରେ ନରବଳୀ ଦେବାକୁ ଚାହୁଁଛ ! ମୁଁ ଏହାକୁ ଡାକି ଆଣିଛି ।

 

ଏ କଥା ରେଭରେଣ୍ଡ ନାୟକ ଅତି ପରିଷ୍କାର ଭାବରେ ଶୁଣି ପାରିଲେ । ତାଙ୍କର ମନେ ଅଛି, ସେ ଥରେ ବା ଦୁଇଥର ଦାରୁଣ ଭୟରେ ଚିତ୍କାର କରି ଉଠିଛନ୍ତି । ଆଉ ତାଙ୍କର କିଛି ମନେ ନାହିଁ ।

 

–ଛ–

 

ସେଇ ଦିନ ରାତିରେ ହେଲା ଅଦୃଶ୍ୟ ଆତତାୟୀମାନଙ୍କର ଚରମ ଆକ୍ରମଣ । ବିକ୍ରମ ଓ ଜୟନ୍ତ ସୁସୁପ୍ତ । ଦୁଇଜଣଯାକ ଏକା ଘରେ ଶୋଇଛନ୍ତି । ଗଭୀର ରାତିରେ ଏକ ବିସ୍ଫୋରଣର ଶବ୍ଦରେ ଉଭୟେ ଚମକି ଉଠି ପଡ଼ିଲେ । ସମଗ୍ର ଅଟ୍ଟାଳିକାଟା ଯେପରି ଥରି ଉଠିଲା । ବିଜୁଳି ବେଗରେ ବିକ୍ରମ ଶଯ୍ୟା ତ୍ୟାଗ କରି ବିଜୁଳି ବତୀ ଜଳାଇ ଦେଲା । କିନ୍ତୁ ଘରର ଦୁଆର ଖୋଲିବାକୁ ଯାଇ ସେ ଜାଣି ପାରିଲା ଯେ କୋଠରୀଟି ବାହାରୁ ଶିକୁଳି ଲଗାଇ ବନ୍ଦ କରି ଦିଆ ହୋଇଛି । ଘର ଭିତରୁ ପଦାକୁ ବାହାରିବା ପାଇଁ ଆଉ ବାଟ ନାହିଁ । ଝରକାଗୁଡ଼ାକରେ ମୋଟା ଲୁହାର ରେଲିଂ ଲାଗିଛି । ତା’କୁ ବଙ୍କାଇବା ଅସମ୍ଭବ । ଘରର କବାଟ ମଧ୍ୟ ଅତି ଶକ୍ତ ଓ ମଜ୍‌ବୁତ୍‌ । ତାହା ମଧ୍ୟ ଭାଙ୍ଗିବା ସମ୍ଭବ ନୁହେଁ ।

 

ଦୁମ୍‍ ଦୁମ୍‍ ହୋଇ ଶବ୍ଦ ହେଉଛି । କାନ୍ଥ ଭାଙ୍ଗିବାର ଶବ୍ଦ । ଏଇ ପୁରାତନ ଇମାରତ୍‌ଟି କ୍ରୟକରି ତାର ଦକ୍ଷିଣ ପଟକୁ ପୁରନ୍ଦର ବାବୁ ଘରଟାକୁ ବଢ଼ାଇ ଥିଲେ । ଅପେକ୍ଷାକୃତ ସେପଟଟା ନୂଆ ଓ ମଜବୁତ୍ ଥିଲା । ପୁରନ୍ଦର ବାବୁ ନିଜେ ମଧ୍ୟ ସେଇ ଏକ୍‌ସଟେନ୍‌ସନ୍‌ର ଗୋଟିଏ ବଡ଼ କୋଠରୀରେ ବାସ କରୁଥିଲେ । କୌଣସି ଅଜ୍ଞାତ କାରଣରୁ ଆତତାୟୀମାନେ ସେଇ ଏକ୍‌ସଟେନ୍‌ସନ୍‌ ଟାକୁ ଭାଙ୍ଗି ପକାଉଛନ୍ତି ।

 

ଜୟନ୍ତ ଚିତ୍କାର କରି ଭୃତ୍ୟମାନଙ୍କୁ ଡାକିଲା । ସେମାନେ ସେ ଡାକ ଶୁଣିପାରି ଚିତ୍କାର କରି ଜଣାଇଲେ ଯେ ସେମାନଙ୍କର ଅବସ୍ଥା ମଧ୍ୟ ଅନୁରୂପ । ଭୃତ୍ୟ ରୂପୀ ଭ୍ରମର ଓ ଶ୍ରୀପତି ଅତିଶୟ ସାହସୀ ଓ ବଳବାନ୍ ବ୍ୟକ୍ତି । ଡକ୍ଟର ସିଦ୍ଧାର୍ଥ ଦାସଙ୍କର ସେମାନେ ହେଉଛନ୍ତି ଅତିଶୟ ବିଶ୍ଵସ୍ତ ଅନୁଚର । ଜୀବନରେ କେତେ ବିପଦର ସମ୍ମୁଖୀନ ହୋଇଛନ୍ତି । ସୁନିଶ୍ଚିତ ମୃତ୍ୟୁର କରାଳ ମୁଖ ବ୍ୟାଦାନ ଭିତରୁ ବୁଦ୍ଧି ଓ ସାହସ ବଳରେ ସେମାନେ ଖସି ଆସିଛନ୍ତି । ସେମାନେ ସଶସ୍ତ୍ର । ଲାଇସେନ୍‌ସ ନେଇ ସେମାନେ ରିଭଲଭର ରଖିଛନ୍ତି । ଲକ୍ଷ୍ୟ ମଧ୍ୟ ସେମାନଙ୍କର ଅତିଶୟ ଅବ୍ୟର୍ଥ-। ପାଖରେ ରିଭଲଭର ଥାଉ ଥାଉ ଏପରି ବନ୍ଦୀ ଅବସ୍ଥାରେ ସେମାନେ କଦାପି ରହିବେ ନାହିଁ ।

 

ପୁଣି ଥରେ ବିସ୍ଫୋରଣ ହେଲା । ଭୂମିକମ୍ପ ପରି ଘରଟା ପୁଣି ଥରେ କମ୍ପ ଉଠିଲା । ପ୍ରଚଣ୍ଡ ଶବ୍ଦରେ ଇଟା, ଚୁନ, ବାଲି ଅଜାଡ଼ି ହୋଇ ପଡ଼ିଲା । ହୁଏତ ଏଇ ରାତିକ ଭିତରେ ଆତତାୟୀମାନେ ସମଗ୍ର ଅଟ୍ଟାଳିକାଟା ଭାଙ୍ଗି ଧୂଳିସାତ୍ କରି ଦେବେ । ଘରଟାର ଭଗ୍ନ ସ୍ତୁପ ତଳେ ସମସ୍ତେ ଜୀବନ୍ତ ସମାଧି ଲାଭ କରିବେ ।

 

ଭୃତ୍ୟ ମଧୁସୂଦନ ପ୍ରଚଣ୍ଡ ଭୟରେ କମ୍ପିବାକୁ ଲାଗିଲା । ତା’ର ଏପରି ଦୟନୀୟ ଅବସ୍ଥା ଦେଖି ଭ୍ରମର ଓ ଶ୍ରୀପତି କୌତୁକ ଉପଭୋଗ କରିବାକୁ ଲାଗିଲେ । ଦୁମ୍ ଦାମ୍ ଶବ୍ଦରେ ଇଟା ପଥର ଭଙ୍ଗା ଚାଲିଛି । ଶ୍ରୀପତି ମୁକ୍ତିର ଉପାୟ ଦ୍ରୁତ ଚିନ୍ତାକରିବାକୁ ଲାଗିଛି । ଛାତ ଉପରେ ଗୋଟିଏ ସ୍କାଇଲାଇଟ୍ ଦେଖା ଯାଉଛି । କିନ୍ତୁ ଏତେ ଉଚ୍ଚକୁ ଚଢ଼ିବାର ଉପାୟ ନାହିଁ ।

 

ଝରକା ଉପରେ ଚଢ଼ି ଭ୍ରମର ରେଲିଂ ଧରି ଛିଡ଼ା ହେଲା । ଅଦ୍ଭୁତ କୌଶଳରେ ଶ୍ରୀପତି ତା’ କାନ୍ଧ ଉପରେ ଚଢ଼ିଲା । ତଥାପି ଛାତର କଡ଼ିକୁ ହାତ ପାଇଲା ନାହିଁ । ଶକ୍ତି ଓ ସାହସ ସଞ୍ଚୟ କରି ଶ୍ରୀପତି ସ୍ଥାନର ଉପରକୁ ଲମ୍ଫ ପ୍ରଦାନ କଲା । ସୌଭାଗ୍ୟକ୍ରମେ ଲୁହା କଡ଼ିଟାକୁ ସେ ଧରି ପାରିଲା । ଶୂନ୍ୟରେ ଝୁଲି ଝୁଲି ସେ ଯାଇ ସ୍କାଇ ଲାଇଟ ନିକଟରେ ପହଞ୍ଚିଲା । ଅଳ୍ପ ଚେଷ୍ଟାରେ ସେ ସ୍କାଇ ଲାରଟର କାଚ ଗୁଡ଼ାକ ଭାଙ୍ଗି ପକାଇଲା । ତା’ର ହାତକଟି ରକ୍ତ ବାହାରିଲା । କିନ୍ତୁ ସେଥିପ୍ରତି ଭ୍ରୁକ୍ଷେପ ନକରି ସେ ସ୍କାଇ ଲାଇଟର ରନ୍ଧ୍ର ବାଟେ ଛାତ ଉପରକୁ ଚଢ଼ିଗଲା । ତା’ ପରେ ପକେଟରୁ ବଡ଼ ଖଣ୍ଡେ ଦଉଦା ବାହାର କରି ସେ ତଳକୁ ଝୁଲାଇ ଦେଲା । ସର୍କସର ଶିକ୍ଷିତ ଖେଳାଳୀ ପରି ଭ୍ରମର ସେ ଦଉଦାଧରି ଉପରକୁ ଚଢ଼ିଗଲା ।

 

ଛାତ ଉପରେ ଛିଡ଼ା ହୋଇ ସେମାନେ ଦେଖିଲେ ଯେ ଦକ୍ଷିଣ ପଟର ଏକ୍‌ସଟେନ୍‌ ସନ୍‌ରୁ ବହୁତ ଅଂଶ ଭାଙ୍ଗି ପଡ଼ିଲାଣି । ପୁଞ୍ଜିଭୂତ ଅନ୍ଧକାର ପରି ଦୁଇ ତିନିଜଣ ଲୋକ ତଳେ ରହି କାଙ୍କ ଓ ଗଇଁତି ସାହାଯ୍ୟରେ ଭଗ୍ନ ସ୍ତୁପ ଖେଳାଉଛନ୍ତି । ଛାତ ଉପର ଦେଇ ଭ୍ରମର ଓ ଶ୍ରୀପତି ଆଗେଇ ଚାଲିଲେ । ତଳେ ଥିବା ବ୍ୟକ୍ତିମାନେ ବୋଧହୁଏ ସେମାନଙ୍କର ଛାଇ ଦେଖି ପାରିଲେ । ହଠାତ୍ କେତୋଟି ଗୁଳି ସେମାନଙ୍କ ପାଖ ଦେଇ ଉଡ଼ିଗଲା । ସେମାନେ ସୁବିଧା ଜନକ ସ୍ଥାନରେ ଥିଲେ । ଛାତର ପାରାପେଟ ପଛଆଡ଼େ ଲୁଚିରହି ସେମାନେ ମଧ୍ୟ ଗୁଳି ଚଳାଇଲେ । ଅଜସ୍ର ଗୁଳି ବିନିମୟ ହେବାକୁ ଲାଗିଲା । ତଳେ ଥିବା ଦୁର୍ବୃତମାନଙ୍କ ଭିତରେ ହଠାତ୍ ଗୋଟିଏ ବ୍ୟକ୍ତି ଆର୍ତ୍ତନାଦ କରି ତଳେ ପଡ଼ିଥିଲା । ଏହା ପରେ ଆଉ ଦୁଇଜଣ ବ୍ୟକ୍ତି ସେ ସ୍ଥାନ ଛାଡ଼ି ପଳାୟନ କଲେ । ଭ୍ରମର ଓ ଶ୍ରୀପତି ନିଶ୍ଚିନ୍ତରେ ବସି ପକେଟରୁ ସିଗାରେଟ କାଢ଼ି ଧୂମ୍ରପାନ କରିବାକୁ ଲାଗିଲେ ।

 

ଧୂମ୍ରପାନ ଶେଷ କରି ଅପେକ୍ଷାକୃତ ଖୁସି ମନରେ ସେମାନେ ଦଉଡ଼ା ସାହାଯ୍ୟରେ ତଳକୁ ଓହ୍ଳାଇ ଆସିଲେ । ଭଗ୍ନ ସ୍ତୁପ ଉପରେ ଗୋଟିଏ ମୁର୍ଦ୍ଦାର ପଡ଼ି ରହିଛି । ଶ୍ରୀପତିର ଅବ୍ୟର୍ଥ ଗୁଳି ତା’ର ହୃତ୍‌ପିଣ୍ଡ ଭେଦ କରିଛି । ଭ୍ରମର ତା’ ମୁହଁ ଉପରେ ଟର୍ଚ୍ଚ ଆଲୁଅ ପକାଇଲା । କିଛିକ୍ଷଣ ଚାହିଁରହି କହିଲା–ନା, ଚିହ୍ନି ପାରିଲ ନାହିଁ । ନୂଆ ଚିଡ଼ିଆ ।

 

ଶ୍ରୀପତି କହିଲା–ସଇତାନଟା ଏଇଠାରେ ପଡ଼ିଥାଉ । ସକାଳେ ପୁଣି ପୋଲିସ ଆସି ତଦନ୍ତ କରିବ । ଚାଲ, ସେ ଭଦ୍ର ବ୍ୟକ୍ତିଗୁଡ଼ିକୁ ମୁକ୍ତ କରିବା । ମଧୁଆ ଚାକରଟା ସେ ଘରେ ଏକା ଭୟରେ ମଲାଣି କି ବଞ୍ଚିଛି କିଏ ଜାଣେ ।

 

ରାତି ଆଉ ଅଧିକ ନଥିଲା । ଭ୍ରମର ଓ ଶ୍ରୀପତି ଆସି ବିକ୍ରମ ଓ ଜୟନ୍ତ ରହିଥିବା ଘରଟି ଖୋଲିଦେଲେ । ବିକ୍ରମ ସବୁ ଶୁଣି ବୁଝି ପାରିଲା ଯେ ଏବେ ଭ୍ରମର ଓ ଶ୍ରୀପତିର ପ୍ରକୃତ ପରିଚୟ ଜୟନ୍ତକୁ ଜଣାଇବା ଉଚିତ । ଜୟନ୍ତ ସବୁ ଶୁଣି ସେମାନଙ୍କୁ ତା’ର ଆନ୍ତରିକ ଧନ୍ୟବାଦ ଜଣାଇଲା । ତା’ପରେ ସେମାନେ ମଧୁସୂଦନ ଥିବା ଘରଟି ଖୋଲି ଯାହା ଦେଖିଲେ, ସେଥିରେ ଶ୍ରୀପତି ଓ ଭ୍ରମର ହାସ୍ୟ ସମ୍ବରଣ କରିପାରିଲେ ନାହିଁ ।

 

ଭୂତ ଲାଗିଲା ପରି ଲୋକଟା ଭୟରେ ଗଁ ଗଁ ହେଉଛି । ଘରର ବିଭିନ୍ନ ସ୍ଥାନରେ ଏକାଧିକ ଥର ମଳମୁତ୍ର ତ୍ୟାଗକରି ଗୋଟିଏ ନର୍କକୁଣ୍ଡ ପ୍ରସ୍ତୁତ କରି ନିଜେ ସେଥିରେ ଘାଣ୍ଟି ହେଉଛି-

 

ସକାଳ ହେବା ସଙ୍ଗେ ସଙ୍ଗେ ଏ ଦୁଃସମ୍ବାଦ ପ୍ରଚାର ଲାଭକଲା । ରେଭରେଣ୍ଡ ନାୟକ ଓ ଜୁଲି ଆସି ପହଞ୍ଚିଲେ । ଦୁହିଁଙ୍କ ମୁହଁରେ ଉଦବେଗ ଓ ଆତଙ୍କର ଛାୟା । ତା’ ପରେ ଆସିଲେ ତଦନ୍ତକାରୀ ପୋଲିସ ଅଫିସରମାନେ । ତା’ପରେ କାହିଁକି କେଜାଣି, ଦୁଇଟି ବଡ଼ ଗାଡ଼ିରେ ବୋଝାଇ ହୋଇ ଆସିଲେ ଏକ କମ୍ପାନୀ ସଶସ୍ତ୍ର ପୋଲିସ ଫଉଜ । ସେମାନେ ଗାଡ଼ିରୁ ଓହ୍ଳାଇ ବିଶାଳ ହତାଟାର ଚାରିପଟ ଘେରି ରହିଲେ । ତା’ପରେ ଆସିଲେ ସଦା ଜାଗ୍ରତ ସାମ୍ଵାଦିକ ଦଳ ଓ ଓକିଲ ଅଶୋକ ମହାପାତ୍ର । କିଛିକ୍ଷଣ ପରେ ଆସି ପହଞ୍ଚିଲେ ଭାରତୀୟ ଥିଓସ୍‌ଫିକେଲ ସୋସାଇଟିର କେତେକ ଗଣ୍ୟମାନ୍ୟ ସଭ୍ୟ । ସେମାନଙ୍କ ଭିତରେ ଥିଲେ ଦୁଇଜଣ ହାଇକୋର୍ଟର ବିଚାର ପତି ।

 

ସମସ୍ତଙ୍କୁ ସମାଦର କରି ବିକ୍ରମ ବସାଇଲା । ସେ ବୁଝି ପାରିଲା ଯେ ଡକ୍ଟର ସିଦ୍ଧାର୍ଥ ଦାସଙ୍କର ଗୁପ୍ତ ଆମନ୍ତ୍ରଣ କ୍ରମେ ଏମାନେ ଆସିଛନ୍ତି । କିଛିକ୍ଷଣ ପରେ ଆସି ପହଞ୍ଚିଲେ ସ୍ଥାନୀୟ ଏସ୍. ପି. ଓ ଜିଲ୍ଲାପାଳ । ସେମାନଙ୍କୁ ମଧ୍ୟ ବିକ୍ରମ ଯଥାରୀତି ସମ୍ମାନ ଦେଖାଇ ବସାଇଲା । ସମସ୍ତେ ନୀରବରେ ବସି ରହିଲେ । କାନ୍ଥ ଘଡ଼ିରେ ଦଶଟା ବାଜିବାକୁ କିଛି ବିଳମ୍ଵ ଅଛି ।

 

ଧୀରେ ଧୀରେ ସମୟ ଆଗେଇ ଚାଲିଲା । ଘଡ଼ିରେ ଠନ୍ ଠନ ହୋଇ ଦଶଟା ବାଜିବା ସଙ୍ଗେ ସଙ୍ଗେ ଘର ଭିତରେ ପ୍ରବେଶ କଲେ ଡକ୍ଟର ସିଦ୍ଧାର୍ଥ ଦାସ । ତାଙ୍କ ହାତରେ ଗୋଟିଏ ଚମଡ଼ା ବ୍ୟାଗ । ତାଙ୍କ ସଙ୍ଗେ ପ୍ରବେଶ କଲେ ଦୁଇଜଣ ମୁଲିଆ ଶ୍ରେଣୀର ଲୋକ । ସେମାନଙ୍କ ହାତରେ ଗଇଁତି ଓ ଶାବଳ ।

 

ସମସ୍ତଙ୍କ ଉଦ୍ଦେଶ୍ୟରେ ସମଷ୍ଟିଗତ ଭାବରେ ମୁଣ୍ଡ ନୁଆଁଇ ଡକ୍ଟର ଦାସ ଅଭିବାଦନ ଜଣାଇଲେ । ତା’ ପରେ ଧୀର କଣ୍ଠରେ କହିଲେ–ଭଦ୍ର ମହୋଦୟଗଣ, ଆଜିର ଏଇ ସଭାରେ ଉପସ୍ଥିତ ଥିବା ପୋଲିସ କର୍ମଚାରୀମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଦ୍ଦେଶ୍ୟରେ ଆସିଥିଲେ ମଧ୍ୟ, ଅନ୍ୟାନ୍ୟ ବହୁ ଭଦ୍ରବ୍ୟକ୍ତି ମୋର ବିଶେଷ ନିମନ୍ତ୍ରଣ କ୍ରମେ ଏଠାକୁ ଆସିଛନ୍ତି । ମୁଁ ଗୋଟିଏ ଦୀର୍ଘ କାହାଣୀ ଆପଣମାନଙ୍କୁ ଶୁଣାଇବି । ତାହା ଏକ ଅତି ଅଲୌକିକ କାହାଣୀ । ତା’ର ପ୍ରତି ଅକ୍ଷର ଯେ ସତ୍ୟ, ତାର ଅକାଟ୍ୟ ପ୍ରମାଣ ମୋର ଏଇ ବ୍ୟାଗ ଭିତରେ ରହିଛି ।

 

କିନ୍ତୁ ସେ କାହାଣୀ ଆରମ୍ଭ କରିବା ପୂର୍ବରୁ ମୋର ପରମ ବନ୍ଧୁ ଓ ସୁଯୋଗ୍ୟ ସହକର୍ମୀ ବାରିଷ୍ଟର ବିକ୍ରମ ସାମନ୍ତରାୟଙ୍କୁ ଆପଣମାନଙ୍କ ସହିତ ପରିଚିତ କରାଇବାକୁ ଚାହେଁ । ସେ ଜଣେ ଶିଖ ଯୁବକର ଛଦ୍ମବେଶରେ ଜଗଜିତ୍ ସିଂ ନାମ ଧାରଣ କରି ମୂଳରୁ ଏ ରହସ୍ୟର ତଦନ୍ତରେ ଲିପ୍ତ ଥିଲେ ।

 

ଛଦ୍ମବେଶୀ ବିକ୍ରମକୁ ଦେଖି ସମସ୍ତେ ଆନନ୍ଦରେ କରତାଳି ଦେଲେ । କିଛିକ୍ଷଣ ନୀରବ ରହି ଡକ୍ଟର ଦାସ ପୁଣି କହିବାକୁ ଆରମ୍ଭ କଲେ–ଆଜିଠାରୁ ବହୁବର୍ଷ ପୂର୍ବେ ଜଣେ ଦୁଃସାହସୀ ଓ ଉଚ୍ଚାଭିଳାଷୀ ଓଡ଼ିଆ ଯୁବକ ସମ୍ପୂର୍ଣ୍ଣ ରିକ୍ତ ହସ୍ତରେ ଗୃହତ୍ୟାଗ କରି ଚାଲିଗଲେ । ବଂଶ ମର୍ଯ୍ୟାଦା, ଉଚ୍ଚ ଶିକ୍ଷା ଏବଂ ଦୁର୍ଦ୍ଦମ ସାହସ ତାଙ୍କର ଏକମାତ୍ର ପୁଞ୍ଜି ଓ ପାଥେୟ ଥିଲା । ସେ ଚାହିଁଥିଲେ ପ୍ରଚୁର ଅର୍ଥ ଓ ପ୍ରତିଷ୍ଠା । ତାଙ୍କର ନାମଥିଲା ପୁରନ୍ଦର କାନନଗୋ ।

 

ସାରା ଭାରତ ବର୍ଷ ବୁଲି ବୁଲି ଅବଶେଷରେ ସେ ପହଞ୍ଚିଲେ ଆସାମରେ । ସେହିଠାରେ ଘଟଣାଚକ୍ରର ପ୍ରଭାବରେ ସେ ଏକ ଅତି ଦୁର୍ଦ୍ଧର୍ଷ ଡକାୟତ ଦଳରେ ଯୋଗ ଦେଲେ । ସେ ଦଳର ନେତା ଥିଲା ବିଶ୍ଵଜିତ୍‍ ସିଂ । ଗୌହାଟି ସହରର ଉପକଣ୍ଠରେ ଗୋଟିଏ ପ୍ରକାଣ୍ଡ ଅଟ୍ଟାଳିକାରେ ସେ ବାସ କରୁଥିଲା । ତା’ର ଜୀବନ ଯାତ୍ରା ଥିଲା ସମ୍ରାଟ ପରି ଖର୍ଚ୍ଚ ବହୁଳ । ସମସ୍ତେ ତାକୁ ଜଣେ ଅତି ଗଣ୍ୟମାନ୍ୟ ବ୍ୟକ୍ତି ବୋଲି ଜାଣିଥିଲେ । ଦେଶର ସମ୍ଭ୍ରାନ୍ତ ସମ୍ପ୍ରଦାୟ ତାକୁ ଅତିଶୟ ସମ୍ମାନ ଦେଖାଉ ଥିଲେ । କିନ୍ତୁ ପ୍ରକୃତରେ ସେ ଥିଲା ଜଣେ ଦୁର୍ଦ୍ଧର୍ଷ ଓ ନିର୍ମମ ଡକାୟତ । ରେଙ୍ଗୁନ ଠାରୁ ଗୌହାଟି ପର୍ଯ୍ୟନ୍ତ ବିଶାଳ ଭୂଖଣ୍ଡରେ ତାର ଦଳ ଅଜସ୍ର ଲୁଣ୍ଠନ ଓ ନରହତ୍ୟା କରିଛନ୍ତି ।

 

ଘଟଣା ଚକ୍ରରେ ଆମର ପୁରନ୍ଦର କାନନ୍ ଗୋ ସେଇ ବିଶ୍ଵଜିତ୍ ସିଂର ଦଳରେ ଯୋଗ ଦେଲେ । ଅଜସ୍ର–ଧନ ସେ ଉପାର୍ଜନ କଲେ । କିନ୍ତୁ ତଥାପି ତାଙ୍କର ଆକାଶ ଚୁମ୍ଵୀ ଅଭିଳାଷ ପୂର୍ଣ୍ଣ ହେଲା ନାହିଁ । ଏହି ସମୟରେ ତାଙ୍କର ଏକ ଆଶ୍ଚର୍ଯ୍ୟ ପରିବର୍ତ୍ତନ ହେଲା । ତନ୍ତ୍ର ସାଧନ ପ୍ରତି ସେ ଆକୃଷ୍ଟ ହେଲେ । ସବୁ ଧନ୍ଦା ଛାଡ଼ି ଦେଇ ସେ କାମାକ୍ଷା ପାହାଡ଼କୁ ତନ୍ତ୍ର ସାଧନ ଉଦ୍ଦେଶ୍ୟରେ ଚାଲିଗଲେ । ସେହିଠାରେ କରାଳୀ ବାବା ନାମକ ଏକ ତନ୍ତ୍ର ସିଦ୍ଧ କାପାଳିକଙ୍କ ସହିତ ତାଙ୍କର ପରିଚୟ ହେଲା । ସେ ଥିଲେ ଜଣେ ଅତି ଭୀଷଣ ପ୍ରକୃତିର କାପାଳିକ । କାଳୀଙ୍କ ନିକଟରେ ସେ ନରବଳୀ ଦିଅନ୍ତି । ପୁଣି ସେଇ ନରମାଂସ ସେ ଭକ୍ଷଣ କରନ୍ତି । ମହାଶ୍ମଶାନରେ କଙ୍କାଳକୁ ପ୍ରାଣଦାନ ଦେଇ ସେ କ୍ରୀଡ଼ା କରନ୍ତି । ତାଙ୍କର ଶିଷ୍ୟ ଭାବରେ ପୁରନ୍ଦର କାନନ୍ ଗୋ ତନ୍ତ୍ର ସାଧନା କରିବାକୁ ଲାଗିଲେ । ଗୌହାଟିକୁ ଫେରି ଆସି ସେ ପୁଣି ବିଶ୍ଵଜିତ୍‍ ସିଂର ଦଳରେ ଯୋଗ ଦେଲେ ।

 

ସେତିକି ବେଳେ ପୂର୍ବ ଦିଗନ୍ତରେ ଦ୍ଵିତୀୟ ବିଶ୍ୱ ଯୁଦ୍ଧର ଦୁନ୍ଦୁଭି ବାଜି ଉଠିଲା । ଜାପାନୀମାନେ ବ୍ରହ୍ମଦେଶ ଦଖଲ କରି ନେଇ ଆସାମ ଉପରେ ଆକ୍ରମଣ ଚଳାଇଲେ । ଦେଶରେ ଆଇନ କାନୁନ ଭାଙ୍ଗି ପଡ଼ିଲା । ଧନୀ ଲୋକମାନେ ନିଜର ଧନସମ୍ପତ୍ତି ନେଇ ନିରାପଦ ସ୍ଥାନକୁ ପଳାଇବାକୁ ଲାଗିଲେ । ସେହିପରି ଜଣେ ଧନୀବ୍ୟକ୍ତି ତାର ସମସ୍ତ ଧନରତ୍ନ ଓ ପରିବାରବର୍ଗଙ୍କୁ ନେଇ ବଡ଼ ଏକ ନୌକା ଯୋଗେ ବ୍ରହ୍ମପୁତ୍ର ନଈରେ ଯାଉଥିଲେ । ପୁରନ୍ଦର କାନନ୍ ଗୋ ସଦଳବଳେ ସେ ନୌକା ଆକ୍ରମଣ କଲେ । ସେଦିନ ଯୁଦ୍ଧରେ ନୌକାରେ ଥିବା ସବୁ ନରନାରୀଙ୍କୁ ପୁରନ୍ଦର ହତ୍ୟାକରି ସେମାନଙ୍କର ମୃତ ଦେହଗୁଡ଼ିକୁ ବ୍ରହ୍ମପୁତ୍ରର ସୁଅରେ ଭସାଇ ଦେଲେ । ସବୁଧନରତ୍ନ ଲୁଟି ନେଲେ । କିନ୍ତୁ ନୌକାରେ ଥିବା ଗୋଟିଏ ସୁନ୍ଦରୀ ଶିଶୁକନ୍ୟାକୁ ସେ କୋଳରେ ତୋଳି ନେଇ ଆସିଲେ । ତାକୁ ନିଜ କନ୍ୟା ପରି ଲାଳନ ପାଳନ କରିବାକୁ ଲାଗିଲେ । ନା ଦେଲେ କଳାବତୀ ।

 

ସେଇ ଶିଶୁ କଳାବତୀକୁ ଲାଳନ ପାଳନ କରିବା ପାଇଁ ସେ ଏକ ମଧ୍ୟ ବୟସ୍କା ପରିଚାରିକା ରଖିଲେ । ତାର ନାମ ସୁନାମଣୀ । ଯେତେବେଳେ କଳାବତୀର ବୟସ ପାଞ୍ଚ ବର୍ଷ ସେତିକି ବେଳେ ଏକ ଅଲୌକିକ ଘଟଣା ଘଟିଲା । ଧାରାଶ୍ରାବଣର ଘୋର ଅନ୍ଧାର ରାତି । ପୁରନ୍ଦର କାନନ୍ ଗୋଙ୍କର ହଠାତ୍ ନିଦ ଭାଙ୍ଗିଗଲା । ପାଖ ଘରେ ପରିଚାରିକା ସୁନାମଣୀ ମଧ୍ୟ ସୁସୁପ୍ତ । ଶିଶୁ କଳାବତୀ ମଧ୍ୟ ଗଭୀର ନିଦରେ ଶୋଇ ପଡ଼ିଛି । ପୁରନ୍ଦର ଦେଖିଲେ ଯେ ତାଙ୍କ ଖଟ ନିକଟରେ କାପାଳିକ ଛିଡ଼ା ହୋଇଛନ୍ତି । କିନ୍ତୁ ସେ ଏକ ଦେହହୀନ ଛାୟାମୟ ମୂର୍ତ୍ତି । ପୁରନ୍ଦର ଆଶ୍ଚର୍ଯ୍ୟ ହୋଇଗଲେ ।

 

ଛାୟାମୂର୍ତ୍ତି କହିଲା–ପୁରନ୍ଦର, ମୋର ମୃତ୍ୟୁ ହୋଇଛି । ଅପମୃତ୍ୟୁ । ମୋ’ସଙ୍ଗରେ ଆସ ।

 

ଯନ୍ତ୍ର ଚାଳିତ ପରି ପୁରନ୍ଦର ସେ ଛାୟାମୂର୍ତ୍ତିର ପଛେ ପଛେ ଚାଲିଲେ । ନିବିଡ଼ ଜଙ୍ଗଲ ଭିତରେ କିଛଦୂର ଯିବା ପରେ ଗୋଟିଏ ସ୍ଥାନରେ ଛାୟାମୂର୍ତ୍ତି ରହିଯାଇ ଅଙ୍ଗୁଳି ନିର୍ଦ୍ଦେଶରେ ପୁରନ୍ଦରଙ୍କୁ କ’ଣ ଦେଖାଇଲା । ନିର୍ବାକ ବିସ୍ମୟରେ ପୁରନ୍ଦର ଚାହିଁ ରହିଲେ । କାପାଳିକଙ୍କର ମୃତ ଦେହ ପଡ଼ିଛି । ଗୋଟାଏ ବିରାଟକାୟ ପାହାଡ଼ି ବୋଡ଼ା ସାପ ତାଙ୍କର ସର୍ବାଙ୍ଗକୁ ଗୁଡ଼ାଇ ଚିପି ଧରିଛି । କାପାଳିକଙ୍କର ମୁହଁ ଓ ନାକରୁ ରକ୍ତ ବୋହିଯାଉଛି ।

 

ତା’ ପରେ କାପାଳିକ କହିଲେ–ମୁଁ ଆଉ କିଛିକାଳ ଦେହ ଧାରଣ କରିବାକୁ ଚାହେଁ । ଆହୁରି କିଛି ସାଧନା ମୋର ବାକି ରହିଛି । ଗୋଟିଏ ଅକ୍ଷତ ମୃତ ଦେହ ମୋର ଅତି ଶୀଘ୍ର ପ୍ରୟୋଜନ । ମୋର ପ୍ରେତ ଲୋକର ବନ୍ଧୁମାନେ ମୋତେ ଦେଖିବା ପୁର୍ବରୁ ମୁଁ ସେଇ ଦେହ ଭିତରେ ପ୍ରବେଶ କରିବି ।

 

ଛାୟାମୂର୍ତ୍ତିର ନିର୍ଦ୍ଦେଶରେ ପୁରନ୍ଦର ନିଜ ଘରକୁ ଫେରି ଆସିଲେ । ନିଦ୍ରିତା ସୁନାମଣୀର ବେକକୁ ଦୁଇଟି ବଳିଷ୍ଠ ହାତରେ ଚିପି ଧରିଲେ । ମାତ୍ର କେତେକ ଥର ଛଟପଟ ହୋଇ ସୁନାମଣୀର ଦେହ ନିସ୍ପନ୍ଦ ହୋଇଗଲା । ସେଇ ମୃତ ଦେହଭିତରେ କାପାଳିକଙ୍କର ଆତ୍ମା ପ୍ରବେଶ କଲା । ମୃତ ଦେହ ପୁଣି ଉଠି ବସିଲା । ସୁନାମଣୀର ଚେହେରାରେ କୌଣସି ପରିବର୍ତ୍ତନ ନହେଲେ ମଧ୍ୟ ତା’ର କାର୍ଯ୍ୟକଳାପରେ ବିସ୍ମୟକର ପରିବର୍ତ୍ତନ ଦେଖାଗଲା । ଧୀର ଓ ସ୍ନେହ ପ୍ରବଣା ପରିଚାରିକା ସୁନାମଣୀ ହଠାତ୍ ଉଗ୍ର କାପାଳିକ ହୋଇ ଉଠିଲା । ସୁନାମଣୀ ଆଗପରି ପୁରନ୍ଦରଙ୍କ ଘରେ ବାସ କରିବାକୁ ଲାଗିଲା । କିନ୍ତୁ ପୁରନ୍ଦର ଜାଣିଲେ ଯେ ସେ ପ୍ରକୃତରେ ଜଣେ ନିଷ୍ଠୁର କାପାଳିକ । ତା’ନିକଟରେ ଶିଶୁ କଳାବତୀକୁ ଛାଡ଼ି ଦେବା ପାଇଁ ପୁରନ୍ଦରଙ୍କର ସାହସ ହେଲାନାହିଁ । କଳାବତୀକୁ ନେଇ ଗୌହାଟି ସହରରେ ଥିବା ଗୋଟିଏ କନ୍‌ଭେଣ୍ଟ ସ୍କୁଲରେ ରଖି ଆସିଲେ ।

 

ବିଶ୍ୱଜିତ୍ ସିଂର ଗୋଟିଏ କନ୍ୟା ମଧ୍ୟ କନ୍‌ଭେଣ୍ଟରେ ରହି ପଢ଼ୁଥିଲା । ଉଭୟେ ଦେଖିବାକୁ ପ୍ରାୟ ଏକାପରି ।

 

କିଛିକାଳ ପରେ ବିଶ୍ୱଜିତ୍ ଓ ତା’ଦଳର ଆହୁରି ଅନେକ ପୋଲିସ ହାତରେ ଧରା ପଡ଼ିଲେ । ପୁରନ୍ଦର କାନନ୍ ଗୋ ଥିଲେ ବିଶ୍ଵଜିତ୍‌ର ଅତି ବିଶ୍ୱସ୍ତ ସହକର୍ମୀ । ତଦନ୍ତରେ ଏକଥା ଜାଣିପାରି ପୁରନ୍ଦରକୁ ମଧ୍ୟ ପୋଲିସ ଗୀରଫ କଲେ । ସେମାନଙ୍କର ଅପରାଧ ଥିଲା ଅତି ସାଂଘାତିକ । ରାଜା ନୀଳକମଳ ବରୁଆଙ୍କର ପ୍ରାସାଦରେ ସେମାନେ ଡକାୟତି କଲେ । ପ୍ରାସାଦର ପ୍ରହରୀମାନଙ୍କ ସହିତ ସେମାନଙ୍କର ଘୋର ଯୁଦ୍ଧ ହେଲା । ସେ ଯୁଦ୍ଧରେ ଚାରିଜଣ ପ୍ରହରୀ ପ୍ରାଣ ହରାଇଲେ । ରାଜା ନୀଳକମଳ ବରୁଆ ମଧ୍ୟ ସାଂଘାତିକ ଭାବରେ ଆହତ ହେଲେ । ବିଶ୍ୱଜତ୍ ସିଂ ରାଜପ୍ରାସାଦର ଗନ୍ତାଘରୁ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ହୀରା ଓ ଜହରତ ନେଇଗଲେ । କିନ୍ତୁ ସେଦିନର ଯୁଦ୍ଧରେ ବିଶ୍ଵଜିତ୍ ସିଂ ମଧ୍ୟ ଆହତ ହେଲା ।

 

ଭଦ୍ର ମହୋଦୟଗଣ, ମୋ ନିକଟରେ ଏଇ ବ୍ୟାଗ ଭିତରେ କେତେ ଗୁଡ଼ିଏ ଅତି ମୂଲ୍ୟବାନ ନଥି ଅଛି । ପୁରନ୍ଦର କାନନ୍ ଗୋ ନିଜ ହାତରେ ଲେଖି ଯାଇଛନ୍ତି । ଗୌହାଟି ସହରର ଉପକଣ୍ଠରେ ଥିବା ତାଙ୍କର ପରିତ୍ୟକ୍ତ ଘରଭିତରୁ ମୁଁ ତାହା ପାଇଛି । ସେଇ ଲେଖାରେ ସେ କାପାଳିକର କାହାଣୀ ବର୍ଣ୍ଣନା କରିଛନ୍ତି ।

 

କିଛିକ୍ଷଣ ନୀରବ ରହି ସିଦ୍ଧାର୍ଥ ଦାସ ପୁଣି କହିଲେ–ତା’ର ପରବର୍ତ୍ତୀ ଘଟଣାବଳୀ ମୁଁ ଏବେ ଆପଣଙ୍କୁ କହିବି । ବିଶ୍ଵଜିତ୍ ଗିରଫ ହେବାର ଅବ୍ୟବହିତ ପୂର୍ବରୁ ସେ ସବୁଗୁଡ଼ିକ ଲୁଣ୍ଠିତ ଜହରତ ତାର ବିଶ୍ୱାସୀ ଅନୁଚର ପୁରନ୍ଦର ନିକଟରେ ଲୁଚାଇ ରଖିଲା । ସେ ବହୁମୂଲ୍ୟ ରତ୍ନସମ୍ଭାର ପୁରନ୍ଦର ଘନ ଜଙ୍ଗଲ ଭିତରେ ମାଟିତଳେ ଲୁଚାଇ ରଖିଲା । ବିଶ୍ଵଜିତ୍‌କୁ ପୋଲିସ ଗୀରଫ କଲେ-। ତା’ଦଳର ଆହୁରି ଅନେକ ଗିରଫ ହେଲେ । ଦଳ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିଗଲା । ଅବଶେଷରେ କୌଣସି ନିର୍ଭର ଯୋଗ୍ୟ ପ୍ରମାଣ ଉପରେ ପୋଲିସ ପୁରନ୍ଦର କାନନ୍ ଗୋଙ୍କୁ ମଧ୍ୟ ଗିରଫ କଲା-। କିନ୍ତୁ ବହୁ ଚେଷ୍ଟା କରି ମଧ୍ୟ ପୋଲିସ ଅପହୃତ ଜହରତ ଉଦ୍ଧାର କରି ପାରିଲା ନାହିଁ । ପୁରନ୍ଦରଙ୍କର ଉର୍ବର ମସ୍ତିସ୍କରେ ଗୋଟିଏ ଫନ୍ଦି ଉଦୟ ହେଲା । ଏ ମାମଲାରେ ସେ ‘ଆପ୍ରୁଭର’ ବା ରାଜସାକ୍ଷୀ ହୋଇ ଗଲେ । ଦୀର୍ଘ ଦୁଇବର୍ଷ ଧରି ବିଚାର ଚାଲିଲା । ଅବଶେଷରେ ବିଚାରକ ରାୟ ଶୁଣାଇଲେ । ବିଶ୍ୱଜିତ୍ ଓ ତା’ର ସାନଭାଇ ଇନ୍ଦ୍ରଜିତ୍‌କୁ ଫାଶୀର ଆଦେଶ ହେଲା । ଦଳର ଅନ୍ୟାନ୍ୟମାନେ କାରା ବରଣ କଲେ । ରାଜସାକ୍ଷୀ ପୁରନ୍ଦର ମୁକ୍ତି ଲାଭ କଲେ । ତା’ ପରେ ସେ କନ୍ୟା କଳାବତୀକୁ ଓ ପ୍ରଚୁର ଧନରତ୍ନ ଧରି ବହୁ ବର୍ଷ ପରେ ନିଜର ଜନ୍ମଭୂମିକୁ ଫେରି ଆସିଲେ । ସୁନାମଣୀ ରୂପୀ କାପାଳିକ ମଧ୍ୟ ତାଙ୍କ ସଙ୍ଗ ଛାଡ଼ିଲେ ନାହିଁ । ଏଇ ବିଶାଳ ଅଟ୍ଟାଳିକା ଓ ଭୂଖଣ୍ଡ କ୍ରୟକରି ପୁରନ୍ଦର ଜଣେ ଅତିଶୟ ଧନୀ ଲୋକ ଭାବରେ ବାସ କରିବାକୁ ଲାଗିଲେ ।

 

କିନ୍ତୁ ଅବଶେଷରେ ବିଶ୍ୱଜିତ୍ ଓ ତାର ଭାଇ ଇନ୍ଦ୍ରଜିତ୍‌ର ଫାଶୀ ହେଲା ନାହିଁ । ଭାରତର ରାଷ୍ଟ୍ରପତି ସେମାନଙ୍କର ମୃତ୍ୟୁଦଣ୍ଡ ପରିବର୍ତ୍ତରେ ଯାବଜ୍ଜୀବନ କାରାଦଣ୍ଡର ଆଦେଶ ଦେଲେ ।

 

ପୁରନ୍ଦର ଏହି ସ୍ଥାନରେ ବାସ କରିବାକୁ ଲାଗିଲେ । ତାଙ୍କର ପୂର୍ବ ଇତିହାସ କେହି ଜାଣିଲେ ନାହିଁ । ସେ ଧନୀ ଓ ଅଭିଜାତ ସମ୍ପ୍ରଦାୟର ମଉଡ଼ମଣି ଭାବରେ ଉଦୟ ହେଲେ । ଏ ଅଟ୍ଟାଳିକାର ବହୁତ ଅଂଶ ଭାଙ୍ଗି ସେ ନିଜ ନିର୍ଦ୍ଦେଶରେ ନିର୍ମାଣ କଲେ । କଳାବତୀ ମଧ୍ୟ ଏଇ ଘରେ ରହିଲା । ଆଉ ସୁନାମଣୀ ରୂପୀ କାପାଳିକଙ୍କ ପାଇଁ ସେ ଗୋଟିଏ ନିର୍ଜନ ଘର କରାଇ ଦେଲେ ।

 

ତାଙ୍କର ନଗଦ ଟଙ୍କା ବ୍ୟାଙ୍କରେ ଗଚ୍ଛିତ ରଖିଲେ । କିନ୍ତୁ ବହୁ ଲକ୍ଷ ଟଙ୍କାର ଅମୂଲ୍ୟ ଜହରତଗୁଡ଼ିକ ସେ ଏଇ ଅଟ୍ଟାଳିକାର କୌଣସି ଏକ ଗୁପ୍ତ ସ୍ଥାନରେ ଲୁଚାଇ ରଖିଲେ । ସେଇ ଜହରତକୁ ଖୋଜି ବାହାର କରିବା ପାଇଁ ବିଶ୍ଵଜିତ୍ ଏବେ ଏ ଘରଟାର ବିଭିନ୍ନ ସ୍ଥାନକୁ ଭାଙ୍ଗି ଚାଲିଛି-। କିନ୍ତୁ ଏ ପର୍ଯ୍ୟନ୍ତ ତାହା ପାଇନାହିଁ । ସେ ଅମୂଲ୍ୟ ରତ୍ନ କେଉଁଠାରେ ଲୁଚାଇ ରଖା ହୋଇଛି, ତାହା ଅବଶ୍ୟ ମୁଁ ଜାଣି ପାରିଛି । ଯଥା ସମୟରେ ଆପଣମାନଙ୍କ ସାମନାରେ ମୁଁ ତାହା ବାହାର କରିବି ।

 

ଆମେ ବର୍ତ୍ତମାନ କିଞ୍ଚିତ ପୂର୍ବକୁ ଫେରିଯିବା । କାରାବରଣ କରିବାର ଦୀର୍ଘ ପନ୍ଦର ବର୍ଷ ପରେ ବିଶ୍ୱଜିତ୍ ସିଂ ଓ ତା’ ଭାଇ ଇନ୍ଦ୍ରଜିତ୍ ମୁକ୍ତି ପାଇଲେ । ପୁରନ୍ଦର ଉପରେ ପ୍ରତିଶୋଧ ନେବା ପାଇଁ ଓ ଅପହୃତ ଜହରତଗୁଡ଼ିକ ପୁଣି ହସ୍ତଗତ କରିବାପାଇଁ ସେ ବ୍ୟସ୍ତ ହୋଇ ଉଠିଲା । ପୁରନ୍ଦରର ବର୍ତ୍ତମାନ ଠିକଣା ସଂଗ୍ରହ କରି ସେ ଛଦ୍ମ ବେଶରେ କଟକ ଆସିଲା । ଦିନେ ପୁରନ୍ଦର କାନନ୍ ଗୋ ହଠାତ୍ ତାକୁ ଦେଖି ପାରିଲେ । ସେ ଛଦ୍ମ ବେଶରେ ଥିଲେ ମଧ୍ୟ ଅନାୟାସରେ ତାକୁ ଚିହ୍ନି ପାରିଲେ, ସେ ବୁଝିଲେ ଯେ ତାଙ୍କର ମୃତ୍ୟୁ ଆଗତପ୍ରାୟ । ବିଶ୍ଵଜିତ୍‌ର ରୋଷବହ୍ନିରୁ କେହି ତାଙ୍କୁ ବଞ୍ଚାଇ ପାରିବେ ନାହିଁ ।

 

ଏକିତିବେଳେ ହଠାତ୍ କଳାବତୀର ମୃତ୍ୟୁ ହେଲା । ବିଶ୍ଵଜିତ୍‌ର କନ୍ୟା ତାକୁ ଗୋପନରେ ହତ୍ୟାକଲା । କିନ୍ତୁ କେବଳ ପୁରନ୍ଦର ଛଡ଼ା ସେକଥା ଆଉ କେହି ଜାଣିଲେ ନାହିଁ । ସେଇ ଝିଅଟି ଥିଲା ପୁରନ୍ଦରଙ୍କର ଏକମାତ୍ର ପାର୍ଥିବ ବନ୍ଧନ । ସେ ଏବେ ବୁଝି ପାରିଲେ ଯେ ତାଙ୍କର ମଧ୍ୟ ଦିନ ଶେଷ ହୋଇ ଆସିଲାଣି । ସେଥିପାଇଁ ସେ ପ୍ରସ୍ତୁତ ହେଲେ । ନିଜ ସମ୍ପତ୍ତିର ଗୋଟିଏ ଉଇଲ୍ ପ୍ରସ୍ତୁତ କଲେ । ସେଇ ଉଇଲ୍ ବଳରେ ତାଙ୍କର ଭଣଜା ଜୟନ୍ତ କୁମାର ଦାସ ଏ ଘରର ଓ କିଛି ନଗଦ ଟଙ୍କାର ଉତ୍ତରାଧିକାରୀ ହେଲେ ।

 

ତା’ ପରେ ପୁରନ୍ଦର ଆଉ ଏକ ନୂଆ କାମ କଲେ । ସେ ବହୁମୂଲ୍ୟ ଜହରତ ଗୁଡ଼ିକ ଘରର ଯେଉଁ ସ୍ଥାନରେ ସେ ଲୁଚାଇ ରଖିଥିଲେ ସେଇଗୁପ୍ତ ସ୍ଥାନଟିର ସଂକେତ ସେ ଏକ ସାଂକେତିକ ଲିପିରେ ଲେଖି ଜୟନ୍ତ ନାମରେ ତାହା ଷ୍ଟେଟ୍‍ ବ୍ୟାଙ୍କରେ ଗଚ୍ଛିତ କରି ରଖିଲେ । ତାଙ୍କର ଓକିଲ ଅଶୋକ ମହାପାତ୍ରଙ୍କୁ ସେ ଏ ବିଷୟରେ ବିଶ୍ୱାସ କଲେ ନାହିଁ ।

 

ତା’ପରେ ପୁରନ୍ଦରଙ୍କର ମୃତ୍ୟୁ ହେଲା–ବିଶ୍ୱଜିତ୍‍ ଯେ ନିଜ ହାତରେ ଗୁଳିକରି ତାଙ୍କୁ ହତ୍ୟା କରିଛନ୍ତି–ତା’ର ଅକାଟ୍ୟ ପ୍ରମାଣ ମୁଁ ସଂଗ୍ରହ କରିଛି ।

 

ଅବଶେଷରେ ଜୟନ୍ତ ଦାସ ବିଦେଶରୁ ଫେରି ଆସି ସେ ଉଇଲ୍ ବଳରେ ଏ ଘରଟି ଦଖଲ କଲେ । ବ୍ୟାଙ୍କରେ ଗଚ୍ଛିତ ଥିବା ସେ ସାଂକେତିକ ଲିପିଟିକୁ ସେ ପାଇଲେ । କିନ୍ତୁ ତାହା ସର୍ଣ୍ଣୂର୍ଣ୍ଣ ଅବୋଧ୍ୟ । ଜୟନ୍ତ ଏ ଘରେ ନ ରହନ୍ତୁ–ଏଇକଥା ବିଶ୍ଵଜିତ୍‍ ଚାହୁଥିଲା । ସେଥିପାଇଁ ଏଠାରେ ନାନା ଭୌତିକ ଉତ୍ପାତ ସୃଷ୍ଟିକରି ତାକୁ ଭୟ ଦେଖାଇବାକୁ ଲାଗିଲା । ସେତିକି ବେଳେ ଜୟନ୍ତ ବାବୁ ମୋର ସାହାଯ୍ୟ ଲୋଡ଼ିଲେ । ମୁଁ ଏ ମାମଲାର ତଦନ୍ତଭାର ଗ୍ରହଣ କଲି ।

 

ଏଇ ସମୟରେ ଘର ଭିତରେ ପ୍ରବେଶ କଲା ଦରୁଆନ ବସିର ଖାଁ ଓ ତା’ ପଛେ ଆଉ ଦୁଇଜଣ ବ୍ୟକ୍ତି । ସେମାନଙ୍କୁ ଦେଖି ବିକ୍ରମ ହଠାତ୍‍ ଚିତ୍କାର କରି ଉଠିଲା–ଏଇ, ସେ ଫେରାରୀ ଆସାମୀ ଗୁଡ଼ାକ ଆସିଲେଣି । ସେମାନଙ୍କୁ ଶୀଘ୍ର ଗିରଫ କରନ୍ତୁ ।

 

ସାମାନ୍ୟ ହସି ସିଦ୍ଧାର୍ଥ ଦାସ କହିଲେ–ନା, ବିକ୍ରମ ସେମାନେ ଆସାମୀ ନୁହନ୍ତି । ସେମାନେ ମୋର ବିଶ୍ଵାସୀ ଅପରେଟିଭ । ତୁମ ରିଭଲଭରଟି ଚୋରି ହୋଇ ନାହିଁ । ତାହା ମୋ ନିକଟରେ ଗଚ୍ଛିତ ଅଛି ।

 

ପୁରନ୍ଦର କାନନ୍ ଗୋଙ୍କର ସେ ସାଂକେତିକ ଲିପିଟିର ପଠୋଦ୍ଧାର କରିବା ପାଇଁ ମୁଁ ବହୁ ପରିଶ୍ରମ କରିଛି । କାଗଜଟିର ତଳଭାଗରେ ଅଦୃଶ୍ୟ କାଳିରେ ଗୋଟିଏ ଇଂରାଜୀ ‘ଏଲ୍’ ଲେଖାଥିଲା । ମୁଁ ବୁଝି ପାରିଲି ଯେ ଏଇ ‘ଏଲ’ ଅକ୍ଷରଟି ତା’ର ‘କି’ବା ଚାବିକାଠି । ଲିପି ଖଣ୍ଡିକ ମୁଁ ଜୟନ୍ତ ବାବୁଙ୍କୁ ଫେରାଇ ଦେବା ପୁର୍ବରୁ ତାର ଖଣ୍ଡିଏ ନକଲ ରଖିନେଲି ଓ ସେଇ ‘ଏଲ’ ଅକ୍ଷରଟିକି ରାସାୟନିକ ଉପାୟରେ ନିଭାଇ ଦେଲି । ଥରେ, ମୁଁ ଯାହା ସନ୍ଦେହ କରିଥିଲି ତାହାହିଁ ହେଲା । ବ୍ରହ୍ମ ଦେଶୀୟ ଗୋଟାଏ ଶିକ୍ଷିତ ଓ ପୋଷା ମାଙ୍କଡ଼ ସାହାଯ୍ୟରେ ବିଶ୍ୱଜିତ୍ ସେ କାଗଜ ଖଣ୍ଡିକ ଚୋରି କରି ନେଲା । କିନ୍ତୁ “କି ଆଲଫାବେଟ୍” ଟିର ଅଭାବରୁ ସେତାର ପାଠୋଦ୍ଧାର କରି ପାରିଲା ନାହିଁ । ଅବଶେଷରେ ସେ ଏଇ ଅଟ୍ଟାଳିକାଟିକୁ ବୋମା ସାହାଯ୍ୟରେ ଭାଙ୍ଗି ଦେବାକୁ ସ୍ଥିର କଲା । ଗତ ରାତ୍ରରେ ସେ ସେଇ ଚେଷ୍ଟା କରିଥିଲା । ଯେଉଁ ଲୋକଟି ମୋର ଅପରେଟିଭ୍‍ମାନଙ୍କ ଗୁଳିରେ ପ୍ରାଣ ହରାଇଛି ସେ ହେଉଛି–ବିଶ୍ଵଜିତ୍‌ର ସାନ ଭାଇ ଇନ୍ଦ୍ରଜିତ୍ ।

 

ଏବେ ମୁଁ ସେ ଲିପିଟି ବିଷୟରେ କିଛି ବୁଝାଇବି । ଲିପିଟି ଥିଲା ଏହି ପରି–

 

PIECPXP GPDE ATWWLC ZQEZA QWZZC.

 

ଏହା ଏକ ଅତିଶୟ ଦୁର୍ବୋଧ୍ୟ ଲିପି । କିନ୍ତୁ ତା’ ସହିତ ଥିବା ଚାବିକାଠିଟି ସାହାଯ୍ୟରେ ଏହାକୁ ଖୋଲିବା ସହଜ ସାଧ୍ୟ । ଅକ୍ଷର ଗୁଡ଼ିକ A ରୁ ଆରମ୍ଭ ନ ହୋଇ L ରୁ ଆରମ୍ଭ କରା ହୋଇଛି । ଅର୍ଥାତ୍ L ହେଉଛି A, M ହେଉଛି B, N ହେଉଛି C, ଏହିପରି ।

 

ଏହିପରି ଭାବରେ ଲିପିଟକୁ ସରଳ କଲେ ତାହା ହେଉଛି–

 

“EXTREME WEST PILLAR OF TOP FLOOR”

 

ଅର୍ଥାତ୍ ଉପର ମହଲାର ପଶ୍ଚିମ ଦିଗର ଶେଷ ଖମ୍ବ । ମୋର ଦୃଢ଼ ବିଶ୍ଵାସ ଯେ ସେଇ ଖମ୍ବ ଭିତରେ ପୁରନ୍ଦର କାନନ୍ ଗୋଙ୍କର ଗୁପ୍ତଧନ ଗଚ୍ଛିତ ରହିଛି । ମୋ’ ସଙ୍ଗରେ ଦୁଇଜଣ ମୁଲିଆ ଅଛନ୍ତି । ସେମାନେ ସେଠି ଖମ୍ବଟି ଭାଙ୍ଗନ୍ତୁ । ଆପଣମାନେ ସମସ୍ତେ ଏହି ସ୍ଥାନରେ ସ୍ଥିର ହୋଇ ବସି ରହନ୍ତୁ । ମୁଲିଆମାନଙ୍କ ସଙ୍ଗେ ଏସ୍. ପି. ଓ କଲେକ୍ଟର ଯାଇ ଖମ୍ବଟି ଭଙ୍ଗାଇବେ ।

 

ମୁଲିଆମାନଙ୍କୁ ନେଇ ଏସ୍. ପି. ଓ କଲେକ୍ଟର ଚାଲିଗଲେ । ସିଦ୍ଧାର୍ଥ ଦାସଙ୍କ ନିର୍ଦ୍ଦେଶମାନି ଅନ୍ୟମାନେ ସ୍ଥିର ଭାବରେ ବସି ରହିଲେ ।

 

ବାହାରେ ଖମ୍ବଟି ଭାଙ୍ଗିବାର ଶବ୍ଦ ଶୁଣାଗଲା । ପ୍ରାୟ ଅଧ ଘଣ୍ଟା ପରେ ସମସ୍ତେ ଫେରି ଆସିଲେ । ଏସ୍. ପି. ଙ୍କ ହାତରେ ଗୋଟିଏ ଟିଣ ବାକ୍‌ସ । ସେ ହସି ହସି କହିଲେ–ଆପଣଙ୍କର ଅନୁମାନ ସତ୍ୟ ଡକ୍ଟର ଦାସ । ଜହରତ୍‌ର ବାକ୍‌ସଟି ମିଳିଲା ।

 

ସମସ୍ତେ ଦେଖିଲେ–ଅତି ମୂଲ୍ୟବାନ ହୀରା ଓ ଜହରତରେ ବାକ୍‌ସଟି ପୂର୍ଣ୍ଣ ହୋଇଛି । ବହୁ ଲକ୍ଷ ଟଙ୍କାର ସମ୍ପତ୍ତି । ପ୍ରେସ ଫଟୋ–ଗ୍ରାଫରମାନେ ଫଟୋ ଉଠାଇବାକୁ ଲାଗିଲେ ।

 

ଜଷ୍ଟିସ୍ ସୁବ୍ରମନ୍ୟମ୍ ନୀରବରେ ବସି ଏ ଅଦ୍ଭୁତ କାହାଣୀ ଶୁଣୁଥିଲେ । ଅବଶେଷରେ ସେ ପ୍ରଶ୍ନ କଲେ–କିନ୍ତୁ ବିଶ୍ଵଜିତ୍‍ ସିଂ କାହିଁ ! ସେ କ’ଣ ଫେରାର ହୋଇଗଲା ।

 

–ନାଇଁ ମହାଶୟ ! ଆପଣଙ୍କୁ ପୂର୍ବରୁ ଜଣାଇଛି ଯେ ମୋର ଅପରେଟିଭମାନଙ୍କ ଗୁଳିରେ ତା’ର ସାନ ଭାଇ ଇନ୍ଦ୍ରଜିତ୍‍ ପ୍ରାଣ ହରାଇଛି । ତା’ ଦଳର ଅନ୍ୟଜଣେ ଦସ୍ୟୁକୁ ମୋ’ ନିର୍ଦ୍ଦେଶରେ ପୋଲିସ ଗିରଫ କରିଛି । ସେ ବର୍ତ୍ତମାନ ଅନ୍ୟ ସ୍ଥାନରେ ପୋଲିସ ତତ୍ତ୍ଵାବଧାନରେ ରହିଛି । ଆଉ ସ୍ଵୟଂ ଦଳପତି ବିଶ୍ଵଜିତ୍ ସିଂ ଏଠାରେ ଅଛି । ସେ ହେଉଛି–ଛଦ୍ମବେଶୀ ରେଭରେଣ୍ଡ ନାୟକ ।

 

ସମସ୍ତେ ସ୍ତମ୍ଭିତ ହୋଇଗଲେ । ରେଭରେଣ୍ଡ ନାୟକ କହି ଉଠିଲେ–ମୋ’ବିରୁଦ୍ଧରେ ତୁମ ନିକଟରେ କୌଣସି ପ୍ରମାଣ ନାହିଁ । ପୁରନ୍ଦରକୁ ହତ୍ୟା କରିଛି ବୋଲି ତୁମେ ମିଥ୍ୟା ଅଭିଯୋଗ କରୁଛ ।

 

ସାମାନ୍ୟ ହସି ସିଦ୍ଧାର୍ଥ ଦାସ କହିଲେ–ଯେଉଁ ରିଭଲଭରଟିରେ ପୁରନ୍ଦରଙ୍କୁ ହତ୍ୟାକରା ହୋଇଥିଲା, ସେଥିରେ ଗୋଟିଏ ଅଙ୍ଗୁଳିଚିହ୍ନ ଥିଲା । ସେତେବେଳେ ପୋଲିସ ତଦନ୍ତରେ ସେ ଅଙ୍ଗୁଳିଚିହ୍ନଟି କାହାର ବୋଲିଜଣା ପଡ଼ିଲା ନାହିଁ । କିନ୍ତୁ ମୁଁ ବାସନ ବିକ୍ରେତାର ଛଦ୍ମ ବେଶରେ ତମ ନିକଟକୁ ଯାଇ ଗୋଟିଏ ପାଲିସ ହୋଇଥିବା ଗିଲାସ ଉପରେ କୌଶଳକ୍ରମେ ତୁମର ଅଙ୍ଗୁଳି ଚିହ୍ନ ସଂଗ୍ରହ କରି ମିଳାଇ ଦେଖିଛି । ରିଭଲଭର ଉପରେ ଲାଗିଥିବା ଅଙ୍ଗୁଳି ଚିହ୍ନଟି ଯେ ତୁମର, ଏହା ପ୍ରମାଣିତ ହୋଇଛି ।

 

ଘର ଭିତରେ ହଠାତ୍ ଗୋଟିଏ ରିଭଲଭର ଗର୍ଜନ କରି ଉଠିଲା । ସମସ୍ତେ ଚମକି ଉଠିଲେ । ଆଶ୍ଚର୍ଯ୍ୟ ହୋଇ ସମସ୍ତେ ଦେଖିଲେ ଯେ ଜୁଲି ନିଜ ମୁଣ୍ଡରେ ରିଭଲଭର ଲଗାଇ ଟ୍ରିଗର୍ ଚିପି ଦେଇଛି । ସାଙ୍ଗେ ସାଙ୍ଗେ ତା’ର ମୃତ୍ୟୁ ହୋଇଛି । ବଡ଼ ଗୋଟାଏ ଗୋଲାପ ପେନ୍ଥା ପରି ସୁନ୍ଦରୀ ତରୁଣୀର ମୃତ ଦେହ ଜୟନ୍ତ କୋଳ ଉପରେ ଲୋଟି ପଡ଼ିଛି । ଏତେ ସୌନ୍ଦର୍ଯ୍ୟର ଅଧିକାରିଣୀ ହୋଇ ନାରୀ ଯେ ଏତେ ଭୟାବହ ଦୁଷ୍କର୍ମ କରିପାରେ, ସେଥିପାଇଁ ଜୟନ୍ତ ଅବାକ୍ ଓ ବିସ୍ମୟରେ ଅଭିଭୂତ ହୋଇ ପଡ଼ିଲେ । ତଥାପି ଜୁଲି ପାଇଁ ଜୟନ୍ତର ହୃଦୟରେ ଯେଉଁ ପ୍ରେମର କଳିକା ଫୁଟି ଉଠୁଥିଲା, ତାହାର ସୌରଭ ବହୁବର୍ଷ ଧରି ଲିଭି ନଥିଲା ।

Image